ଚେତେଇ ଦେଲେ ମନମୋହନ: ୧୯୯୧ ତୁଳନାରେ ସ୍ଥିତି ଗମ୍ଭୀର

Advertisment

ପଛରେ ପଡ଼ିଛି ଶିକ୍ଷା ସ୍ବାସ୍ଥ୍ୟ

ପଛରେ ପଡ଼ିଛି ଶିକ୍ଷା ସ୍ବାସ୍ଥ୍ୟ

ବୁଧବାର ଅବସର ନେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ରାଜ୍ୟସଭାରେ ଏକ ଯୁଗର ଅବସାନ

ନୂଆଦିଲ୍ଲୀ : ୧୯୯୧ ମସିହା ତୁଳନାରେ ବର୍ତ୍ତମାନର ଅର୍ଥନୀତି ସ୍ଥିତି ଜଟିଳ ରହିଛି। ଆଗକୁ ଅର୍ଥନୀତି ପାଇଁ ପରିସ୍ଥିତି ଅଧିକ କଠିନ ରହିବ। ଏହା କହିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୧ ଆର୍ଥିକ ସଂସ୍କାରର ପ୍ରଣେତା ଡକ୍ଟର ମନମୋହନ ସିଂହ। ଏଥିପାଇଁ ସବୁ ଭାରତୀୟଙ୍କୁ ମର୍ଯ୍ୟାଦାଜନକ ଜୀବନ ବଞ୍ଚିବାର ସୁଯୋଗ ଦେବା ପାଇଁ ସରକାରଙ୍କୁ ତାଙ୍କ ଅଗ୍ରାଧିକାରଗୁଡ଼ିକୁ ପୁନଃବ୍ୟବସ୍ଥିତ କରିବାକୁ ହେବ ବୋଲି ମନମୋହନ କହିଛନ୍ତି। ଦେଶରେ ଆର୍ଥିକ ଉଦାରୀକରଣର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମନମୋହନ କହିଛନ୍ତି କରୋନା ମହାମାରୀକୁ ନେଇ ସେ ଗଭୀର ଭାବେ ଚିନ୍ତିତ ଅଛନ୍ତି। ମହାମାରୀ ଦ୍ବାରା ଲକ୍ଷାଧିକ ଭାରତୀୟଙ୍କ ଜୀବନ ଓ ଜୀବିକା ଯାଇଛି।

ତେବେ ୧୯୯୧ ‌ମସିହାରେ ସେ ଅର୍ଥମନ୍ତ୍ରୀ ଥିବା ସମୟର କଥା ମନେ ପକାଇଛନ୍ତି। ମନମୋହନ କହିଛନ୍ତି ସେହିବର୍ଷର ବଜେଟ୍ ଉପସ୍ଥାପନ ବେଳେ ଶେଷରେ ଭିକ୍ଟର ହ୍ୟୁଗୋଙ୍କ ଏକ ଉକ୍ତିକୁ ଉଦ୍ଧାର କରିଥିଲେ। ସେ କହିଥିଲେ ଯେଉଁ ଚିନ୍ତାଧାରାର ସମୟ ଆସିଯାଇଛି ତାହାକୁ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବ ନାହିଁ। ଏଥିସହିତ ଉଦାରୀକରଣର ୩୦ ବର୍ଷ ପରେ ମଧ୍ୟ ଆମକୁ ରବର୍ଟ ଫ୍ରଷ୍ଟଙ୍କ ସଂଗୀତ- ‘ବଟ୍‌ ଆଇ ହାଭ୍ ପ୍ରୋମିଜେସ୍‌ ଟୁ କିପ୍‌, ଆଣ୍ଡ୍‌ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍‌’ କୁ ମନେ ପକାଇବାକୁ ହେବ। ବର୍ତ୍ତମାନର ସମୟ ଆନନ୍ଦିତ ହେବାର ନୁହେଁ ବରଂ ଆତ୍ମନିରୀକ୍ଷଣର। ତେଣୁ ଆଗକୁ ରାସ୍ତା ଆହୁରି କଠିନ ବୋଲି ମନମୋହନ କହିଛନ୍ତି।

୩୦ ବର୍ଷ ପୂର୍ବେ ୧୯୯୧ ମସିହାର ଆଜିର ଦିନରେ କଂଗ୍ରେସ ଦଳ ଭାରତୀୟ ଅର୍ଥନୀତିରେ ଅନେକ ସଂସ୍କାର ଆଣିଥିଲା ଏବଂ ଦେଶର ଅର୍ଥନୀତି ପାଇଁ ଏହା ନୂଆ ରାସ୍ତା ପ୍ରସ୍ତୁତ କରିଥିଲା। ଭାରତୀୟ ଅର୍ଥନୀତିକୁ ୩ ଲକ୍ଷ କୋଟି ଡଲାରରେ ପହଞ୍ଚାଇ ବିଶ୍ବର ବୃହତ୍ ଅର୍ଥନୀତି କ୍ଲବରେ ସାମିଲ କରିବା ପାଇଁ ଗତ ୩ ଦଶନ୍ଧି ଧରି କ୍ଷମତାରେ ରହି ଆସିଥିବା ସରକାରମାନେ ଏହି ପଥକୁ ଅନୁସରଣ କରି ଆସିଛନ୍ତି। ଏହି ସମୟ ମଧ୍ୟରେ ଦେଶରେ ୩୦ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ପରିସର ବାହାରକୁ ଅଣାଯାଇଛି। ସେହିଭଳି ଅନେକ ଲକ୍ଷ ଯୁବକଙ୍କୁ ନୂଆ ନିଯୁକ୍ତି ମିଳିପାରିଛି। ବିଶ୍ବର ଶ୍ରେଣୀର କଂପାନି ସ୍ଥାପନ ହୋଇପାରିଛି ଏବଂ ଏଥିଯୋଗୁ ଭାରତ ଅନେକ କ୍ଷେତ୍ରରେ ବିଶ୍ବ ଶକ୍ତିରେ ପରିଣତ ହୋଇପାରିଛି।

୧୯୯୧ ମସିହାରେ ଆର୍ଥିକ ସଂସ୍କାର ଏକ ସଂକଟରୁ ଆରମ୍ଭ ହୋଇଥିଲା। କିନ୍ତୁ ସେହି ସଂସ୍କାର କେବଳ ସଂକଟ ପରିଚାଳନାରେ ସୀମିତ ନଥିଲା। ଲୋକଙ୍କ ଆଗକୁ ବଢ଼ିବାର ଅଭିଳାଷ ଉପରେ ଅର୍ଥନୈ‌ତିକ ସଂସ୍କାରର ଢାଞ୍ଚା ପ୍ରସ୍ତୁତ ହୋଇଥିଲା। କଂଗ୍ରେସ ଦଳରେ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ସଂସ୍କାର ପ୍ରକ୍ରିୟାରେ ସାମିଲ ହୋଇପାରିଥିବାରୁ ସେ ନିଜକୁ ଏଥିପାଇଁ ଭାଗ୍ୟବାନ ମନେ କରିଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ଦେଶ ହାସଲ କରିଥିବା ବିଶାଳ ଅର୍ଥନୈତିକ ପ୍ରଗତି ଆମକୁ ଅପାର ଆନନ୍ଦ ଦେଇଛି। କିନ୍ତୁ କୋଭିଡ୍‌-୧୯ ମହାମାରୀ ଦ୍ବାରା ଅର୍ଥନୀତି ପ୍ରତି ଯେଉଁ କ୍ଷତି ଘଟିଛି ଏବଂ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିବାରୁ ତାହା ତାଙ୍କୁ ଗଭୀର ଭାବେ ଦୁଃଖିତ କରିଛି ବୋଲି ସେ କହିଛନ୍ତି। ଅର୍ଥନୈତିକ ପ୍ରଗତି ସହ ତାଳ ଦେଇ ଦେଶର ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ର ଆଗକୁ ବଢ଼ିପାରି ନାହିଁ। ଅନେକ ଜୀବନ ଓ ଜୀବିକା ଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହିତ ଏହା ହେବାର ନଥିଲା ବୋଲି ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe