ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ର ୧୩ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ୩୪ ହଜାରଟି ଗହଣାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜବତ କରାଯାଇଛି। ଏହି ସବୁ ଗହଣାର ମୂଲ୍ୟ ୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମେହୁଲଙ୍କ କଂପାନି ଗୀତାଞ୍ଜଳି ଗ୍ରୁପ୍ଠାରୁ ଏହି ସବୁ ଗହଣା ଜବତ କରାଯାଇଛି। ଏହି ସବୁ ଗହଣାଗୁଡ଼ିକୁ ଦୁବାଇରୁ ଆସିଥିଲା ଓ ମନି ଲଣ୍ଡରିଂ ନିୟମ ଆଧାରରେ ସେଗୁଡ଼ିକୁ ଜବତ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ମେହୁଲ୍ ଚୋକ୍ସି ଓ ତାଙ୍କ ଭଣଜା ନିରବ ମୋଦି ହେଉଛନ୍ତି ପିଏନ୍ବି ଠକେଇର ଦୁଇ ପ୍ରମୁଖ ଅଭିଯୁକ୍ତ। ସିବିଆଇ, ଇଡିଠାରୁ ଆରମ୍ଭ କରି ଅନ୍ୟ ଏଜେନ୍ସିଗୁଡ଼ିକ ତାଙ୍କ ବିରୋଧରେ ତଦନ୍ତ ଜାରି ରଖିଛନ୍ତି। ସିବିଆଇ ପକ୍ଷରୁ ଉଭୟ ମାମୁଁ ଓ ଭଣଜା ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଇଡି ପକ୍ଷରୁ ଖୁବ୍ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ। ସେଥିରେ ମନି ଲଣ୍ଡରିଂ କରିବାରେ ମେହୁଲ ଓ ନିରବ କେଉଁ ଭୂମିକା ଗ୍ରହଣ କରିିଥିଲେ ତାହା ବର୍ଣ୍ଣନା କରାଯିବ। ମେହୁଲ ଓ ନିରବ ଦେଶରୁ ପଳାୟନ କରିଛନ୍ତି। ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ ହେଉଛି।
ମେହୁଲ ଚୋକ୍ସିଙ୍କ ୩୪ ହଜାର ଗହଣା ଜବତ
Advertisment
Follow Us