ନୂଆଦିଲ୍ଲୀ: ଗତବର୍ଷ ଦେଶରେ ୨ କୋଟିରୁ ଅଧିକ ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ୨୦୨୪ର ୧.୯ କୋଟି ବିକ୍ରି ସଂଖ୍ୟା ତୁଳନାରେ ଏହା ପ୍ରାୟ ୫ ପ୍ରତିଶତ ଅଧିକ। ଏତେ ସଂଖ୍ୟାରେ ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିଲେ ମଧ୍ୟ ୨୦୧୮ର ରେକର୍ଡକୁ ତାହା ଭାଙ୍ଗି ପାରିନାହିଁ । ସେହିବର୍ଷ ଦେଶରେ ୨.୧ କୋଟି ଦୁଇଚକିଆ ଯାନ ବିକ୍ରି ହୋଇଥିଲା ବୋଲି ଭାରତୀୟ ଅଟୋମୋବାଇଲ୍‌ ନିର୍ମାତା ସୋସାଇଟି (ସିଆମ୍‌) ତଥ୍ୟରୁ ଜଣାପଡ଼ିଛି। ୨୦୨୫ରେ ୪୯.୪ ଲକ୍ଷ ଟଙ୍କା ଗାଡ଼ି ରପ୍ତାନି ହୋଇଛି ଯାହା ୨୦୨୪ର ରପ୍ତାନି ତୁଳନାରେ ୨୪.୨ ପ୍ରତିଶତ ଅଧିକ। 

Advertisment

ଆହୁରି ପଢନ୍ତୁ- Iran-Israel-US: ଆମେରିକାର ଅଜାଣତରେ ଇରାନ ସହିତ ଗୁପ୍ତ ଚୁକ୍ତି କରିଥିଲା ଇସ୍ରାଏଲ...

ଆଫ୍ରିକା ଓ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ଅଧିକ ଗାଡ଼ି ପଠାଯାଇଛି।୨୦୨୫ରେ ହିରୋ ମୋଟୋକର୍ପ ୫୭.୫ ଲକ୍ଷ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ୫୪ ଲକ୍ଷ, ଟିଭିଏସ୍‌ ମୋଟର କମ୍ପାନିର ୩୯.୮ ଲକ୍ଷ, ବଜାଜ ଅଟୋ ୨୨.୨ ଲକ୍ଷ ଓ ସୁଜୁକି ମୋଟରସାଇକଲ୍‌ ଇଣ୍ଡିଆର ୧୧ ଲକ୍ଷ ଗାଡ଼ି ବିକ୍ରି କରିଛି। ‘ସିଆମ୍‌’ ପକ୍ଷରୁ କୁହାଯାଇଛି ଯେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗାଡ଼ି ଚାହିଦାରେ ଉନ୍ନତି ହୋଇଛି। 

ଆହୁରି ପଢନ୍ତୁ- Iran protests LIVE: ସାମରିକ ଉତ୍ତେଜନା ମଧ୍ୟରେ ଦୁଇଘଣ୍ଟା ବାୟୁସୀମା ବନ୍ଦ କଲା ଇରାନ: ପ୍ରଭାବିତ ହେଲା ବିମାନ ସେବା

ସହରଗୁଡ଼ିକରେ ଅଧିକ ଗାଡ଼ି ବିକ୍ରି ହୋଇଛି। ମୋଟରସାଇକଲ ତୁଳନାରେ ସ୍କୁଟରକୁ ଅଧିକ ଗ୍ରାହକ ପସନ୍ଦ କରିଛନ୍ତି। ଗତବର୍ଷ ଆୟକରରେ ଆଶ୍ବସ୍ତି, ଜିଏସ୍‌ଟିରେ ସଂସ୍କାର ଆଦି ପ୍ରଭାବରେ ଗାଡ଼ି ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିଲା। ଉତ୍ସବ ସମୟରେ ସହରାଞ୍ଚଳରେ ବିକ୍ରି ତ୍ବରାନ୍ବିତ ହୋଇଥିଲା। ୨୦୨୫ର ସକାରାତ୍ମକ ଧାରା ୨୦୨୬ରେ ବଜାୟ ରହିବ ବୋଲି ଅଟୋମୋବାଇଲ୍‌ ଶିଳ୍ପ ଆଶା କରୁଛି। ତେବେ ଯୋଗାଣ ଶୃଙ୍ଖଳ ଓ ରପ୍ତାନିକୁ ଭୂରାଜନୈତିକ ସଙ୍କଟ କିଭଳି ପ୍ରଭାବିତ କରୁଛି ତାହା ଉପରେ ନଜର ରହିବ ବୋଲି ‘ସିଆମ୍‌’ ସଭାପତି ଶୈଳେଶ ଚନ୍ଦ୍ରା କହିଛନ୍ତି।