ଅର୍ଥନୀତି ମାନ୍ଦାବସ୍ଥା ମୁହାଁ, ୪ କୋଟି ଚାକିରି ଛଡ଼ାଇ ନେଇଛନ୍ତି ମୋଦୀ: ମନମୋହନ

Advertisment
ଅର୍ଥନୀତି ମାନ୍ଦାବସ୍ଥା ମୁହାଁ, ୪ କୋଟି ଚାକିରି ଛଡ଼ାଇ ନେଇଛନ୍ତି ମୋଦୀ: ମନମୋହନ

The Financial Express

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି। ମୋଦୀ ସରକାର ଅର୍ଥନୀତିକୁ ଅତ୍ୟନ୍ତ ଖରାପ ପରିସ୍ଥିତିରେ ଛାଡ଼ି ଦେଇଛନ୍ତି। ସରକାରଙ୍କ ଆର୍ଥିକ ଦୃଷ୍ଟିକୋଣ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଛନ୍ତି। ଆସନ୍ନ ମାନ୍ଦାବସ୍ଥା ସମ୍ପର୍କରେ ପୂର୍ବାନୁମାନ କରି ସେ ସଦ୍ୟତମ ଅର୍ଥନୈତିକ ଅଭିବୃଦ୍ଧିର ସଂଖ୍ୟାକୁ ଅବତାରଣା କରିଛନ୍ତି। ମନମୋହନ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ଭାରତୀୟ ଅର୍ଥନୀତି ଆବଶ୍ୟକତାଠାରୁ ଅଧିକ ନିୟନ୍ତ୍ରିତ ହେଉଛି। ନିୟାମକ ସଂସ୍ଥା ଗୁଡ଼ିକ ଏବେ ନିୟନ୍ତ୍ରକରେ ରୂପାନ୍ତରିତ ହୋଇଛନ୍ତି।

ଏଥିସହିତ ଆର୍ଥିକ ନୀତିରେ ଅଦାଲତର ହସ୍ତକ୍ଷେପକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି। କଂଗ୍ରେସ ହୋଇଥିଲେ ଅର୍ଥନୀତିକୁ ଭିନ୍ନ ପ୍ରକାରରେ ପରିଚାଳିତ କରିଥାନ୍ତା ବୋଲି ମନମୋହନ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ଅର୍ଥନୀତିର ଡାଇନାମିକ୍ସକୁ ମୋଦୀ ସରକାର ବୁଝି ନପାରିବାରୁ ବା ଜ୍ଞାନ ନଥିବା କାରଣରୁ ବିମୁଦ୍ରୀକରଣ ଭଳି ହାନିକାରକ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ନିକଟରେ ପ୍ରକାଶିତ ମାସିକ ରିପୋର୍ଟ ଏବଂ ଜାନୁଆରି-ମାର୍ଚ ତ୍ରୟମାସର ଜିଡିପି ଅଭିବୃଦ୍ଧି ୬.୫%ରେ ରହିବା ନେଇ ସଂଶୋଧନ କରାଯାଇଥିବାରୁ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ସେ ଅଭିଯୋଗ କରିଛନ୍ତି। ଘରୋଇ ଖର୍ଚର ଅଭିବୃଦ୍ଧିରେ ହ୍ରାସ, ନିବେଶ ବୃଦ୍ଧି ଏବଂ ରପ୍ତାନିରେ ମନ୍ଥରତା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ବିମୁଦ୍ରୀକରଣ ସମ୍ଭବତଃ ସ୍ବାଧୀନ ଭାରତର ସବୁଠୁ ବଡ଼ ଦୁର୍ନୀତି ବା ସ୍କାମ୍ ବୋଲି ମନମୋହନ କହିଛନ୍ତି। ଦେଶର ଅର୍ଥନୀତିକୁ ଏହା ଶକ୍ତ ଆଘାତ ଦେଇଛି। ଏଥିଯୋଗୁ ଦେଶରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟି କୋଟି ଲୋକ ବେକାର ହୋଇଯାଇଛନ୍ତି। ଏତେ ବଡ଼ ସଂଖ୍ୟା ଗରିଷ୍ଠତା ସହିତ ଶାସନ କ୍ଷମତାରେ ବସାଇଥିବା ଲୋକଙ୍କ ପ୍ରତି ଏହା ଏକ ବିଶ୍ବାସଘାତ। ନିବେଶ ଆସୁଥିବା ନେଇ ସରକାର ନିଜର ଆତ୍ମପ୍ରଶଂସା କରୁଥିବାବେଳେ ବାସ୍ତବତା ହେଉଛି ଏଫଡିଆଇ ଅଭିବୃଦ୍ଧି ୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଟଙ୍କାର ଏସିଆର ସବୁଠୁ ଖରାପ ପ୍ରଦର୍ଶନକାରୀ ମୁଦ୍ରାରେ ପରିଣତ ହୋଇଛି। ଏସବୁ ଗମ୍ଭୀର ଚିନ୍ତାର ବିଷୟ ବୋଲି ମନମୋହନ କହିଛନ୍ତି। ପୂର୍ବ ସରକାର ଅର୍ଥନୀତିକୁ ଯେଉଁ ପଥରେ ନେଉଥିଲେ ମୋଦୀ ସରକାର ତାହା କରିଥିଲେ ଅର୍ଥନୀତି ଉଚ୍ଚ ଅଭିବୃଦ୍ଧି ପଥରେ ଯାଇଥାନ୍ତା ଏବଂ ଗତ ୫ ବର୍ଷ ମଧ୍ୟରେ ଦେଶରୁ ଦାରିଦ୍ର୍ୟ ଦୂର କରାଯାଇ ପାରିଥାନ୍ତା। ଏହା ନକରି ବିମୁଦ୍ରୀକରଣ ଭଳି ଅନାବଶ୍ୟକ ପଦକ୍ଷେପ ଏବଂ ତ୍ରୁଟିପୂର୍ଣ୍ଣ ଜିଏସଟିକୁ କାର୍ଯ୍ୟକାରୀ କରିଛନ୍ତି। ମୋଦୀ ଲୋକଙ୍କଠାରୁ ୪ କୋଟି ନିଯୁକ୍ତି ଛଡ଼ାଇ ନେଇ ସେମାନଙ୍କ ଭବିଷ୍ୟତ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ମନମୋହନ କହିଛନ୍ତି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଉପରେ ଉଭୟ ବିମୁଦ୍ରୀକରଣ ଏବଂ ଜିଏସଟିର ଡବଲ ଝଟ୍‌କା ଲାଗିଛି। ୨୦୧୮ରେ ଦେଶର ଶିଳ୍ପ ଅଭିବୃଦ୍ଧି ୪.୪୫% ରହିଛି। ଯାହାକି ଉପା ସରକାରଙ୍କ ୧୦ ବର୍ଷରେ ହାରାହାରି ୮.୩୫% ରହିଥିଲା। ସେହିଭଳି ୨୦୧୪ରୁ ୨୦୧୮ ମଧ୍ୟରେ ଜିଡିପିକୁ ମ୍ୟାନୁଫାକଚରିଂ କ୍ଷେତ୍ରର ଯୋଗଦାନ ମାତ୍ର ୦.୫% ବୃଦ୍ଧି ପାଇଥିବାବେଳେ କୃଷି ଅଭିବୃଦ୍ଧି ମୋଦୀ ସରକାରଙ୍କ ଅମଳରେ ଅତ୍ୟନ୍ତ ନଗଣ୍ୟ ରହିଛି ବୋଲି ମନମୋହନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe