ମୋବାଇଲ୍‌ ସେବା: ନୂଆ ଗ୍ରାହକ ଯୋଡ଼ିବାରେ ଓଡ଼ିଶା ଦ୍ବିତୀୟ

Advertisment

ପ୍ରତି ୧୦୦ରେ ୭୮ ଜଣଙ୍କ ପାଖ‌ରେ ମୋବାଇଲ୍‌

ପ୍ରତି ୧୦୦ରେ ୭୮ ଜଣଙ୍କ ପାଖ‌ରେ ମୋବାଇଲ୍‌

ମୋବାଇଲ୍‌ ସେବା: ନୂଆ ଗ୍ରାହକ ଯୋଡ଼ିବାରେ ଓଡ଼ିଶା ଦ୍ବିତୀୟ

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍‌ରେ ସାରା ଦେଶରେ ୧୫ ଲକ୍ଷ ୭୩ ହଜାର ୪୪୧ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି। ସେଥିରୁ ୨,୯୬,୯୯୯ ଗ୍ରାହକ ଯୋଡ଼ିଛି ଓଡ଼ିଶା। ନୂଆ ଗ୍ରାହକ ସୃଷ୍ଟି କରିବାରେ ମହାରାଷ୍ଟ୍ର ପଛକୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଜୁନ୍‌ରେ ମହାରାଷ୍ଟ୍ରରେ ୩,୮୦,୫୨୯ ନୂଆ ଗ୍ରାହକ ସୃଷ୍ଟି ହୋଇଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

୨୦୨୪ ଜୁନ୍ ଶେଷ ସୁଦ୍ଧା ରାଜ୍ୟ‌ରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୧ ହଜାର ୬୧୫ରେ ପହଞ୍ଚିଛି। ସେଥିରୁ ସର୍ବାଧିକ ୧ କୋଟି ୫୭ ଲକ୍ଷ ୬୫ ହଜାର ୬୦୩ ଗ୍ରାହକ ରିଲାଏନ୍ସ ଜିଓ ପାଖରେ ରହିଛି। ଏହା ପଛକୁ ୧ କୋଟି ୧୬ ଲକ୍ଷ ୮୧ ହଜାର ୩୭୦ ଗ୍ରାହକ ଭାରତୀ ଏୟାରଟେଲ୍‌ ପାଖରେ ରହିଛନ୍ତି। ସରକାରୀ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପାଖ‌ରେ ରାଜ୍ୟର ୫୩ ଲକ୍ଷ ୨୬ ହଜାର ୩୮୭ ଗ୍ରାହକ ଥିବା ବେଳେ ଭୋଡାଫୋନ୍ ଆଇଡିଆ ପାଖରେ ୧୩ ଲକ୍ଷ ୯୮ ହଜାର ୨୫୫ ଗ୍ରାହକ ରହିଛନ୍ତି।
ଟ୍ରାଇ ତଥ୍ୟ କହୁଛି, ଚଳିତ ବର୍ଷ ଜୁନ୍‌ରେ ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ୨ ୭୨,୭୫୯ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭାରତୀ ଏୟାରଟେଲ୍‌ ୫୦,୨୪୧ ଗ୍ରାହକଙ୍କୁ ନିଜ ନେଟ୍‌ୱର୍କରେ ସାମିଲ କରିଛି। ଏହି ସମୟରେ ଅନ୍ୟ ଦୁଇ ଅପରେଟର ‌ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଓ ଭୋଡାଫୋନ୍‌ ଆଇଡିଆର ପୁରୁଣା ଗ୍ରାହକ ହରାଇବା ଧାରା ଜାରି ରହିଛି। ଭୋଡାଫୋନ୍ ଆଇଡିଆ ୧୮,୧୫୯ ଗ୍ରାହକଙ୍କୁ ହରାଇଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୭୮୪୨ ଜଣ ଗ୍ରାହକଙ୍କୁ ହରାଇଛି।

ଅଧିକ ସଂଖ୍ୟାରେ ନୂତନ ଗ୍ରାହକ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ଟେଲି ସାନ୍ଧ୍ରତା ୭୮.୦୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ହାରାହାରି ଭାବେ ରାଜ୍ୟ‌ରେ ପ୍ରତି ୧୦୦ ଲୋକଙ୍କ ମଧ୍ୟରୁ ୭୮ ଜଣଙ୍କ ପାଖରେ ଟେଲିଫୋନ୍ ସଂଯୋଗ ରହିଛି। ଏଭଳି ପ୍ରଦର୍ଶନ ସତ୍ତ୍ବେ ଟେଲିକମ୍ ସେବାକୁ ରାଜ୍ୟର ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଓଡ଼ିଶାକୁ ଆହୁରି ଅନେକ ଦୂର ଯିବାକୁ ପଡ଼ିବ। କାରଣ ଜାତୀୟ ଟେଲି ସାନ୍ଧ୍ରତା ୮୯.୯୫ ପ୍ରତିଶତଠାରୁ ଓଡ଼ିଶା ବହୁ ପଛ‌ରେ ରହିଛି। କେବଳ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଆସାମଠାରୁ ଓଡ଼ିଶା ଭଲ ସ୍ଥିତିରେ ଅଛି। ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ପଞ୍ଜାବ, ହିମାଚଳପ୍ରଦେଶ, କେରଳ ଓ ଦିଲ୍ଲୀରେ ଜନସଂଖ୍ୟାଠାରୁ ମୋବାଇଲ୍‌ ସଂଯୋଗ ସଂଖ୍ୟା ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe