କୃଷି ମନ୍ତ୍ରଣାଳୟ ଆକଳନ: ୮ ବର୍ଷ ପରେ ଏଥର ଚାଉଳ ଉତ୍ପାଦନ କମିବ

Advertisment
କୃଷି ମନ୍ତ୍ରଣାଳୟ ଆକଳନ: ୮ ବର୍ଷ ପରେ ଏଥର ଚାଉଳ ଉତ୍ପାଦନ କମିବ

ନୂଆଦିଲ୍ଲୀ: ଆଠ ବର୍ଷ ପରେ ପ୍ରଥମ ଥର ଲାଗି ଦେଶରେ ଚାଉଳ ଉତ୍ପାଦନ ହ୍ରାସ ହେବା‌ ଭଳି ସ୍ଥିତି ସୃଷ୍ଟି ହୋଇଛି। ୨୦୨୩-୨୪ରେ ହାରାହାରି ବୃଷ୍ଟିପାତ ସ୍ବାଭାବିକ ଠାରୁ କମ୍ ରହିବା କାରଣରୁ ଧାନ ଚାଷ ପ୍ରଭାବିତ ହୋଇଛି। କିନ୍ତୁ ଗହମ ଚାଷ ସେଭଳି ପ୍ରଭାବିତ ହୋଇନାହିଁ। ସେଥିପାଇଁ ଗହମ ଉତ୍ପାଦନ ସାମାନ୍ୟ ୧.୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଦେଶ ଭିତରେ ଚାଉଳ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ଜୁଲାଇରେ ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏଭଳି ସ୍ଥଳେ ଭାରତ ଚାଉଳ ଉପରେ ନିର୍ଭରଶୀଳ ଥିବା ଦେଶଗୁଡ଼ିକର ସମସ୍ୟା ବଢ଼ିଯାଇଛି। ଚଳିତ ବର୍ଷର ଚାଉଳ ଉତ୍ପାଦନ ଯଦି ଆହୁରି କମ୍ ରହିବ ତେବେ ବିଶ୍ବ ବଜାରରେ ଚାଉଳ ଦାମ୍ ବେଲଗାମ ହୋଇପଡ଼ିବା ଆଶଙ୍କା ଦେଖାଦେଇଛି।

କୃଷି ଓ କୃଷକ ମନ୍ତ୍ରଣାଳୟ ଆକଳନ ଅନୁସାରେ ଜୁନ୍ ସୁଦ୍ଧା ଚାଉଳ ଉତ୍ପାଦନ ୧୨୩.୮ ନିୟୁତ ଟନ୍‌କୁ ହ୍ରାସ ପାଇବ। ସେହି ସମୟରେ ଗହମ ଉତ୍ପାଦନ ୧୧୨ ନିୟୁତ ଟନ୍‌ରେ ପହଞ୍ଚିବ। ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚାଉଳ ଉତ୍ପାଦନରେ ହ୍ରାସ ଦରବୃଦ୍ଧିର କାରଣ ହୋଇପାରେ ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ଦେଶ ଭିତରେ ଚାଉଳ ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଉପରେ ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ବିଶ୍ବ ବଜାର ପାଇଁ ଆଉ ଏକ ସମସ୍ୟା ହେଉଛି ଅନ୍ୟ ପ୍ରମୁଖ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ଯଥା ଥାଇଲ୍ୟାଣ୍ଡ, ଭିଏତନାମ, ପାକିସ୍ତାନ ଓ ମ୍ୟାମାରରେ ମଧ୍ୟ ମହଜୁଦ ଥିବା ଚାଉଳ ପରିମାଣ କମ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe