ଅଡ଼ୁଆରେ ଏମ୍‌ଡିଏଚ୍‌, ଏଭରେଷ୍ଟ ମସଲା

Advertisment

ବ୍ୟବହାର ପାଇଁ ଅସୁରକ୍ଷିତ: ରାଜସ୍ଥାନ

ବ୍ୟବହାର ପାଇଁ ଅସୁରକ୍ଷିତ: ରାଜସ୍ଥାନ

ଅଡ଼ୁଆରେ ଏମ୍‌ଡିଏଚ୍‌, ଏଭରେଷ୍ଟ ମସଲା

ନୂଆଦିଲ୍ଲୀ: ବିଦେଶ ମାଟିରେ ବିରୋଧ ସାମ୍ନା କରିଥିବା ଦେଶର ଦୁଇ ପ୍ରମୁଖ ମସଲା ବ୍ରାଣ୍ଡ ଏମ୍‌ଡିଏଚ୍‌ ଓ ଏଭରେଷ୍ଟ ପ୍ରତି ପୁଣି ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏଥର ଦେଶ ଭିତରେ ଏହି ଦୁଇ ସଂସ୍ଥାର ମସଲାକୁ ନେଇ ଆପତ୍ତି ଉଠିଛି। ଏମ୍‌ଡିଏଚ୍‌ ଓ ଏଭରେଷ୍ଟର କିଛି ମସଲା ଲୋକମାନଙ୍କ ବ୍ୟବହାର ଲାଗି ଅସୁରକ୍ଷିତ ବୋଲି ରାଜସ୍ଥାନ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

ଏହି ଦୁଇ କମ୍ପାନିର ମସଲାରେ କୀଟନାଶକ ଉପାଦାନ ଥିବା ଅଭିଯୋଗ କରି ଚଳିତ ବର୍ଷ ଏପ୍ରିଲ୍‌ରେ ହଂକଂ ପକ୍ଷରୁ ତାହାର ବିକ୍ରିକୁ ବାତିଲ କରାଯାଇଥିଲା। ମସଲାରେ ମିଶାଯାଉଥିବା ଏଥିଲିନ୍ ଅକ୍ସାଇଡ୍‌ କ୍ୟାନସର୍‌ର କାରଣ ହୋଇପାରେ ବୋଲି ହଂକଂ କହିବା ପରେ ବିଶ୍ବବ୍ୟାପୀ ଏହି ଦୁଇ କମ୍ପାନିର ମସଲାକୁ ଯାଞ୍ଚର ସାମ୍ନା କରିବାକୁ ପଡ଼ିଥିଲା। ସିଙ୍ଗାପୁର ପକ୍ଷରୁ ଏଭରେଷ୍ଟ ମିକ୍ସକୁ ବଜାରରୁ ପ୍ରତ୍ୟାହାର କରାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିଆରେ ମଧ୍ୟ ଦୁଇ କମ୍ପାନିର ମସଲାକୁ ଯାଞ୍ଚ କରାଯାଇଥିଲା। ଭାରତରୁ ଆସୁଥିବା ସବୁ ପ୍ରକାର ମସଲା ଉପରେ ଅଧିକ ନଜର ରଖିବାକୁ ବ୍ରିଟେନ୍ ନିଷ୍ପତ୍ତି ନେଇଥିଲା।

ଭାରତର ହେଉଛି ବିଶ୍ବର ସର୍ବବୃହତ ମସଲା ଉତ୍ପାଦନକାରୀ, ରପ୍ତାନିକାରୀ ଓ ବ୍ୟବହାରକାରୀ। ରାଜସ୍ଥାନ ସରକାର ଏଭରେଷ୍ଟ ଓ ଏମ୍‌ଡିଏଚ୍‌ର କିଛି ମସଲାର ନମୁନାକୁ ଯାଞ୍ଚ ପାଇଁ ସଂଗ୍ରହ କରିଥିଲେ। ପରୀକ୍ଷା ପରେ ସେଗୁଡ଼ିକ ବ୍ୟବହାର ଲାଗି ଅସୁରକ୍ଷିତ ଥିବା ଜଣାପଡ଼ିଛି। ସେବିଷୟରେ ରାଜସ୍ଥାନ ସରକାର ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ)କୁ ଅବଗତ କରିଛନ୍ତି। ଏମ୍‌ଡିଏଚ୍ ଓ ‌ଏଭରେଷ୍ଟର ମସଲାଗୁଡ଼ିକ ଗୁଜରାଟ ଓ ହରିୟାଣାରେ ତିଆରି ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏହି ଦୁଇ ରାଜ୍ୟକୁ କେନ୍ଦ୍ର ତରଫରୁ କୁହାଯାଇଥିବା ଚର୍ଚ୍ଚା ହେଉଛି। ଏଭରେଷ୍ଟ ଓ ଏମ୍‌ଡିଏଚ୍‌ ବ୍ରାଣ୍ଡ୍‌ ହେଉଛି ଦେଶର ଦୁଇ ପ୍ରମୁଖ ଓ ଲୋକପ୍ରିୟ ମସଲା ବ୍ରାଣ୍ଡ। କେବଳ ଭାରତ ନୁ‌ହେଁ, ୟୁରୋପ, ଏସିଆ ଓ ଉତ୍ତର ଆମେରିକାରେ ଏହାର ଗ୍ରହଣୀୟତା ରହିଛି। ଭାରତରେ ବାର୍ଷିକ ୧୦୪୪ କୋଟି ଡଲାରର ମସଲା ବିକ୍ରି ହେଉଥିବା ଜିଅନ୍ ମାର୍କେଟ୍‌ ରିସର୍ଚ୍ଚର ଏକ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe