ନିର୍ବାଚନ ମା‌ସରେ ଅଧିକ ଗାଡ଼ି ବିକ୍ରି: ଗ୍ରାମୀଣ ଅର୍ଥନୀତିରେ ସୁଧାର ସଙ୍କେତ

Advertisment
ନିର୍ବାଚନ ମା‌ସରେ ଅଧିକ ଗାଡ଼ି ବିକ୍ରି: ଗ୍ରାମୀଣ ଅର୍ଥନୀତିରେ ସୁଧାର ସଙ୍କେତ

ଭୁବନେଶ୍ବର: ମେ’ ମାସରେ ଦେଶରେ ଲୋକସଭା ନିର୍ବାଚନ ଲାଗି ମତଦାନ ଜୋରସୋରରେ ଚାଲିଥିବା ବେଳେ ରାଜ୍ୟର ଗାଡ଼ି ସୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ତାହାର ପ୍ରଭାବରେ ମେ’ ମାସରେ ଅଧିକ ଗାଡ଼ି ବିକ୍ରି ହୋଇଛି। ସବୁଠୁ ଖୁସିର କଥା ହେଉଛି ମୋଟରସାଇକଲ୍‌ଠାରୁ ଆରମ୍ଭ କରି ଟ୍ରାକ୍ଟର ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। ଗାଡ଼ି ଡିଲର୍‌ ସଂଘ ଏଫ୍ଏଡିଏର ଓଡ଼ିଶା ଶାଖା ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବାଇକ୍ ଓ ସ୍କୁଟର ଭଳି ଦୁଇଚକିଆ ଯାନ ବିକି ଗତବର୍ଷ ତୁଳନାରେ ୧୮.୩୬ ପ୍ରତିଶତ ବଢ଼ିଥିବା ବେଳେ ତିନିଚକିଆ ବିକ୍ରି ୨୩.୭୫ ପ୍ରତିଶତ ବଢ଼ିଛି। କମର୍ସିଆଲ୍‌ ଗାଡ଼ି ବିକ୍ରି ୩.୯୯ ପ୍ରତିଶତ, କାର୍ ବିକ୍ରି ୬.୦୮ ପ୍ରତିଶତ ଓ ଟ୍ରାକ୍ଟର ବିକ୍ରି ୧୧.୬୬ ପ୍ରତିଶତ ବଢ଼ିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡ଼େ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ରହିଥିଲା। ବାଇକ୍, ସ୍କୁଟର ଓ ଟ୍ରାକ୍ଟର ବିକ୍ରିରେ ବୃଦ୍ଧି ଗ୍ରାମାଞ୍ଚଳ ଅର୍ଥନୀତିରେ ହୋଇଥିବା ସୁଧାରକୁ ପ୍ରତିଫଳିତ କରୁଛି।

ଏଫ୍ଏଡିଏ ଓଡ଼ିଶା ରାଜ୍ୟର ଅଧ୍ୟକ୍ଷ ପ୍ରଦୀପ ଅଗ୍ରୱାଲ୍ କହିଛନ୍ତି ଯେ ମେ’ ମାସରେ ପ୍ରବଳ ଗରମ ରହିଥିଲା ଏବଂ ନିର୍ବାଚନ ତାତି ମଧ୍ୟ ଉଚ୍ଚ ସୋପା‌ନରେ ଥିଲା। ଏହା ସତ୍ତ୍ବେ ରାଜ୍ୟରେ ଗାଡ଼ି ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତବର୍ଷର ‌ମେ’ ତୁଳନାରେ ଚଳିତ ବର୍ଷ ୧୬.୨୫ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି। ଫାଇନାନ୍ସ ସୁବିଧା ମିଳିବା ଏବଂ ଗ୍ରାମାଞ୍ଚଳ ଚାହିଦାରେ ସୁଧାର ହୋଇଥିବାରୁ ଗାଡ଼ି ବିକ୍ରି ବଢ଼ିଥିବା ସେ କହିଛନ୍ତି। ନିର୍ବାଚନ ଶେଷ ହେବା ପରେ ଫେରିଥିବା ସ୍ଥିରତା ଓ ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା ଆକଳନ ଗ୍ରାମାଞ୍ଚଳ ଚାହିଦାରେ ବୃଦ୍ଧି ଆଣିବ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବ। ଗାଡ଼ି ଶିଳ୍ପର ଅଭିବୃଦ୍ଧିରେ ପାଣିପାଗ ସ୍ଥିତି, ଆର୍ଥିକ ଆହ୍ବାନ ଓ ପ୍ରତିଦ୍ବନ୍ଦ୍ବିତା ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ମେ’ରେ ରାଜ୍ୟରେ ମୋଟ ୬୫,୭୭୪ ଗାଡ଼ି ବିକ୍ରି ହୋଇଛି। ସେଥିରୁ ୫୨,୭୪୬ଟି ଦୁଇଚକିଆ, ୧୮୧୩ଟି ତିନିଚକିଆ, ୩୦୭୩ଟି କମର୍ସିଆଲ୍ ଗାଡ଼ି, ୬୪୩୮ଟି କାର୍ ଏବଂ ୧୭୦୪ଟି ଟ୍ରାକ୍ଟର ରହିଛି। ୨୦୨୩ ମେ’ରେ ରାଜ୍ୟରେ ୪୪,୫୬୩ଟି ଦୁଇଚକିଆ, ୧୪୬୫ଟି ତିନିଚକିଆ, ୨୯୫୫ଟି କମର୍ସିଆଲ୍ ଗାଡ଼ି, ୬୦୬୯ଟି କାର୍ ଏବଂ ୧୫୨୬ଟି ଟ୍ରାକ୍ଟର ବିକ୍ରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe