Telegraph India
ଭୁବନେଶ୍ବର: ପୁରୀକୁ ଆସୁଥିବା ଅଣହିନ୍ଦୁ ଓ ବିଦେଶୀମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ନାହିଁ। କିନ୍ତୁ ସେମାନଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଜଣାଇବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଏକ ସ୍ବତନ୍ତ୍ର ଅଡିଟୋରିୟମ୍ କରାଯାଉ। ସେଠାରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ମାଧ୍ୟମରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଦର୍ଶନ କରାଯାଉ।
ହୋଟେଲ୍ ଆଣ୍ଡ୍ ରେସ୍ତୋଁରା ଆସୋସିଏସନ୍ ଅଫ୍ ଓଡ଼ିଶା(ହାରୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଏକ ପ୍ରସ୍ତାବ ଦିଆଯାଇଛି। ପୁରୀରେ ଚାଲିଥିବା ଭିତ୍ତିଭୂମି ନିର୍ମାଣ ସମୟରେ ଏହି ଦିଗକୁ ଦୃଷ୍ଟି ଦେବାକୁ ହାରୋ ଅନୁରୋଧ କରିଛି। ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି ଏହି ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ କେବଳ ଅଣହିନ୍ଦୁ ଓ ବିଦେଶୀ ନୁହନ୍ତି, ରାଜ୍ୟ ତଥା ଦେଶ ଭିତରର ଯୁବପିଢ଼ି ମଧ୍ୟ ଶ୍ରୀମନ୍ଦିରର ଇତିହାସ ଓ ସୃଷ୍ଟି ସମ୍ପର୍କରେ ଅନଭିଜ୍ଞ ଅଛନ୍ତି। ତେଣୁ ଏପରି ଭିତ୍ତିଭୂମି ନିର୍ମାଣ କରାଗଲେ, ସେମାନେ ମଧ୍ୟ ଏ ସମ୍ପର୍କରେ ଜାଣିପାରିବେ। ଏଠାରେ ୩ଟି ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ କରାଯାଇପାରିବ। ବଡ଼ଦାଣ୍ଡରେ ହେବାକୁ ଥିବା ଲାଇବ୍ରେରି କିମ୍ବା ଧ୍ୟାନ କେନ୍ଦ୍ର ନିକଟରେ ଏହି ଅଡିଟୋରିୟମ୍ ନିର୍ମାଣ କରାଗଲେ ଉପାଦେୟ ହୋଇପାରିବ। ଏହା ସହ ମନ୍ଦିରର ଦୈନିକ ନୀତିକାନ୍ତିକୁ ନେଇ ଏକ ସ୍ବତନ୍ତ୍ର ଟିଭି ଚ୍ୟାନେଲ୍ ପ୍ରସ୍ତୁତ କରିବାକୁ ମଧ୍ୟ ହାରୋ ପ୍ରସ୍ତାବ ଦେଇଛନ୍ତି। ଏପରି ଏକ ଅତ୍ୟାଧୁନିକ ଅଡିଟୋରିୟମ୍ ଏବଂ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ େସା’ ନିଶ୍ଚିତ ଭାବେ ବିଶ୍ବବ୍ୟାପୀ ଜଗନ୍ନାଥପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବ। ଏହି ଭିତ୍ତିଭୂମି ରାଜ୍ୟ ତଥା ବାହାରୁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ହାରୋ ପକ୍ଷରୁ ଏହି ପ୍ରସ୍ତାବର ନକଲ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍, ୫-ଟି ସଚିବ ଓ ପୂର୍ତ୍ତ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
Follow Us