ଋଣ ଠକେଇ ନେଇ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ: ଏଫ୍‌ଆଇଆର୍‌ ପାଇଁ କାହିଁକି ୫ ବର୍ଷ ଲାଗିଲା?

Advertisment

ଅଭିଯୋଗ କରିବାରେ କୌଣସି ବିଳମ୍ବ ହୋଇନି: ଷ୍ଟେଟ୍‌ ବ୍ୟାଙ୍କ

ଅଭିଯୋଗ କରିବାରେ କୌଣସି ବିଳମ୍ବ ହୋଇନି: ଷ୍ଟେଟ୍‌ ବ୍ୟାଙ୍କ

ଋଣ ଠକେଇ ନେଇ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ: ଏଫ୍‌ଆଇଆର୍‌ ପାଇଁ କାହିଁକି ୫ ବର୍ଷ ଲାଗିଲା?

ଚଣ୍ଡିଗଡ଼ : ‌ଏବିଜି ସିପ୍‌ୟାର୍ଡର ୨୨,୮୪୨ କୋଟି ଟଙ୍କାର ଋଣ ଠକେଇକୁ ଦେଶର ସବୁଠୁ ବଡ଼ ଠକେଇ ଭାବେ ବର୍ଣ୍ଣନା କରି ନରେନ୍ଦ୍ର ମୋଦୀ ସରକାରଙ୍କୁ ଘେରିଛି କଂଗ୍ରେସ। ଏହି ମାମଲାରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ କାହିଁକି ପାଞ୍ଚ ବର୍ଷ ଲାଗିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା କହିଛନ୍ତି ଯେ ୨୮ଟି ବ୍ୟାଙ୍କ ଠାରୁ ୨୨,୮୪୨ କୋଟି ଟଙ୍କା ଠକେଇ କରିଥିବା କଂପାନି ବିରୋଧରେ ଏଫ୍ଆଇଆର୍‌ ରୁଜୁ କରିବାକୁ କାହିଁକି ଏତେ ବର୍ଷ ଲାଗିଗଲା। ୨୦୧୮ ଫେବ୍ରୁଆରି ୧୫ରେ ଏହି ଠକେଇ ବିଷୟରେ କଂଗ୍ରେସ ଅଭିଯୋଗ କରିଥିଲା। ମୋଦୀ ସରକାର କାହିଁକି ତାହାକୁ ବିଚାରକୁ ନେଇନଥିଲେ। ୨୦୧୯ ଜୁନ୍ ୧୯ ପରଠାରୁ କଂପାନିର ଋଣ ଖାତାକୁ ଠକେଇ ଭାବେ ଘୋଷଣା କରାଯିବା ସତ୍ତ୍ବେ କାହିଁକି ଏହା ବିରୋଧରେ ଏଫ୍ଆଇଆର୍‌ ରୁଜୁ କରାଗଲା ନାହିଁ? କାହିଁକି ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏବିଜି ସିପ୍‌ୟାର୍ଡର ଠକେଇକୁ ଗତ ୭୫ ବର୍ଷ ମଧ୍ୟରେ ସବୁଠୁ ବଡ଼ ଠକେଇ ବୋଲି ସେ କହିଛନ୍ତି।

ଏଫ୍‌ଆଇଆର୍‌ ରୁଜୁ କରିବାରେ ହୋଇଥିବା ବିଳମ୍ବକୁ ନେଇ ସୁରଜେୱାଲା ଯେଉଁ ଅଭିଯୋଗ କରିଛନ୍ତି ତାହାର ଉତ୍ତର ଦେଇ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଠକେଇର ସୂଚନା ଦେବାରେ କୌଣସି ବିଳମ୍ବ କରାଯାଇନଥିଲା। କଂପାନିକୁ ଋଣ ଦେଇଥିବା ସବୁ ବ୍ୟାଙ୍କକୁ ନେଇ ଏକ ବୈଠକରେ ଆଲୋଚନା ହୋଇଥିଲା। ଫୋରେନ୍‌ସିକ୍ ଅଡିଟ୍ ରିପୋର୍ଟରୁ ତାହା ‌ଠକେଇ ବୋଲି ସ୍ପଷ୍ଟ ହେବା ପରେ ପ୍ରାରମ୍ଭିକ ଅଭିଯୋଗ କରାଯାଇଥିଲା। ଅଧିକ ତଥ୍ୟ ସଂଗ୍ରହ କରି ଦ୍ବିତୀୟ ଅଭିଯୋଗ ଦାଖଲ କରାଯାଇଥିଲା। ଏହି ପ୍ରକ୍ରିୟା କୌଣସି ସମୟ‌ରେ ବିଳମ୍ବ ହୋଇନଥିଲା ବୋଲି ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସୁରଜେୱାଲା କହିଛନ୍ତି ଯେ ୨୦୧୮ ନଭେମ୍ବରରେ ଷ୍ଟେଟ୍‌ ବ୍ୟାଙ୍କ ଏହି ଠକେଇ ବିଷୟରେ ସିବିଆଇକୁ ଅବଗତ କରି ‌ଚିଠି ଲେଖିଥିଲା। କୌଣସି ଏଫ୍‌ଆଇଆର୍‌ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସିବିଆଇ ସେହି ଫାଇଲ୍‌କୁ ଷ୍ଟେଟ୍‌ ବ୍ୟାଙ୍କକୁ ଫେରାଇ ଦେଇଥିଲା। ୨୦୨୦ ଅଗଷ୍ଟ ୨୫ରେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଦ୍ବିତୀୟ ଥର ଅଭିଯୋଗ କରାଯାଇଥିଲା। ତଥାପି ସିବିଆଇ କୌଣସି ପଦକ୍ଷେପ ନେଇ ନଥିଲା। କେବଳ ସ୍ପଷ୍ଟୀକରଣ ମାଗି ଚାଲିଥିଲା। ଏହାପରେ ସିବିଆଇ ଦେଢ଼ ବର୍ଷ ଅପେକ୍ଷା କରିଥିଲା। ଶେଷରେ ଏହା ଏଫ୍‌ଆଇଆର୍‌ ରୁଜୁ କରିଛି ବୋଲି ସେ କହିଛନ୍ତି। ମୋଦୀ ସରକାରଙ୍କ ପାଇଁ ବଡ଼ ପଦପଦବିରେ ରହି କାମ କରୁଥିବା ଲୋକମାନଙ୍କ ବ୍ୟାଙ୍କ ଠକଙ୍କ ସହ ସମ୍ପର୍କ ଥିବାରୁ ଏଥିରୁ ସନ୍ଦେହ ହେଉଛି ବୋଲି ସୁର୍‌ଜେୱାଲା କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାରଙ୍କ ଅମଳରେ ବ୍ୟାଙ୍କ ଲୁଟ୍ କର ଓ ପଳାୟନ କର ସ୍କିମ୍ ଚାଲିଛି। ଗତ ୭ ବର୍ଷରେ ୫.୩୫ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ଠକେଇ ଧରାପଡ଼ିଥିବା ବେଳେ ମୋଦୀ ସରକାର ବ୍ୟାଙ୍କଗୁଡ଼ିକ ଖାତାରୁ ୮.୧୭ ଲକ୍ଷ କୋଟି ଟଙ୍କା ରାଇଟ୍‌ ଅଫ୍‌ କରିଛନ୍ତି। ୨୦୧୪-୨୧ ମଧ୍ୟରେ ବ୍ୟାଙ୍କ ଏନ୍‌ପିଏ ପରିମାଣ ୨୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆରମ୍ଭରୁ ବିଜେପି ସରକାରଙ୍କର ଏବିଜି ସିପ୍‌ୟାର୍ଡ ପ୍ରତି ‌ଅହେତୁକ ଅନୁକମ୍ପା‌ ରହିଥିଲା। ୨୦୦୭ରେ ଗୁଜରାଟରେ କଂପାନିକୁ ୧.୨୧ ଲକ୍ଷ ଏକର ଜମିକୁ ଅଧା ଦାମ୍‌ରେ ଦିଆଯାଇଥିଲା। ସିଏଜି ମଧ୍ୟ ଏବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe