ଟଙ୍କା ପୁଣି ଦୁର୍ବଳ, ୮୦ ଟଙ୍କା ମୁହାଁ ଡଲାର

Advertisment
ଟଙ୍କା ପୁଣି ଦୁର୍ବଳ, ୮୦ ଟଙ୍କା ମୁହାଁ ଡଲାର

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନା‌ରେ ଆଜି ଟଙ୍କା ପୁଣି ଦୁର୍ବଳ ହୋଇ ୭୯ ଟଙ୍କା ୪୮ ପଇସା ସ୍ତରକୁ ଖସିଯାଇଛି। ବିଶ୍ବ ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ଥିବା ବେଳେ ଭାରତ ଷ୍ଟକ ବଜାରରେ ଅବସ୍ଥା ମାନ୍ଦା ରହୁଛି। ତେଣୁ ନିବେଶକମାନେ ଅଧିକ ଲାଭ ପାଇବା ଆଶାରେ ଭାରତରୁ ଡଲାର ଉଠାଇ ବିଶ୍ବ ବଜାରରେ ନିବେଶ କରୁଛନ୍ତି। ଫଳରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ତେବେ ଅଶୋଧିତ ତୈଳ ଦରରେ ହ୍ରାସ ଯୋଗୁଁ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ସମ୍ଭବ ହେବ ବୋଲି କୁହାଯାଉଛି।

ସୋମବାର ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ୮୭ ପଏଣ୍ଟ୍‌ ହ୍ରାସ ପାଇ ୫୪,୩୯୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୪ ପଏଣ୍ଟ୍‌ ହ୍ରାସ ପାଇଛି। ଷ୍ଟକ ବଜାର କାରବାରର ଏହି ଦୁର୍ବଳ ସ୍ଥିତି ଟଙ୍କାକୁ ତଳମୁହାଁ କରିଥିଲା। କିନ୍ତୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୫.୪୯ ଡଲାରକୁ ହ୍ରାସ ପାଇବା ଯୋଗୁଁ ଟଙ୍କାକୁ କିଛିଟା ବଳ ମିଳିଥିଲା। ଗତ ଶୁକ୍ରବାର ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ୧୦୯.୩୧ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଚଳିତ ମାସରେ ସେମାନେ ୪୦୦୦ କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି। ତାହା ମଧ୍ୟ ଡଲାର ତୁଳନାରେ ଟଙ୍କାକୁ ଦୁର୍ବଳ କରୁଛି। ଯେବେ‌ଠାରୁ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାର ବୃଦ୍ଧି କରିଛି ସେବେଠାରୁ ଡଲାର ଅନ୍ୟ ବିନିମୟ ମୁଦ୍ରା ତୁଳନାରେ ସବଳ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe