ମେକ୍ ଇନ୍ ଓଡ଼ିଶା ପାଇଁ ଇପିକଲ୍-ଫିକି ଏମ୍‌ଓୟୁ: ଅଗଷ୍ଟ ୮ରେ ଅହମଦାବାଦ ରୋଡ୍‌ ସୋ’

ବିଦେଶୀ ନିବେଶକଙ୍କ ଅଂଶଗ୍ରହଣ ଆଶା

ମେକ୍ ଇନ୍ ଓଡ଼ିଶା ପାଇଁ ଇପିକଲ୍-ଫିକି ଏମ୍‌ଓୟୁ: ଅଗଷ୍ଟ ୮ରେ ଅହମଦାବାଦ ରୋଡ୍‌ ସୋ’

ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମେକ୍ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ ପାଇଁ ଆଜି ଫେଡେରେସନ୍ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି) ଓ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଓ ନିବେଶ ନିଗମ (ଇପିକଲ୍‌) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଫିକିର ଡିଜି ଅରୁଣ ଚାୱଲା ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ଇପିକଲ୍‌ର ଏମ୍‌ଡି ଭୂପିନ୍ଦର ସିଂହ ପୁନିଆ ଓ ଫିକିର ଆସିଷ୍ଟାଣ୍ଟ୍‌ ସେକ୍ରେଟାରି ଜେନେରାଲ୍ ଓ ହେଡ୍‌ ଅଫ୍‌ ଷ୍ଟେଟ୍‌ ମୌସୁମୀ ଘୋଷ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଫିକିକୁ ଜାତୀୟ ଶିଳ୍ପ ସହଯୋଗୀ ଭାବେ ଗ୍ରହଣ କରାଯାଇଛି।

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣ (୨୦୧୬)ରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଓ ଦ୍ବିତୀୟ ସଂସ୍କରଣ(୨୦୧୮)ରେ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ସେଥି ମଧ୍ୟରୁ ୫୩% ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣରେ ସରକାର ଅଧିକ ନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥରର କନ୍‌କ୍ଲେଭ୍‌ ଓଡ଼ିଶାକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶର୍ମା କହିଛନ୍ତି ଯେ ନିବେଶକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲାଗି ନିକଟରେ ଦୁବାଇରେ ଏକ ନିବେଶକ ସମ୍ମିଳନୀ ହୋଇଥିଲା। ଆଗାମୀ ଦିନରେ ପ୍ରତି ମାସରେ ଏକ ରୋଡ୍‌ ସୋ’ ‌ମେଟ୍ରୋ ସହର ସମେତ ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକରେ ଆୟୋଜନ ଯୋଜନା ରହିଛି। ଆସନ୍ତା ଅଗଷ୍ଟ ୮ରେ ଅହମଦାବାଦ‌ରେ ଏକ ରୋଡ୍ ସୋ’ ଆୟୋଜନ କରାଯିବ। ବିଦେଶରେ ମଧ୍ୟ ରୋଡ୍ ସୋ’ ଆୟୋଜନ କରିବାର ସମ୍ଭାବନା ରହିଛି। ଏଥର କନ୍‌କ୍ଲେଭ୍‌ରେ କିଛି ବିଦେଶୀ ନିବେଶକ ମଧ୍ୟ ସାମିଲ ହୋଇପାରନ୍ତି। ୨୦୧୮ ସଂସ୍କରଣ ଭଳି ଏଥର ସଂସ୍କରଣରେ ମଧ୍ୟ ୩୦୦୦ରୁ ଅଧିକ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯିବାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଫିକିର ଡାଇରେକ୍ଟର ଜେନେରାଲ୍ ଶ୍ରୀ ଚାୱଲା ଓଡ଼ିଶାର ନିବେଶ ବାତାବରଣ ଓ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ରହିଥିବା ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ। ସହଜ ବ୍ୟବସାୟ ବାତାବରଣ ରୢାଙ୍କିଙ୍ଗ୍‌ରେ ଓଡ଼ିଶା ଆଚିଭର୍ସ ବର୍ଗରେ ରହିଥିବା ସେ ସୂଚନା ଦେଇଛନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି। ଫିକି ଏହାର ଅଭିଜ୍ଞତାର ଉପଯୋଗ କରି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌କୁ ସଫଳ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe