ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରି ୩୧ ସୁଦ୍ଧା ୯ କୋଟିରୁ ଅଧିକ ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ କରିଛନ୍ତି। ଗତବର୍ଷ ତୁଳନାରେ ସେମାନଙ୍କ ସଂଖ୍ୟା ୬.୮ ପ୍ରତିଶତ ବଢ଼ିଛି। ମିଳିଥିବା ତଥ୍ୟ ଅନୁସାରେ ଦେଶରେ ୧ କୋଟି ଟଙ୍କାରୁ ଅଧିକ ଆୟ ଦେଖାଇଥିବା ଟିକସଦାତାଙ୍କ ସଂଖ୍ୟାରେ ୪୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦-୨୧ରେ ୧ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟା ୨.୨୪ କୋଟି ଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ସେମାନଙ୍କ ସଂଖ୍ୟା ୩.୨୧ କୋଟିରୁ ଅଧିକ ହୋଇଛି। ଏହି ସମାନ ସମୟରେ ମୋଟ ଆୟକରଦାତାଙ୍କ ସଂଖ୍ୟା ୮.୪୭ କୋଟିରୁ ବୃଦ୍ଧି ପାଇ ୯.୦୫ କୋଟି ହୋଇଛି।
ଆୟକରଦାତାଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧିର କିଛି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। କିନ୍ତୁ ଅତୀତରେ ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦେଇଥିବା ତଥ୍ୟ ଅନୁଯାୟୀ, ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ପାଇଁ ଆୟକର ରିଟର୍ଣ୍ଣରେ ବୃଦ୍ଧି ଘଟିଛି। ନୂଆ ଫର୍ମ୨୬ଏଏସ୍ରେ ଟିକସ କାଟ, ଉତ୍ସରୁ ଟିକସ ସଂଗ୍ରହ, ଦାବି ଓ ରିଫଣ୍ଡ୍ ଭଳି ତଥ୍ୟ ରହିଛି। ଲୋକମାନେ ଆଗୁଆ କାରବାର ସମ୍ପର୍କିତ ତଥ୍ୟ ଜାଣିପାରୁଥିବାରୁ ନିଜର ପ୍ରକୃତ ଆୟ ଜଣାଇବାକୁ କୁଣ୍ଠା ପ୍ରକାଶ କରୁନାହାନ୍ତି। ଇ-ଭେରିଫିକେସନ୍ ସ୍କିମ୍ ମଧ୍ୟ ଆୟକର ରିଟର୍ଣ୍ଣ ବଢ଼ାଇବାରେ ସହାୟକ ହୋଇଛି। କଳାଧନ ନିୟମ, ବେନାମି କାରବାର (ନିଷିଦ୍ଧ) ନିୟମରେ ସଂଶୋଧନ ଆଦି ଲାଗୁ କରାଯିବା ପରେ ସ୍ବେଚ୍ଛାକୃତ ଭାବେ ଆୟକର ରିଟର୍ଣ୍ଣ ଦାଖଲ ବଢ଼ିଥିବା ମନ୍ତ୍ରୀ କହିଛନ୍ତି।
Follow Us