ଅଧିକ ମହିଳା କିଣୁଛନ୍ତି କାର୍‌, ୫ ବର୍ଷରେ ଦୁଇଗୁଣ ବୃଦ୍ଧି

Advertisment

ମହିଳା ଗ୍ରାହକଙ୍କ ସଂଖ୍ୟା ୧୨%ରେ ପହଞ୍ଚିଲାଣି

ମହିଳା ଗ୍ରାହକଙ୍କ ସଂଖ୍ୟା ୧୨%ରେ ପହଞ୍ଚିଲାଣି

ଅଧିକ ମହିଳା କିଣୁଛନ୍ତି କାର୍‌, ୫ ବର୍ଷରେ ଦୁଇଗୁଣ ବୃଦ୍ଧି

The Week

ନୂଆଦିଲ୍ଲୀ: ଦେଶରେ ଏବେ ଅଧିକରୁ ଅଧିକ ସଂଖ୍ୟକ ମହିଳା କାର୍ କିଣୁଛନ୍ତି। ମହିଳାମାନେ ଚାକିରି ବା ନିଜସ୍ବ ରୋଜଗାର ପନ୍ଥା ବାହାର କରି ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ଏବଂ ସଶକ୍ତ ହେଉଛନ୍ତି। ଫଳରେ ଏହାର ଅନୁକୂଳ ପ୍ରଭାବ ଦେଶର ଅଟୋମୋବାଇଲ, ବିଶେଷ କରି କାର୍, ଶିଳ୍ପ ଉପରେ ପଡ଼ିଛି। ଅଧିକରୁ ଅଧିକ ମହିଳା କାର୍‌ର ମାଲିକାଣୀ ହେବା ସହିତ କାର୍ ମଧ୍ୟ ଚଳାଉଛନ୍ତି। ଗତ ୫ ବର୍ଷ ମଧ୍ୟରେ କାର୍ କିଣିଥିବା ମହିଳା ଗ୍ରାହକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି। କାର୍ ବଜାରରେ ମହିଳା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶର ସର୍ବବୃହତ୍ କାର୍ ନିର୍ମାତା ମାରୁତି ସୁଜୁକିରେ ମହିଳା ଗ୍ରାହକଙ୍କ ସଂଖ୍ୟା ୫ ବର୍ଷ ପୂର୍ବେ ୭ ପ୍ରତିଶତ ଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ହୁଣ୍ଡାଇ କାର୍‌ କିଣିବା କ୍ଷେତ୍ରରେ ମଧ୍ୟ ମହିଳାମାନେ ପଛରେ ନାହାନ୍ତି। ୨୦୧୪ ମସିହାଠାରୁ ଇତିମଧ୍ୟରେ ହୁଣ୍ଡାଇ କାର୍ କିଣିଥିବା ମହିଳା ଗ୍ରାହକଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇ ୧୨ ପ୍ରତିଶତରେ ପହଞ୍ଚିଛି। ମାରୁତି କିମ୍ବା ହୁଣ୍ଡାଇ କଥା ଛାଡ଼ନ୍ତୁ ବିଳାସପୂର୍ଣ୍ଣ କାର୍‌ ନିର୍ମାତା ମର୍ସିଡିସ୍ ବେଞ୍ଜ ଏବଂ ଅଡି କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଗ୍ରାହକଙ୍କ ଅଂଶ ୧୫ରୁ ୨୦ ପ୍ରତିଶତରେ ପହଞ୍ଚିଲାଣି। ମହିଳା ଗ୍ରାହକମାନେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେବାରେ ଲାଗିଛନ୍ତି। ତେଣୁ ସେମାନେ କିଭଳି ସହଜରେ କାର୍ କିଣିବେ ତାହା ଉପରେ ଆମେ ଧ୍ୟାନ ଦେଉଛୁ। ମାରୁତିକୁ ସେମାନଙ୍କ ପସନ୍ଦର କାରରେ ପରିଣତ କରିବା ପାଇଁ ଉଦ୍ୟମ କରୁଛୁ ବୋଲି ମାରୁତି ସୁଜୁକିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବିପଣନ ଏବଂ ବିକ୍ରି) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି। ମାରୁତି ସୁଜୁକି କ୍ଷେତ୍ରରେ ସେଲେରିଓ, ଅଲ୍ଟୋ ଏବଂ ଡିଜାୟାର ମଡେଲକୁ ଗ୍ରାହକମାନେ ଅଧିକ ପସନ୍ଦ କରୁଛନ୍ତି। ଭାରତରେ ଯାତ୍ରୀବାହୀ ଯାନର ବାର୍ଷିକ ଆକାର ୨.୯୬ ନିୟୁତ ଥିବାବେଳେ ଏଥିରେ ମହିଳାଙ୍କ ସଂଖ୍ୟା ୧୦ରୁ ୧୨ ପ୍ରତିଶତ ରହିଛି। ତେବେ ଅନେକ କାର ପରିବାରର ପୁରୁଷ ସଦସ୍ୟଙ୍କ ନାମରେ କିଣାଯାଉଥିବାରୁ ମହିଳା କାର ଚାଳକଙ୍କ ସଂଖ୍ୟା ବହୁ ଅଧିକ ହେବ ବୋଲି ଅଧିକାରୀମାନେ ମତ ଦେଇଛନ୍ତି।

ମହିଳା ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କାର ନିର୍ମାତାମାନେ ନୂଆ ନୂଆ ସୁବିଧା ଉପଲବ୍ଧ କରାଇବା ପ୍ରଚେଷ୍ଟା ଚଳାଇଛନ୍ତି। ମହିଳା ଗ୍ରାହକମାନେ ହ୍ୟାଚବ୍ୟାକ୍ କାରକୁ ଅଧିକ ପସନ୍ଦ କରୁଛନ୍ତି। ଗ୍ରାଣ୍ଡ୍‌ ଆଇ୧୦, ନିଓସ୍ ଏବଂ ‌ସାଣ୍ଟ୍ରୋ କାର କ୍ଷେତ୍ରରେ ଆମର ମହିଳା ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଅନେକ ମହିଳା ଗ୍ରାହକ କ୍ରେଟା ଭଳି ଏସୟୁଭି କିଣିବାକୁ ପସନ୍ଦ କରୁଛନ୍ତି ବୋଲି ହୁଣ୍ଡାଇ ମୋଟର ଇଣ୍ଡିଆର ନିର୍ଦ୍ଦେଶକ (ବିକ୍ରି ଓ ବିପଣନ) ତରୁନ ଗର୍ଗ କହିଛନ୍ତି। ପୂର୍ବାପେକ୍ଷା କମ୍ ବୟସ ବର୍ଗର ମହିଳାମାନେ ଏବେ କାର୍ କିଣୁଛନ୍ତି। ମାରୁତି ସୁଜୁକିରେ କାର୍ କିଣୁଥିବା ମହିଳା ଗ୍ରାହକଙ୍କ ବୟସ ବର୍ଗ ୩୧-୩୪ ବର୍ଷକୁ ହ୍ରାସ ପାଇଛି। ମହିଳା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆମେ ସୋରୁମ ଗୁଡ଼ିକରେ ଅଧିକ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛୁ ବୋଲି ମର୍ସିଡିସ ବେଞ୍ଜ ଇଣ୍ଡିଆର ଏମଡି ମାର୍ଟିନ ସ୍କିଉନିକ୍ କହିଛନ୍ତି। ମହିଳା ଗ୍ରାହକ ସଂଖ୍ୟା ବୃଦ୍ଧି ପାଇବା ସହିତ କାର୍ କିଣୁଥିବା ମହିଳା ଗ୍ରାହକଙ୍କ ବୟସ ବର୍ଗ ହ୍ରାସ ପାଇଛି ବୋଲି ଟାଟା ମୋଟର୍ସର ପାସେଞ୍ଜରଯାନ ବ୍ୟବସାୟ ବିପଣନ ମୁଖ୍ୟ ବିବେକ ଶ୍ରୀବାସ୍ତବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe