ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କର୍ମଚାରୀ ପେନ୍ସନ୍ ସ୍କିମ୍ (ଇପିଏସ୍), ୧୯୯୫ରେ ସାମିଲ ଥିବା ସଦସ୍ୟମାନଙ୍କୁ ସର୍ବନିମ୍ନ ୩୦୦୦ ଟଙ୍କାର ପେନ୍ସନ୍ ପ୍ରଦାନ କରିବା ଉପରେ ବିଚାର କରାଯାଉଛି। ବର୍ତ୍ତମାନ ସର୍ବନିମ୍ନ ପେନ୍ସନ୍ ପରିମାଣ ଏକ ହଜାର ଟଙ୍କା ରହିଛି। ତାହାକୁ ମାସିକ ୩୦୦୦ ଟଙ୍କା କରିବାକୁ ଶ୍ରମିକ ସଂଗଠନଗୁଡ଼ିକ ଦାବି କରୁଛନ୍ତି। କେବଳ ସେତିକି ନୁହେଁ, ପେନ୍ସନ୍କୁ ମୁଦ୍ରାସ୍ଫୀତି ହାର ସହିତ ଲିଙ୍କ୍ କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି। ଏସବୁ ଦାବିଗୁଡ଼ିକ ଉପରେ ସରକାର ବିଚାର କରୁଛନ୍ତି। ପେନ୍ସନ୍ ବୃଦ୍ଧି ନିଷ୍ପତ୍ତି ଦୁଇଟି ବିଷୟ ଉପରେ ନିର୍ଭର କରୁଛି। ପ୍ରଥମଟି ହେଉଛି ଅତିରିକ୍ତ ଶ୍ରମ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଏକ ଉଚ୍ଚ ସ୍ତରୀୟ କମିଟିର ରିପୋର୍ଟକୁ ସରକାର ଅପେକ୍ଷା କରିଛନ୍ତି। ଏହା ଅକ୍ଟୋବର ସୁଦ୍ଧା ମିଳିଯିବ ବୋଲି ଅନୁମାନ କରାଯାଉଛି। ଦ୍ୱିତୀୟ ବିଷୟଟି ହେଉଛି ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ୨୧ଟି ରିଟ୍ ପିଟିସନ୍ ଦାଖଲ ହୋଇଛି। ସେସବୁ ମାମଲା ଉପରେ ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି ତାହାକୁ ମଧ୍ୟ ସରକାର ଅପେକ୍ଷା କରି ରହିଛନ୍ତି। କମିଟିର ରିପୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପେନ୍ସନ୍ ବୃଦ୍ଧି କରିବା ଉପରେ ସରକାର ବିଚାର କରିବେ। ଆଜି ରାଜ୍ୟସଭାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ ଏହି ସୂଚନା ପ୍ରଦାନ କରିଛନ୍ତି।
ସର୍ବନିମ୍ନ ପେନ୍ସନ୍ ୩ ହଜାର ଟଙ୍କା ହେବ
Advertisment
Follow Us