ଆହୁରି ଦୁର୍ବଳ ହେଲା ଟଙ୍କା: ସରକାରଙ୍କୁ ଘେରିଲା କଂଗ୍ରେସ

Advertisment
ଦରିଦ୍ର ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ସରକାରଙ୍କ ବିଚାରାଧୀନ ନାହିଁ

Zee News

ନୂଆଦିଲ୍ଲୀ: ଦରଦାମ୍ ଉପରେ ନିୟନ୍ତ୍ରଣ ହାସଲ ଲାଗି ଆମେରିକା ସୁଧ ହାରରେ ୦.୭୫% ବୃଦ୍ଧି କରିବା ପରେ ଡଲାର ଅତ୍ୟନ୍ତ ଶକ୍ତିଶାଳୀ ହୋଇପଡ଼ିଛି। ଏହା ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇ ୮୧ ଟଙ୍କା ସ୍ତରକୁ ଖସିଯାଇଥିଲା। ଏକ ସମୟରେ ଡଲାର ଦାମ୍ ୮୦ ଟଙ୍କା ୯୫ ପଇସା ଥିଲା। ତେବେ ମୁଦ୍ରା‌ ବିନିମୟ ବଜାର ବନ୍ଦ ହେବା ବେଳକୁ ସେଥିରେ ସୁଧାର ଘଟିଥିଲା ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୦ ଟଙ୍କା ୮୬ ପଇସାରେ ବନ୍ଦ ହୋଇଛି। ବୁଧବାର ମୂଲ୍ୟ ତୁଳନାରେ ଟଙ୍କା ୯୯ ପଇସା ଦୁର୍ବଳ ହୋଇଛି। ଗତ ସାତ ମାସ ଭିତରେ ଟଙ୍କା ମୂଲ୍ୟରେ ଏହା ହେଉଛି ଦୈନିକ ସର୍ବାଧିକ ହ୍ରାସ।

କୌଣସି ଦେଶର ବିନିମୟ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାକୁ ବଡ଼ ଧରଣର ଅର୍ଥନୈତିକ ସଙ୍କଟ ଭାବେ ବିଚାର କରାଯାଉଛି। ଏହା ଦ୍ବାରା ଆମଦାନି ପାଇଁ ଅଧିକ ଡଲାର ଗଣିବାକୁ ପଡ଼େ ଯାହା ଦେଶରେ ଦରଦାମ୍‌ ବୃଦ୍ଧିର କାରଣ ହୋଇଥାଏ। ଦ୍ବିତୀୟ ବିଦେଶ ଗସ୍ତ, ଭ୍ରମଣ, ଛୁଟି କଟାଇବା ଆଦି ଲାଗି ଅଧିକ ଟଙ୍କା ଯୋଗାଡ଼ କରିବାକୁ ହୁଏ। ପିଲାମାନଙ୍କୁ ବିଦେଶରେ ପାଠପଢ଼ାଉଥିବା ଅଭିଭାବକମାନଙ୍କୁ ମଧ୍ୟ ଅଧିକ ଟଙ୍କା ପଠାଇବାକୁ ପଡ଼ିଥାଏ। ଆମେରିକା ସୁଧ ହାର ବଢ଼ାଇବା ଓ ଭୂ-ରାଜନୈତିକ ସଙ୍କଟ ପ୍ରଭାବରେ ଡଲାର ଶକ୍ତିଶାଳୀ ହେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବହୁ ମାନଦଣ୍ଡରେ ଭାରତୀୟ ଅର୍ଥନୀତି ଦୃଢ଼ ଥିଲେ ମଧ୍ୟ ଏହି ସମସ୍ୟା ଆଗାମୀ କିଛି ଦିନ ପାଇଁ ଲାଗି ରହିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। କିଛି ଦିନ ଭିତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ଟଙ୍କା ୪୦ ପଇସା ସ୍ତରକୁ ଖସିଯିବାର ଆଶଙ୍କା ରହିଛି। ଐତିହାସିକ ୮୧ ଟଙ୍କା ସ୍ତର ଟପିବାର ଅତ୍ୟନ୍ତ ନିକଟତର ହୋଇଛି ଟଙ୍କା।

ଚଳିତ ବର୍ଷର ଅଧିକାଂଶ ସମୟରେ ଟଙ୍କା ମୂଲ୍ୟ ଅସ୍ଥିର ରହିଛି। ଡଲାର ତୁଳନାରେ ଏହାକୁ ଶକ୍ତିଶାଳୀ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ହସ୍ତକ୍ଷେପ କରୁଛନ୍ତି। ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର‌ରୁ ଡଲାର ବାହାର କରି କମ୍‌ ଦାମ୍‌ରେ ବିକ୍ରି କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ହେଉଛି। ଚଳିତ ବର୍ଷ ମାର୍ଚ୍ଚରେ ୟୁକ୍ରେନ୍ ଉପରେ ଆମେରିକା ଆକ୍ରମଣ କରିବା ପରଠାରୁ ଦୁର୍ବଳ ଟଙ୍କାକୁ ସବଳ କରିବା ଲାଗି ରିଜର୍ଭ ବ୍ୟାଙ୍କ ୮୦୦୦ କୋଟି ଡଲାର ବ୍ୟବହାର କରିସାରିଲାଣି। କେବଳ ଆମେରିକା ନୁହେଁ ଦରଦାମ୍ ସ୍ଥିତିର ମୁକାବିଲା ଲାଗି ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଓ ନରୱେର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁଧ ବଢ଼ାଇଛନ୍ତି।

ସରକାରଙ୍କୁ ଘେରିଲା କଂଗ୍ରେସ
ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ରେକର୍ଡ ମୂଲ୍ୟ ହ୍ରାସକୁ ନେଇ ସରକାରଙ୍କୁ ଘେରିଛି ବିରୋଧୀ ଦଳ କଂଗ୍ରେସ। ଅଶୋଧିତ ତେଲ ସମେତ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ମହଙ୍ଗା ହେବ। ଫଳରେ ଦେଶର ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକମାନେ ପ୍ରଭାବିତ ହେବେ ବୋଲି କଂଗ୍ରେସ କହିଛି। ଅଗଷ୍ଟ ୨୨ରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତିକୁ କଂଗ୍ରେସ ଦୋଷାରୋପ କରିଛି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ ଏକ ବିଲିଅନ ଡଲାର ପର୍ଯ୍ୟନ୍ତ ଭାରତୀୟ ଟଙ୍କାକୁ ବିଦେଶୀ ମୁଦ୍ରାରେ ପରିଣତ କରିବ ହେବ। ଏହା ନିଆଁକୁ ଇନ୍ଧନ ଯୋଗାଇବା ଭଳି କାର୍ଯ୍ୟ କରିଛି ବୋଲି କଂଗ୍ରେସର ପ୍ରବକ୍ତା ଗୌରବ ବଲ୍ଲଭ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe