ବିନା ବନ୍ଧକ‌ରେ ବିଶ୍ବକର୍ମାଙ୍କୁ ଋଣ: ତାଲିମ ସମୟରେ ଦୈନିକ ୫୦୦ ଟଙ୍କା ଷ୍ଟାଇପେଣ୍ଡ୍‌

ଟୁଲ୍‌କିଟ୍ କିଣିବାକୁ ୧୫ ହଜାର ଟଙ୍କାର ଭାଉଚର

ବିନା ବନ୍ଧକ‌ରେ ବିଶ୍ବକର୍ମାଙ୍କୁ ଋଣ: ତାଲିମ ସମୟରେ ଦୈନିକ ୫୦୦ ଟଙ୍କା ଷ୍ଟାଇପେଣ୍ଡ୍‌

ନୂଆଦିଲ୍ଲୀ: ବିଶ୍ବକର୍ମା ପୂଜା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ ବିଶ୍ବକର୍ମା ସ୍କିମ୍ ଘୋଷଣା କରିଛନ୍ତି। ଏହି ସ୍କିମ୍‌ରେ ଦେଶର ୧୮ ପ୍ରକାର ‌ କୌଳିକ ବୃତ୍ତିର କାରିଗରମାନଙ୍କ ଲାଗି ବହୁ ସୁବିଧା ରହିଛି। ସେମାନଙ୍କୁ ବନ୍ଧକମୁକ୍ତ ଋଣଠାରୁ ଆରମ୍ଭ କରି ଟୁଲ୍‌କିଟ୍‌ କିଣିବାକୁ ଭାଉଚର, ମୌଳିକ ଓ ଉନ୍ନତ ତାଲିମ, ଡିଜିଟାଲ କାରବାରରେ ପ୍ରୋତ୍ସାହନ ଭଳି ସୁବିଧା ପ୍ରଦାନ କରାଯିବ। ଏହି ସ୍କିମ୍‌ରେ ପାଞ୍ଚ ବର୍ଷ ପାଇଁ ୧୩,୦୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସ୍କିମ୍ ଦ୍ବାରା ଦେଶର ୩୦ ଲକ୍ଷ ପରିବାର ଉପକୃତ ହେବେ।

ଏହି ସ୍କିମ୍‌ର ହିତାଧିକାରୀମାନଙ୍କୁ ପାଞ୍ଚରୁ ସାତ ଦିନିଆ ଦକ୍ଷତା ତାଲିମ ପ୍ରଦାନ କରାଯିବ। ତାଲିମ ସମୟରେ ସେମାନଙ୍କୁ ଦୈନିକ ୫୦୦ ଟଙ୍କାର ଷ୍ଟାଇପେଣ୍ଡ୍‌ ମିଳିବ। ଆଗ୍ରହୀ ହିତାଧିକାରୀମାନେ ୧୫ ଦିନିଆ ଉନ୍ନତ ତାଲିମରେ ମଧ୍ୟ ସାମିଲ ହୋଇପାରିବେ। କାମ କରିବା ଲାଗି ଆବଶ୍ୟକ ହେଉଥିବା ଉପକରଣ (ଟୁଲ୍‌କିଟ୍‌) କିଣିବା ଲାଗି ସେମାନଙ୍କୁ ୧୫ ହଜାର ଟଙ୍କାର ଭାଉଚର ଦିଆଯିବ। ବିନା ବନ୍ଧକରେ ହିତାଧିକାରୀମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ପ୍ରଥମ କିସ୍ତିରେ ଏକ ଲକ୍ଷ ଟଙ୍କା ଦିଆଯିବ। ଯଦି ‌ତାହାକୁ ସେମାନେ ୧୮ ମାସ ଭିତରେ ପରିଶୋଧ କରିବେ ତେବେ ଦ୍ବିତୀୟ କିସ୍ତି‌ରେ ସେମାନଙ୍କୁ ୫ ପ୍ରତିଶତ ସୁଧ‌ରେ ଆଉ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଡିଜିଟାଲ୍ କାରବାର ଉପରେ ମାସିକ ୧୦୦ ପର୍ଯ୍ୟନ୍ତ ଡିଜିଟାଲ କାରବାର ଲାଗି କାରବାର ପିଛା ୧ ଟଙ୍କାର ପ୍ରୋତ୍ସାହନ ଦିଆଯିବ।

କେବଳ ଜିଏସ୍‌ଟି ପଞ୍ଜୀକରଣ କରିଥିବା ଷ୍ଟୋର୍‌ରୁ ଭାରତୀୟ ଟୁଲ୍‌କିଟ୍‌ କିଣିବାକୁ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଲୋକମାନଙ୍କୁ ଆହ୍ବାନ ଦେଇ ପୂଜା ସମୟରେ ସ୍ଥାନୀୟ ସାମଗ୍ରୀ କିଣିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ଡାକ ଟିକଟ ଏବଂ କାରିଗରମାନଙ୍କ ଦ୍ବାରା ବିଭିନ୍ନ ଭାଷାରେ ଲେଖାଯାଇଥିବା ଟୁଲ୍‌କିଟ୍‌ ବୁକ୍‌ଲେଟ୍‌କୁ ସେ ଉନ୍ମୋଚନ କରିଛନ୍ତି। ବିଭିନ୍ନ ରାଜ୍ୟର କାରିଗରଙ୍କୁ ସେ ପିଏମ୍‌ ବିଶ୍ବକର୍ମା ସାର୍ଟିଫିକେଟ ପ୍ରଦାନ କରାଯିବ। ଗୁରୁ-ଶିଷ୍ୟ ପରମ୍ପରା ପ୍ରଦର୍ଶନୀକୁ ସେ ପରିଦର୍ଶନ କରିଥିବା ବେଳେ କାରିଗରମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ହାତରେ ଜିନିଷ ପତ୍ର ତିଆରି କରୁଥିବା ୧୮ ପ୍ରକାର ପାରମ୍ପରିକ କାରିଗର ଏହି ସ୍କିମ୍‌ରେ ସାମିଲ ହେବେ। ହିତାଧିକାରୀରଙ୍କ ବୟସ ପଞ୍ଜୀକରଣ ବେଳକୁ ୧୮ ବର୍ଷ ହୋଇଥିବା ଦରକାର। ପଞ୍ଜୀକରଣ ପରେ ସେମାନଙ୍କୁ ଏକ ସାର୍ଟିଫିକେଟ୍ ଓ ପରିଚୟପତ୍ର ପ୍ରଦାନ କରାଯିବ। ବଢ଼େଇ, ଡଙ୍ଗା କାରିଗର, କମାର, ହାମର ଓ ଟୁଲ୍‌କିଟ୍‌ ନିର୍ମାତା, ବଣିଆ, କୁମ୍ଭାର, ମୂର୍ତ୍ତିକାର, ପଥର ଭାଙ୍ଗୁଥିବା ବ୍ୟକ୍ତି, ତାଲା କାରିଗର, ମୋଚି, ରାଜମିସ୍ତ୍ରୀ, ବାସ୍କେଟ, ଆସନ, ଝାଡ଼ୁ, ନଡ଼ିଆ କତା, ପାରମ୍ପରିକ କଣ୍ଢେଇ ତିଆରି କରୁଥିବା ଲୋକ, ବାରିକ, ମାଳି, ରଜକ, ଦରଜି ଏବଂ ଜାଲ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ଏହି ସ୍କିମ୍‌ରେ ସାମିଲ କରାଯିବ।

ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପିଏମ୍‌ ବିଶ୍ବକର୍ମା ସ୍କିମ୍‌ର ହିତାଧିକାରୀଙ୍କ ଯାଞ୍ଚ ତିନିଟି ସ୍ତର ପଞ୍ଚାୟତ, ଜିଲ୍ଲାପାଳ ଓ ରାଜ୍ୟସ୍ତରରେ କରାଯିବ। ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ଲାଗି ଏକ କମିଟି ଗଠନ କରାଯିବ। ସେହିପରି, କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପିଏମ୍ ବିଶ୍ୱକର୍ମା ଅନ୍ତର୍ଗତ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲକିଟ୍ ପାଇଁ ଅର୍ଥ, କମ ସୁଧରେ ଋଣ ଆମର ବିଶ୍ୱକର୍ମାଙ୍କ ସାମର୍ଥ୍ୟ ଏବଂ ସମୃଦ୍ଧିକୁ ବଢାଇବ । ଶ୍ରମଜୀବୀଙ୍କୁ ସଶକ୍ତ କରାନଗଲେ ଭାରତର ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe