ମାଲ୍ୟାଙ୍କୁ ବ୍ରିଟେନ୍ ହାଇକୋର୍ଟରେ ଝଟ୍‌କା

Advertisment
ମାଲ୍ୟାଙ୍କୁ ବ୍ରିଟେନ୍ ହାଇକୋର୍ଟରେ ଝଟ୍‌କା

Image Courtesy of The Indian Wire

ଲଣ୍ଡନ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ୍ ହାଇକୋର୍ଟ ବଡ଼ ଧରଣର ଝଟ୍‌କା ଦେଇଛନ୍ତି। ଭାରତରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଉପରେ ଯେଉଁ ସୁରକ୍ଷା କବଚ ଥିଲା ତାହାକୁ କୋର୍ଟ ହଟାଇ ଦେଇଛନ୍ତି। ଫଳରେ ମାଲ୍ୟାଙ୍କ ବିରୋଧରେ ଆଇନଗତ ଲଢ଼େଇ ଲଢ଼ୁଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ ଭାରତୀୟ ବ୍ୟାଙ୍କଗୁଡ଼ିକର କନସୋର୍ଟିୟମ୍‌କୁ ଆଉ ଏକ ସଫଳତା ମିଳିଛି। ମାଲ୍ୟାଙ୍କ ଠାରୁ ଋଣ ରାଶି ଅସୁଲ କରିବା ପାଇଁ ସେମାନେ ଆଉ କିଛି ପାଦ ନିକଟତର ହୋଇଛନ୍ତି।

ଭାରତୀୟ ବ୍ୟାଙ୍କଗୁଡ଼ିକରୁ ୯୦୦୦ କୋଟି ଟଙ୍କାର ଋଣ ଠକେଇ କରି ମାଲ୍ୟା ଦେଶ ଛାଡ଼ି ପଳାଇଛନ୍ତି। ମାଲ୍ୟାଙ୍କ ବନ୍ଦ ହୋଇଯାଇଥିବା ବିମାନ କଂପାନି କିଙ୍ଗଫିସର ଏୟାରଲାଇନ୍ସ ପାଇଁ ଏହି ଋଣ ଦିଆଯାଇଥିଲା। ବ୍ରିଟେନ୍ ‌ହାଇକୋର୍ଟଙ୍କ ନିର୍ଦେଶ ପରେ ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କ ସମ୍ପତ୍ତି ଜବତ କରି ଋଣ ଅର୍ଥ ହାସଲ କରିପାରିବେ। ବ୍ରିଟେନ୍ ହାଇକୋର୍ଟର ଚିଫ ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ କଂପାନିଜ୍ କୋର୍ଟ (ଆଇସିସି)ର ବିଚାରପତି ମାଇକେଲ୍‌ ବ୍ରିଗ୍‌ସ ଭାରତୀୟ ବ୍ୟାଙ୍କଗୁଡ଼ିକର ଆବେଦନକୁ ଗ୍ରହଣ କରି ସେମାନଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ମାଲ୍ୟାଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ଭଳି କୌଣସି ସରକାରୀ ନୀତି ନଥିବା ବିଚାରପତି କହିଛନ୍ତି।

ଅପର ପକ୍ଷରେ ପ୍ରତ୍ୟର୍ପଣ ମାମଲାକୁ ମଧ୍ୟ କିଛି ମାସ ପୂର୍ବରୁ ମାଲ୍ୟା ହାରିସାରିଛନ୍ତି। ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ ନିକଟରେ ସେ ଆବେଦନ କରିଥିଲେ। ତାହା ମଧ୍ୟ ଖାରଜ ହୋଇଯାଇଛି। ଏହା ସତ୍ତ୍ବେ ତାଙ୍କ ଭାରତ ଫେରିବା ବିଳମ୍ବ ହେବ ବୋଲି କୁହାଯାଉଛି। ଭାରତ ନଫେରିବା ଲାଗି ମାଲ୍ୟା ସବୁ ପ୍ରକାର ପ୍ରୟାସ କରୁଛନ୍ତି। ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇ ଅଭିଯୋଗ ମଧ୍ୟ ରହିଛି। ଆଇନ ବିଶାରଦଙ୍କ କହିବାନୁସାରେ ବ୍ରିଟେନ୍‌ରେ ମାଲ୍ୟା କେସ୍‌ ଜିତିବାର କୌଣସି ସମ୍ଭାବନା ନାହିଁ। କିନ୍ତୁ ଆଇନରେ ଥିବା ବିଭିନ୍ନ ବାଟକୁ ବ୍ୟବହାର କରି ସେ ଆଉ କିଛି ଦିନ ସେଠାରେ ରହିପାରିବେ। ବ୍ରିଟେନ୍‌ରେ ସବୁଦିନ ପାଇଁ ରହିବାର ସବୁ ଆଇନଗତ ରାସ୍ତା ମାଲ୍ୟାଙ୍କ ଲାଗି ଏକପ୍ରକାର ବନ୍ଦ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe