India TV News
ନୂଆଦିଲ୍ଲୀ: ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ୨୦୨୦ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ୨୦୨୧ ଆରମ୍ଭ ସହିତ ଟିଭି, ୱାଶିଂ ମେସିନ୍ ଏବଂ ଫ୍ରିଜ୍ ଭଳି କିଛି ଘରୋଇ ସାମଗ୍ରୀ ମହଙ୍ଗା ହୋଇପାରେ । ବିଶେଷକରି ଭାରତରେ ଏଲଇଡି ଟିଭି ଲୋକପ୍ରିୟ ହେବାରେ ଲାଗିଥିବା ବେଳେ ଏହା ମଧ୍ୟ ମହଙ୍ଗା ହୋଇଯିବ ବୋଲି କୁହାଯାଉଛି।
ଆସନ୍ତା ବର୍ଷ ଠାରୁ ଘରୋଇ ଉପକରଣର ଉତ୍ପାଦନ ପାଇଁ ବ୍ୟବହୃତ ତମ୍ବା, ଆଲୁମିନିୟମ୍ ଏବଂ ଷ୍ଟିଲ୍ ଭଳି ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ । ଏହି କାରଣରୁ ଘରୋଇ ଉପକରଣର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ।
ଏଲଜି, ପାନାସୋନିକ୍ ଏବଂ ଥମସନ ପରି କମ୍ପାନିର ଘରୋଇ ସାମଗ୍ରୀ ବିଶେଷ କରି ଟିଭି, ରେଫ୍ରିଜେରେଟର ଏବଂ ୱାଶିଂ ମେସିନର ଅଧିକ ଚାହିଦା ରହିଛି। ଜାନୁଆରିରୁ ଏହି ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ ବୋଲି ଏହି କମ୍ପାନିଗୁଡିକ ସ୍ପଷ୍ଟ କରିଛନ୍ତି। ତେବେ ସୋନି ଏପର୍ଯ୍ୟନ୍ତ ତାହାର ଘରୋଇ ଉପକରଣକୁ ମହଙ୍ଗା କରିବ କି ନାହିଁ ତାହା ଏଯାବତ୍ ସ୍ପଷ୍ଟ କରିନାହିଁ।
ପାନାସୋନିକ୍ ଇଣ୍ଡିଆର ସିଇଓ ମନୀଷ ଶର୍ମା କହିଛନ୍ତି ଯେ ଜାନୁଆରିରୁ ଏସବୁ ସାମଗ୍ରୀ ମୂଲ୍ୟ ୬ରୁ୭% ବୃଦ୍ଧି ପାଇବାକୁ ଥିବାବେଳେ ଆଗାମୀ ସମୟରେ ଏହା ୧୦ରୁ ୧୧% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ ବୋଲି କୁହାଯାଉଛି। ଉତ୍ପାଦନରେ ବ୍ୟବହୃତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଥିବାରୁ ସାମଗ୍ରୀ ମୂଲ୍ୟକୁ ବୃଦ୍ଧି କରାଯାଉଛି ବୋଲି ମନୀଷ ଶର୍ମା କହିଛନ୍ତି।
ଏଲଜି ମଧ୍ୟ ଜାନୁଆରି ୧ ରୁ ତାର ସାମଗ୍ରୀ ମୂଲ୍ୟକୁ ୭ରୁ ୮ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ହେଡ ଏହା ମଧ୍ୟ କହିଛନ୍ତି କି କମ୍ପାନି ଟିଭି, ୱାଶିଂ ମେସିନ୍, ରେଫ୍ରିଜେରେଟର ଇତ୍ୟାଦି ମୂଲ୍ୟ ୭ରୁ ୮ ପ୍ରତିଶତକୁ ବୃଦ୍ଧି କରିପାରେ। ଏହାର କାରଣ ହେଉଛି କଞ୍ଚାମାଲ - ତମ୍ବା ଏବଂ ଆଲୁମିନିୟମ ମହଙ୍ଗା ହେବାକୁ ଯାଉଛି। ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟ ଏହା ଉପରେ ପ୍ରଭାବ ପକାଇପାରେ ।
Follow Us