ସୁସ୍ଥ ଭାରତ ପାଇଁ ମୋଦୀ ଟିକା

କେନ୍ଦ୍ରୀୟ ବଜେଟ୍‌ -୨୦୨୨: ଶ୍ରୁତିମଧୁର ଶବ୍ଦରେ ବିକାଶର ସ୍ୱପ୍ନ ସମ୍ଭବ?

ନୂଆଦିଲ୍ଳୀ : କରୋନା ଯୋଗୁଁ ଗତବର୍ଷ ଲକ୍ଷାଧିକ ଲୋକ ପ୍ରାଣ ହରାଇଲେ। ଭାରତର ଅର୍ଥନୈତିକ ଅବସ୍ଥା ମଧ୍ୟ ଦୋହଲିଗଲା। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ତୃତୀୟ ବଜେଟରେ ଉଦ୍ୟମ କରିଛନ୍ତି। କରୋନା ଭଳି ମହାମାରୀ ଯୋଗୁଁ ‌ଭବିଷ୍ୟତରେ ଲୋକେ ଯେମିତି ବିପଦରେ ନପଡ଼ନ୍ତି ଏବଂ ଅର୍ଥ ବ୍ୟବସ୍ଥା କିପରି ସୁରକ୍ଷିତ ରହିବ ତାହାକୁ ଦୃଷ୍ଟି ରଖିଛନ୍ତି। ଆଜି ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ତାଙ୍କ ଦ୍ବାରା ଉପସ୍ଥାପିତ ବଜେଟରୁ ଏହି ସଙ୍କେତ ମିଳିଛି। ସ୍ବାସ୍ଥ୍ୟ ଏବଂ ଭିତ୍ତିଭୂମିକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟବରାଦକୁ ଦୁଇଗୁଣା କରି ଦିଆଯାଇଛି। ଏଥିପାଇଁ ଧାର୍ଯ୍ୟ ୨ ଲକ୍ଷ ୨୩ ହଜାର ୮୪୬ କୋଟି ଟଙ୍କା ମଧ୍ୟରୁ ୩୫ ହଜାର କୋଟି କେବଳ କୋଭିଡ୍ ଟିକା ପାଇଁ ଖର୍ଚ ହେବ। ସେହିଭଳି ଅର୍ଥନୀତିକୁ ଗତିଶୀଳ କରିବା ଲାଗି ପୁଞ୍ଜି ଖର୍ଚ୍ଚ ବାବଦରେ ଗତବର୍ଷ ତୁଳନାରେ ୩୪ ଭାଗ ଅଧିକ ବ୍ୟୟବରାଦ କରାଯାଇ ୫ ଲକ୍ଷ ୫୪ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଭାରତକୁ ସୁସ୍ଥ ରଖିବା ଲାଗି ବଜେଟରେ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରର ଝଲକ ଦେଖିବାକୁ ମିଳୁଛି।

ତେବେ ଏହି ବଜେଟକୁ ନେଇ ମଧ୍ୟବିତ୍ତ ଶ୍ରେଣୀ ଏବଂ ବିଶେଷ କରି ବେତନଭୋଗୀ ନିରାଶ ହୋଇଛନ୍ତି। କରୋନା ଏବଂ ଲକ୍‌ଡାଉନ୍ ଯୋଗୁଁ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇ କର୍ମଚାରୀମାନେ ବ୍ୟକ୍ତିଗତ ଆୟକର ଛାଡ଼ସୀମାରେ ରିହାତି ପାଇବା ଲାଗି ଆଶା ବାନ୍ଧି ବସିଥିଲେ। କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାରୁ ମୁକ୍ତ କରାଯାଇଛି। ଅନ୍ୟପକ୍ଷରେ ସରକାର ଅନେକ ସାମଗ୍ରୀ ଉପରେ କୃଷି ସେସ୍ ବୋଝ ଲଦି ଦେଇଛନ୍ତି। ସେଥିମଧ୍ୟରେ ପେଟ୍ରୋଲ ଓ ଡିଜେଲ ରହିଛି। ପେଟ୍ରୋଲ ଉପରେ ଲିଟର ପିଛା ୨ ଟଙ୍କା ୫୦ ପଇସା ଏବଂ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କା ସେସ୍ ବସାଯାଇଛି। ତେବେ ଏହାର ପ୍ରଭାବ ତତକ୍ଷଣାତ ଗ୍ରାହକମାନଙ୍କ ଉପରେ‌ ପଡ଼ିବ ନାହିଁ।

ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଗୋଟିଏ ବୀମା କଂପାନିର ଘରୋଇକରଣ କରିବାକୁ ପ୍ରସ୍ତାବ ରହିଥିବା ବେଳେ ବୀମା କ୍ଷେତ୍ରରେ ବି‌େଦଶୀ ପୁଞ୍ଜି ବିନିଯୋଗ ସୀମା ୪୯ ଭାଗରୁ ୭୪ ଭାଗକୁ ବୃଦ୍ଧି କରାଯାଇଛି। ବ୍ୟାଙ୍କ ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ସରକାରୀ ବ୍ୟାଙ୍କଗୁଡ଼ିକୁ ଆଗାମୀ ଆର୍ଥିକ ବର୍ଷ ଲାଗି ୨୦ ହଜାର କୋଟି ଟଙ୍କା ଦିଆଯାଇଛି। କୃଷି ଋଣ ପରିମ‌ାଣ ବୃଦ୍ଧି କରିବା ଲାଗି ୨୦୨୧-୨୨ ବର୍ଷ ପାଇଁ ୧୬ ଲକ୍ଷ ୫୦ ହଜାର କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି। ଏହାସହିତ ଅର୍ଥ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମ୍‌ଏସ୍‌ପି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ।

publive-image

ମୁଖ୍ୟାଂଶ
୩୪,୮୩,୨୩୬ କୋଟିର ବଜେଟ୍‌
ସ୍ବାସ୍ଥ୍ୟସେବାରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା
ଆୟକର ଛାଡ଼ ସୀମାରେ କୌଣସି ପରିବର୍ତନ ନାହିଁ
୭୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଆୟକର ରିଟର୍ଣ୍ଣ ଦାଖଲରୁ ମୁକ୍ତି
ସୁଲଭ ବାସଗୃହ ପ୍ରକଳ୍ପ ରିହାତି ମିଆଦ ଆଉ ଏକ ବର୍ଷ ବଢ଼ିଲା
ବିଭିନ୍ନ ସାମଗ୍ରୀ ଉପରେ ଲାଗିଲା କୃଷି ସେସ୍
ପେଟ୍ରୋଲ ଉପରେ ଲିଟର ପିଛା ୨.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୪ ଟଙ୍କା
୨ ସରକାରୀ ବ୍ୟାଙ୍କ, ଗୋଟିଏ ଜେନେରାଲ ବୀମା କଂପାନି ଘରୋଇକରଣ ପ୍ରସ୍ତାବ
ବୀମା କ୍ଷେତ୍ର‌ରେ ବିଦେଶୀ ପୁଞ୍ଜି ନିବେଶ ସୀମା ୪୯ରୁ ୭୪%କୁ ବୃଦ୍ଧି
ସୁନା ଏବଂ ରୁପା ଉପରୁ ଶୁଳ୍କ କମିଲା, ଶସ୍ତା ହେବ
ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ଖୋଲିବ
ଆଦିବାସୀ ଅଞ୍ଚଳରେ ୭୫୦ଟି ଏକଲବ୍ୟ ସ୍କୁଲ ଖୋଲିବ
ପାରାଦୀପ‌ରେ ହେବ ମାଛଧରା ପୋତାଶ୍ରୟ
ପୁରୁଣା ଏବଂ ଅଯୋଗ୍ୟ ଗାଡ଼ିକୁ ହଟାଇବା ଲାଗି ନୂଆ ସ୍କ୍ରାପିଂ ନୀତି
ପଶ୍ଚିମ ବଙ୍ଗ, କେରଳ, ତାମିଲନାଡ଼ୁ ଏବଂ ଆସାମ ନିର୍ବାଚନ ପାଇଁ ଅଧିକ ସଡ଼କ ଓ ଭିତ୍ତିଭୂମି ବାବଦରେ ବ୍ୟୟବରାଦ
ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ଲାଭ ଆଉ କୋଟିଏ ଲୋକଙ୍କୁ ମିଳିବ

ଏହି ବଜେଟ୍‌ ଆତ୍ମନିର୍ଭର ଭାରତର ବଜେଟ୍‌ ଏବଂ ଏହା ଦେଶର ଅାତ୍ମବିଶ୍ବାସ ବଢ଼ାଇବ। ମହାମାରୀ ବିରୋଧରେ ଲଢ଼ିବା ଦିଗରେ ଦେଶ ପାଇଁ ସହାୟକ ହେବ। ଏହି ବଜେଟ୍‌ ଯୁବ ବର୍ଗଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ସହ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ସୁଧାର ଆଣିବା ଦିଗରେ ସହାୟକ ହୋଇପାରିବ। ଦେଶର କୃଷି କ୍ଷେତ୍ରକୁ ଅଧିକ ସଂଗଠିତ କରିବା ‌ଏବଂ ଶକ୍ତି ଦେବା ପାଇଁ ଏହି ବଜେଟ୍‌ ନିର୍ଣ୍ଣାୟକ ଭୂମିକା ନେବ। ଆର୍ଥିକ ସ୍ଥିରତା ପ୍ରତି ଦାୟିତ୍ବକୁ ଦୃଷ୍ଟିରେ ରଖି ବଜେଟ୍‌ ଆକାର ବଢ଼ାଇବାକୁ ଗୁରୁତ୍ବ ଦେଇଛନ୍ତି ଏବଂ ଲୋକଙ୍କ ଉପରେ ବୋଝ ପଡ଼ିନାହିଁ।
ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

କେନ୍ଦ୍ର ବଜେଟ୍‌ରେ ପୁଞ୍ଜି ବ୍ୟୟକୁ ପ୍ରାଧାନ୍ୟ, ଡେଭଲପମେଣ୍ଟ ଫାଇନାନ୍ସିଆଲ୍ ଇନଷ୍ଟିଚ୍ୟୁସନ ଆରମ୍ଭ, କୋଭିଡ୍‌ ଟିକା ପାଇଁ ପାଣ୍ଠି ପ୍ରଦାନ, ଶିଳ୍ପ ଓ ଅନ୍ୟ କ୍ଷେତ୍ରଭିତ୍ତିକ ପଦକ୍ଷେପ ସ୍ବାଗତଯୋଗ୍ୟ। ଅଭିବୃଦ୍ଧିକୁ ଉପରକୁ ନେବା ପାଇଁ ବିତ୍ତୀୟ ନିଅଣ୍ଟକୁ ଧ୍ୟାନ ‌ନଦେବା ଏକ ଭଲ ନିଷ୍ପତ୍ତି। ସେହିଭଳି ‘ଆତ୍ମନିର୍ଭର ଭାରତ’ ପାଇଁ ମଧ୍ୟମରୁ ଦୀର୍ଘମିଆଦୀ ଦୃଷ୍ଟିକୋଣ ମଧ୍ୟ ପ୍ରଶଂସନୀୟ। ତେବେ ଅନ୍ୟ ରାଜ୍ୟ ଭଳି ଯେଉଁ ଯୋଜନା ରେଳ ଓ ରାଜପଥ ବିକାଶ ପାଇଁ କରାଯାଇଛି ଓଡ଼ିଶା ପାଇଁ ମଧ୍ୟ ତାହା ଆବଶ୍ୟକ ଥିଲା। ସାମାଜିକ ସହାୟତା କାର୍ଯ୍ୟକ୍ରମ ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରାଯିବାର ଆବଶ୍ୟକତା ରହିଥିଲା। ପେଟ୍ରୋଲ ଓ ଡିଜେଲ ଉପରେ ‌ସେସ୍‌ ଲଗାଇ କେନ୍ଦ୍ର ରାଜ୍ୟ ଆର୍ଥିକ ସନ୍ତୁଳନକୁ ଦୁର୍ବଳ କରି ଦିଆଯାଇଛି।
ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

ବଜେଟ୍‌ରେ କେବଳ ଧନୀଙ୍କୁ ଅଧିକ ଫାଇଦା ଦେବାପାଇଁ ବ୍ୟବସ୍ଥା ହୋଇଛି। ବଜେଟ୍‌ରେ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ଯେ ଲୋକଙ୍କ ହାତକୁ ଆଉ ନଗଦ ଯିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ପୁଂଜିପତି ବନ୍ଧୁମାନେ ହିଁ ଉପକୃତ ହେବେ।
ରାହୁଲ ଗାନ୍ଧୀ, ‌କଂଗ୍ରେସ ନେତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe