ନିତି ଆୟୋଗ ଏସ୍‌ଡିଜି ସୂଚୀ: ‘ଫ୍ରଣ୍ଟ୍‌ରନର୍‌’ ବର୍ଗରେ ଓଡ଼ିଶା

Advertisment

ଶୂନ କ୍ଷୁଧା, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତାରେ ଦୁର୍ବଳ ପ୍ରଦର୍ଶନ

ଶୂନ କ୍ଷୁଧା, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତାରେ ଦୁର୍ବଳ ପ୍ରଦର୍ଶନ

ନିତି ଆୟୋଗ ଏସ୍‌ଡିଜି ସୂଚୀ: ‘ଫ୍ରଣ୍ଟ୍‌ରନର୍‌’ ବର୍ଗରେ ଓଡ଼ିଶା

ଭୁବନେଶ୍ବର: ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚୀରେ ଓଡ଼ିଶା ୬୬ ସ୍କୋର୍‌ ସହ ଫ୍ରଣ୍ଟ୍‌ରନର୍‌ ବର୍ଗରେ ସ୍ଥାନ ପାଇଛି। ଓଡ଼ିଶା ସମେତ ଅରୁଣାଚଳପ୍ରଦେଶ, ଆସାମ ଭଳି ୧୦ଟି ରାଜ୍ୟ ନୂତନ ଭାବେ ଫ୍ରଣ୍ଟ୍‌ରନର୍‌ ବର୍ଗରେ ସାମିଲ ହୋଇଛନ୍ତି। ଏଥି ରାଜ୍ୟଗୁଡ଼ିକର ସ୍କୋର୍‌ରେ ୨୦୨୦-୨୧ ସଂସ୍କରଣ ତୁଳନାରେ ୧-୮ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଓଡ଼ିଶା ସ୍କୋର୍‌ରେ ୫ ପଏଣ୍ଟ ବୃଦ୍ଧି ଘଟିଛି। ଶୂନ କ୍ଷୁଧା, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତାରେ ରାଜ୍ୟର ପ୍ରଦର୍ଶନ ଖରାପ ରହିଛି। ତେବେ ୨୦୧୮ରୁ ୨୦୨୩-୨୪ ଭିତରେ ନିଜ ସ୍କୋରରେ ଦ୍ରୁତ ବୃଦ୍ଧି ଆଣିପାରିଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ନାମ ରହିଛି।

ଏସ୍‌ଡିଜିରେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ପ୍ରକାର ଲକ୍ଷ୍ୟ ମଧ୍ୟରୁ ଶୂନ ଦାରିଦ୍ର୍ୟ (ଲକ୍ଷ୍ୟ-୧)କ୍ଷେତ୍ରରେ ଓଡ଼ିଶା ୨୦୨୩-୨‌୪ରେ ଫ୍ରଣ୍ଟ୍‌ରନର୍‌ ବର୍ଗରେ ପ୍ରବେଶ କରିଛି। ଶୂନ କ୍ଷୁଧା (ଲକ୍ଷ୍ୟ-୨) ବର୍ଗରେ ଓଡ଼ିଶାର ପ୍ରଦର୍ଶନ ଏବେବି ଖରାପ ରହିଛି। ଏହା ଆସ୍ପିରାଣ୍ଟ ବର୍ଗରେ ରହିଛି। ସେହିପରି, ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ (ଲକ୍ଷ୍ୟ-୩)ରେ ଓଡ଼ିଶା ଫ୍ରଣ୍ଟ୍‌ରନର୍‌ ବର୍ଗରେ ରହିଛି। ଗୁଣାତ୍ମକ ଶିକ୍ଷା (ଲକ୍ଷ୍ୟ-୪)ରେ ଓଡ଼ିଶା ଆସ୍ପିରାଣ୍ଟ ବର୍ଗରେ ରହିଛି। ବିଭିନ୍ନ ଲକ୍ଷ୍ୟ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଆଚିଭର (ସ୍କୋର ୧୦୦), ଫ୍ରଣ୍ଟ୍‌ରନର (ସ୍କୋର ୬୫-୯୯), ପରଫରମର (ସ୍କୋର ୫୦-୬୫) ଏବଂ ଆସ୍ପିରାଣ୍ଟ (ସ୍କୋର ୦-୫୦) ଭଳି ଚାରିଟି ବର୍ଗରେ ଭାଗ କରାଯାଇଛି। ଆସ୍ପିରାଣ୍ଟ ବର୍ଗରେ ଦୁର୍ବଳ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକୁ ସ୍ଥାନିତ କରାଯାଇଛି।

ନିତି ଆୟୋଗ ତଥ୍ୟ ଅନୁସାରେ ଲିଙ୍ଗଗତ ସମାନତା (ଲକ୍ଷ୍ୟ-୫)ରେ ଓଡ଼ିଶା ଆସ୍ପିରାଣ୍ଟ ଭଳି ଶେଷ ବର୍ଗରେ ରହିଛି। ସ୍ବଚ୍ଛ ଜଳ ଓ ପରିମଳ (ଲକ୍ଷ୍ୟ-୬)ରେ ଓଡ଼ିଶା ଫ୍ରଣ୍ଟ୍‌ରନର୍‌ ଭଳି ଉନ୍ନତ ବର୍ଗରେ ସ୍ଥାନ ପାଇଛି। ସୁଲଭ ଓ ସ୍ବଚ୍ଛ ଶକ୍ତି (ଲକ୍ଷ୍ୟ-୭)ରେ ମଧ୍ୟ ଓଡ଼ିଶା ଏହି ବର୍ଗରେ ସ୍ଥାନ ପାଇଛି। ଉତ୍ତମ କାର୍ଯ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧି (ଲକ୍ଷ୍ୟ-୮)ରେ ମଧ୍ୟ ଓଡ଼ିଶା ଫ୍ରଣ୍ଟ ରନର୍‌ ବର୍ଗରେ ରହିଛି। ଶିଳ୍ପ, ନବସୃଜନ ଓ ଭିତ୍ତିଭୂମି (ଲକ୍ଷ୍ୟ-୯)ରେ ରାଜ୍ୟ ଆସ୍ପିରାଣ୍ଟ ଭଳି ଶେଷ ବର୍ଗରେ ସ୍ଥାନ ପାଇଛି। ଅସମାନତା ଦୂରୀକରଣ (ଲକ୍ଷ୍ୟ-୧୦)ରେ ଓଡ଼ିଶା ପରଫରମର ଭଳି ତୃତୀୟ ବର୍ଗରେ ରହିଛି। ଏକ୍ଷେତ୍ରରେ ଆହୁରି ଉନ୍ନତିର ଆବଶ୍ୟକତା ରହିଛି। ନିରନ୍ତର ସହଜ ଓ ଗୋଷ୍ଠୀ (ଲକ୍ଷ୍ୟ-୧୧)ରେ ରାଜ୍ୟ ଫ୍ରଣ୍ଟ ରନର୍‌ ବର୍ଗରେ ସ୍ଥାନ ପାଇଛି। ଦାୟିତ୍ବବାନ ଉପଯୋଗିତା ଓ ଉତ୍ପାଦନ (ଲକ୍ଷ୍ୟ-୧୨)ରେ ମଧ୍ୟ ଓଡ଼ିଶା ଫ୍ରଣ୍ଟ୍‌ରନର୍‌ ବର୍ଗରେ ରହିଛି। ଜଳବାୟୁ ପଦକ୍ଷେପ (ଲକ୍ଷ୍ୟ-୧୩)ରେ ରାଜ୍ୟ ପରଫରମର୍‌ ବର୍ଗରେ ଥିବା ବେଳେ ଭୂପୃଷ୍ଠରେ ଜୀବନ (ଲକ୍ଷ୍ୟ-୧୫)ରେ ମଧ୍ୟ ଫ୍ରଣ୍ଟ୍‌ରନର୍‌ ବର୍ଗରେ ରହିଛି। ଶାନ୍ତି, ନ୍ୟାୟ ଓ ଦୃଢ଼ ଅନୁଷ୍ଠାନ (ଲକ୍ଷ୍ୟ-୧୬)ରେ ଓଡ଼ିଶା ପରଫରମର୍‌ ବର୍ଗରେ ରହିଛି। ସର୍ବଭାରତୀୟ ସ୍ତରରେ ଦେଶର ଏସ୍‌ଡିଜି ସ୍କୋର୍‌ ୨୦୨୩-୨୪ରେ ୭୧କୁ ବୃଦ୍ଧି ପାଇଛି। ଶୂନ ଦାରିଦ୍ର୍ୟ, ଉତ୍ତମ କାର୍ଯ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧି, ଜଳବାୟୁ ପଦକ୍ଷେପ ଓ ଭୂପୃଷ୍ଠରେ ଜୀବନ ଲକ୍ଷ୍ୟରେ ଉଲ୍ଲେଖନୀୟ ଉନ୍ନତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe