ସର୍ତ୍ତ କୋହଳ: ଅଧିକ ଲୋକ ପାଇବେ କୋଭିଡ୍‌ ରିଲିଫ୍ ସହାୟତା

Advertisment

ଉପକୃତ ହେବେ ଇଏସ୍‌ଆଇସି ସଦସ୍ୟ, ପ୍ରତି ମାସରେ ମିଳିବ ମୃତକଙ୍କ ଶେଷ ବେତନର ୯୦%

ଉପକୃତ ହେବେ ଇଏସ୍‌ଆଇସି ସଦସ୍ୟ, ପ୍ରତି ମାସରେ ମିଳିବ ମୃତକଙ୍କ ଶେଷ ବେତନର ୯୦%

ସର୍ତ୍ତ କୋହଳ: ଅଧିକ ଲୋକ ପାଇବେ କୋଭିଡ୍‌ ରିଲିଫ୍ ସହାୟତା

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ‌କିଛି ପରିବାର ଆୟକାରୀ ସଦସ୍ୟଙ୍କୁ ହରାଇ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ଲାଗି ସରକାରଙ୍କ ବ୍ୟତୀତ ଅନ୍ୟ କେତେକ ବିଭାଗ ମଧ୍ୟ ନୂଆ ରିଲିଫ୍‌ ସ୍କିମ୍ ଲାଗୁ କରିଥିଲେ। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ କୋଭିଡ୍‌-୧୯ ରିଲିଫ୍‌ ସ୍କିମ୍ ଘୋଷଣା କରାଯାଇଥିଲା। ଏଥିରେ ଏଭଳି କିଛି ସର୍ତ୍ତ ରହିଥିଲା ଯେଉଁଥିପାଇଁ ଅନେକ ଲୋକ ସ୍କିମ୍‌ର ଲାଭ ପାଇବାରୁ ବଞ୍ଚିତ ହେଉଥିଲେ। ‌ସେଥିରୁ ଏକ ଗୁରୁତ୍ବପୂର୍ଣ୍ଣ ସର୍ତ୍ତକୁ କୋହଳ କରାଯାଇଛି। ଏହା ବ୍ୟତୀତ ଅଟଳ ବିମୀତ ବ୍ୟକ୍ତି କଲ୍ୟ‌ାଣ ଯୋଜନା ପରିସରକୁ ମଧ୍ୟ ବିସ୍ତାର କରାଯାଇଛି। ତେଣୁ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କ ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

ଶ୍ରମ ମନ୍ତ୍ରଣାଳୟ ଓ ଇଏସ୍‌ଆଇସି ପକ୍ଷରୁ ମିଳିତ ଭାବେ ସ୍କିମ୍‌ର ସର୍ତ୍ତକୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଇଏସ୍‌ଆଇସିର ବୀମା ଆୟୁକ୍ତ ଏମ୍ କେ ଶର୍ମା କହିଛନ୍ତି ଯେ କୋଭିଡ୍-୧୯ ରିଲିଫ୍ ସ୍କିମ୍ ଓ ଅଟଳ ବିମୀତ ବ୍ୟକ୍ତି କଲ୍ୟାଣ ଯୋଜନାରେ ପୂର୍ବରୁ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଥିଲା। ମାତ୍ର ଏବେ ସର୍ତ୍ତକୁ ବହୁତ କୋହଳ କରାଯାଇଛି। ଯଦି କୌଣସି ବ୍ୟକ୍ତି ଚାକିରି ପାଇଥିବେ ଏବଂ ବହୁତ କମ୍ ସମୟ ପାଇଁ ଇଏସ୍‌ଆଇସି ପ୍ରତି ଯୋଗଦାନ ଦେଇଥିବେ ତେବେ ସେ ଯୋଜନାଗୁଡ଼ିକର ଲାଭ ପାଇପାରିବେ।

କୌଣସି ନିର୍ଦିଷ୍ଟ ରୋଗ ପାଇଁ ପ୍ରଥମ ଥର ଲାଗି ଦେଶରେ ଏକ ଯୋଜନା ଲାଗୁ କରାଯାଇଥିଲା। କୋଭିଡ୍-୧୯ ରିଲିଫ୍ ସ୍କିମ୍‌ରେ କରୋନାରେ ମୃତ୍ୟୁ ହୋଇଥିବା କର୍ମଚାରୀଙ୍କ ପରିଜନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ଇଏସ୍‌ଆଇସିର ସଦସ୍ୟ ଥିବା କୌଣସି ବ୍ୟକ୍ତିଙ୍କ ‌କରୋନାରେ ମୃତ୍ୟୁ ହେଉଥିଲେ ତାଙ୍କ ପରିବାରକୁ ଏହି ସହାୟତା ଦିଆଯାଉଛି। ମୃତକଙ୍କ ବେତନର ୯୦ ପ୍ରତିଶତ ରାଶିକୁ ପ୍ରତି ମାସରେ ସହାୟତା ରାଶି ଭ‌ାବେ ଦିଆଯାଉଛି। ଏହି ସୁବିଧା ଏବେ ଆହୁରି ଅଧିକ ଲୋକଙ୍କୁ ମିଳିବ। ସେଥିପାଇଁ ସର୍ତ୍ତ କୋହଳ କରାଯାଇଛି।

ଯଦି କୋଭିଡ୍‌ରେ ମୃତ୍ୟୁ ହେବାର ତିନି ମାସ ପୂର୍ବରୁ କୌଣସି ବ୍ୟକ୍ତିଙ୍କ ଇଏସ୍‌ଆଇସିରେ ପଞ୍ଜୀକରଣ ହୋଇଥିବ ଏବଂ ସେ ଯଦି ୩୫ ଦିନର ଯୋଗଦାନ ଦେଇଥିଲେ ତେବେ ତାଙ୍କୁ କୋଭିଡ୍‌-୧୯ ରିଲିଫ୍‌ ସ୍କିମ୍‌ର ଲାଭ ମିଳିବ। ଯଦି ଗୋଟିଏ ମାସରେ କେହି ଅତିକମ୍‌ରେ ୧୨ ଦିନ କାମ କରିଥିବେ ତେବେ ତାଙ୍କ ବାବଦ ଟଙ୍କା ଇଏସ୍‌ଆଇସିରେ ଜମା ହୋଇଥିବ। ସେଭଳି ମାମଲାରେ ସେହି ବ୍ୟକ୍ତିଙ୍କ ଯଦି କରୋନାରେ ମୃତ୍ୟୁ ହୋଇଥିବ ତେବେ ତାଙ୍କ ପରିବାରବର୍ଗ ତାଙ୍କ ବେତନର ୯୦% ରାଶି ରିଲିଫ୍ ସହାୟତା ଭାବେ ପାଇବାକୁ ଯୋଗ୍ୟ। ପୂର୍ବରୁ ଏହି ସୀମା ୭୦ ଦିନ ଥିଲା। ଏବେ ତାହାକୁ ଅଧା ହ୍ରାସ କରି ୩୫ ଦିନ କରା‌ଯାଇଛି।

ଅଟଳ ବିମୀତ ବ୍ୟକ୍ତି କଲ୍ୟାଣ ଯୋଜନାର ସର୍ତ୍ତକୁ ମଧ୍ୟ କୋହଳ କରାଯାଇଛି। ଏକ ବର୍ଷର ପଞ୍ଜୀକରଣ ଥିବା ଏବଂ ଇଏସ୍‌ଆଇସିରେ ତାଙ୍କର ଗୋଟିଏ ଯୋଗଦାନ ଅବଧି ରହିଥିବ ତେବେ ସେ ଏହି ଯୋଜନାର ଲାଭ ପାଇପାରିବେ। ପୂର୍ବରୁ ଏହି ସୁବିଧା ହାସଲ କରିବା ଲାଗି ଦୁଇ ବର୍ଷର ପଞ୍ଜୀକରଣ ଓ ଦୁଇଟି ଯୋଗଦାନ ଅବଧି ରହିଥିବାର ସର୍ତ୍ତ ଥିଲା। ଇଏସ୍‌ଆଇସିର ଯୋଗଦାନ ‌ଅବଧି ହେଉଛି ୬ ମାସ ଯେଉଁଥିରେ ଅତିକମ୍‌ରେ ୭୮ ଦିନର ଯୋଗଦାନ ଦେବା ଜରୁରୀ। ଏହି ସର୍ତ୍ତକୁ କୋହଳ କରାଯାଇଥିବାରୁ ଅନେକ ଲୋକ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe