ଫେରୁଛି ଏଲ୍‌ଏମ୍‌ଏଲ୍‌: ଏଥର ଇଲେକ୍ଟ୍ରିକ ଯାନ କମ୍ପାନି ରୂପରେ, ସେପ୍ଟେମ୍ବରରେ ଆଣିବ ଇ-ହାଇପରବାଇକ୍‌

ଫେରୁଛି ଏଲ୍‌ଏମ୍‌ଏଲ୍‌: ଏଥର ଇଲେକ୍ଟ୍ରିକ ଯାନ କମ୍ପାନି ରୂପରେ, ସେପ୍ଟେମ୍ବରରେ ଆଣିବ ଇ-ହାଇପରବାଇକ୍‌

Times of India

ନୂଆଦିଲ୍ଲୀ: ଏଲ୍‌ଏମ୍‌ଏଲ୍‌ (ଲୋହିଆ ମେସିନାରି ଲିମିଟେଡ) ସ୍କୁଟର ଓ ବାଇକ୍‌କୁ ନେଇ ଭାରତୀୟମାନଙ୍କ ମଧ୍ୟରେ ଅନେକ ସୁଖଦ ଅନୁଭୁତି ‌ରହିଛି। ଏଲ୍‌ଏମ୍‌ଏଲ୍‌ ଭେସ୍ପା ଭାରତରେ ଦୀର୍ଘବର୍ଷ ପାଇଁ ଏକ ଲୋକପ୍ରିୟ ସ୍କୁଟର ବ୍ରାଣ୍ଡ୍‌ ରହିଥିଲା। ଭାରତରେ କମ୍ପାନି ପିଆଜିଓ ଓ ଡାଏଲିମ୍‌ ସହ ମିଶି ଗାଡ଼ି ବିକ୍ରି କରୁଥିଲା। କିନ୍ତୁ ୨୦୦୦ ମସିହା ପରେ ସ୍କୁଟର ବଜାର ସଂକୁଚିତ ହେବା ଏବଂ ମୋଟରସାଇକଲ ସେତେଟା ସଫଳ ‌ନହେବାରୁ କମ୍ପାନି ଅସୁବିଧାରେ ପଡ଼ି ଶେଷରେ ୨୦୧୮ ମସିହାରେ କାନପୁରସ୍ଥିତ କାରଖାନାକୁ ବନ୍ଦ କରିଦେଇଥିଲା। ତେବେ ଚଳିତବର୍ଷ ପୁଣି ଭାରତ ବଜାରକୁ ଏଲ୍‌ଏମ୍‌ଏଲ୍‌ ଫେରିବା ନେଇ ଯୋଜନା କରିଛି। କିନ୍ତୁ ଏଥର ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ କମ୍ପାନି ହିସାବରେ ଆସିବ। କେବଳ ଆସିବା ଯୋଜନା ରଖିନାହିଁ ୨୦୨୫ ମସିହା ସୁଦ୍ଧା ଦେଶର ଏକ ପ୍ରମୁଖ ଇଲେକ୍ଟ୍ରିକ ଦୁଇଚକିଆ ଯାନ କମ୍ପାନିରେ ପରିଣତ ହେବା ଲକ୍ଷ୍ୟ ରଖିଛି। ୨୦୨୧ରେ ଏଲ୍‌ଏମ୍‌ଏଲ୍‌କୁ ଅଧିଗ୍ରହଣ କରିଥିବା ଏସ୍‌ଜି ‌କର୍ପୋରେଟ୍ ମୋବିଲିଟି(ଏସ୍‌ଜିସିଏମ୍‌) ଏ ନେଇ ବ୍ୟାପକ ଯୋଜନା କରିଛି। ଏସଜିସିଏମ୍‌ ନିଜସ୍ବ ମାଲିକାନାରେ ଥିବା ଡେଟେଲ ଓ କମ୍ପାନି ଏଲ୍‌ଏମ୍‌ଏଲ୍‌ ଇଲେକ୍ଟ୍ରିକ ନାମରେ ଗାଡ଼ିଗୁଡ଼ିକ ଆସିବ। ଡେଟେଲ ମୁଖ୍ୟତଃ ଟାଏର-୨ ଏବଂ ଟାଏର-୩ ସହରକୁ ଦୃଷ୍ଟିରେ ରଖି କମ୍ ବେଗ ବିଶିଷ୍ଟ ଇଲେକ୍ଟ୍ରିକ ଗାଡ଼ି ଆଣିବ।

ଅନ୍ୟପକ୍ଷରେ ଏଲ୍‌ଏମ୍‌ଏଲ୍‌ ଇଲେକ୍ଟ୍ରିକ ସହରାଞ୍ଚଳର ଲୋକଙ୍କ ଆବଶ୍ୟକତା ପୂରଣ ସହିତ ପ୍ରିମ୍ରିୟମ ଉତ୍ପାଦ ଉପଲବ୍ଧ କରାଇବ। କାରଖାନା ସ୍ଥାପନ ପାଇଁ ଏଲ୍‌ଏମ୍‌ଏଲ୍‌ ବିଭିନ୍ନ ରାଜ୍ୟର ସରକାରଙ୍କ ସହିତ ଆଲୋଚନା ଚଳାଇଛି। ଚଳିତବର୍ଷ ଦ୍ବିତୀୟାର୍ଦ୍ଧରେ ଏ ନେଇ କମ୍ପାନି ଘୋଷଣା କରିବ ଏବଂ ୨୦୨୪ ବେଳକୁ କାରଖାନା କାର୍ଯ୍ୟକ୍ଷମ କରିବା ଆଶା ରହିଛି। ସେ ପର୍ଯ୍ୟନ୍ତ କମ୍ପାନି ହରିୟାଣାର ବାୱଲଠାରେ ପୂର୍ବର ହାର୍ଲି ଡେଭିଡସନ୍ କାରଖାନାରେ ଗାଡ଼ି ଉତ୍ପାଦନ କରିବ। ଏହି କାରଖାନାରେ ବାର୍ଷିକ ଯାନ ଉତ୍ପାଦନ କ୍ଷମତା ବାର୍ଷିକ ପ୍ରାୟ ୨,୦୦,୦୦୦ ୟୁନିଟ୍ ରହିଛି। ପ୍ରଯୁକ୍ତି ଓ ଉତ୍ପାଦ ପାଇଁ ଏଲ୍‌ଏମ୍‌ଏଲ୍‌ ଇଲେକ୍ଟ୍ରିକ୍ ଜର୍ମାନୀର ଇରକିଟ୍ କମ୍ପାନି ସହିତ ସହଯୋଗିତା ସ୍ଥାପନ କରିଛି। ଏପରିକି ଏଲ୍‌ଏମ୍‌ଏଲ୍‌ ଇଲେକ୍ଟ୍ରିକ ଭାରତରେ ଉତ୍ପାଦନ କରୁଥିବା ଯାନକୁ ବିଦେଶକୁ ରପ୍ତାନି କରିବା ଲକ୍ଷ୍ୟ ମଧ୍ୟ ରଖିଛି। ଏଲ୍‌ଏମ୍‌ଏଲ୍‌ ଇ-ହାଇପରବାଇକ ଇରକିଟ୍‌ର ଯାନ ଭଳି ଦେଖିବାକୁ ରହିବା ଆଶା କରାଯାଉଛି। ୨୯ ସେପ୍ଟେମ୍ବରରେ ଏଲ୍‌ଏମ୍‌ଏଲ୍‌ ଇଲେକ୍ଟ୍ରିକ ୩ଟି ଗାଡ଼ି ଉନ୍ମୋଚନ କରିବ। ଏଲ୍‌ଏମ୍‌ଏଲ୍‌ ବ୍ରାଣ୍ଡ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହା କରାଯିବ। କମ୍ପାନି ଯେଉଁ ୩ଟି ଗାଡ଼ି ଆଣିବ ସେଗୁଡ଼ିକ ହେଲା ଇ-ହାଇପରବାଇକ, ଇ-ବାଇକ ଏବଂ ଇଲେକ୍ଟ୍ରିକ ସ୍କୁଟର। ତେବେ ଭାରତରେ ଇ-ହାଇପରବାଇକର ବଜାର ପ୍ରବେଶ ପ୍ରଥମେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe