ଏମ୍‌ଏସ୍‌ଏମ୍ଇ ସଂସ୍ଥାଙ୍କୁ ମିଳିବ ୧୬୦୦ କୋଟି ଋଣ, ସେପ୍ଟେମ୍ବର ସୁଦ୍ଧା ଦିଆଯିବ

ଏମ୍‌ଏସ୍‌ଏମ୍ଇ ସଂସ୍ଥାଙ୍କୁ ମିଳିବ ୧୬୦୦ କୋଟି ଋଣ, ସେପ୍ଟେମ୍ବର ସୁଦ୍ଧା ଦିଆଯିବ

KNN India

ଭୁବନେଶ୍ବର : ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍ଇ)କୁ ୧୬୦୦ କୋଟି ଟଙ୍କାର ଋଣ ଦିଆଯିବ। ଜିଲ୍ଲା ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକମାନଙ୍କ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ବୈଠକରେ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ବିଜୁ ଏକ୍ସପ୍ରେସ୍‌ ୱେକୁ ଚାରି ଥାକିଆ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହାର ପାର୍ଶ୍ବରେ ଶିଳ୍ପ ପୁଞ୍ଜ ସ୍ଥାପନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏହି ସ୍ଥାନଗୁଡ଼ିକରେ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ଲାଗି କାର୍ଯ୍ୟ ଆରମ୍ଭ ହୋଇଛି। କଳାହାଣ୍ଡିରେ ରାଇସ୍‌ ବ୍ରାନ୍ ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଏହି ଅବସର‌ରେ ଏମ୍‌ଏସ୍‌ଏମ୍ଇ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ ପିଏମ୍‌ଇଜିପିରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ଷ୍ଟାର୍ଟଅପ୍‌ଗୁଡ଼ିକର କାର୍ଯ୍ୟର ସମୀକ୍ଷା କରିବା ଲାଗି ପ୍ରତି ଶନିବାର ଷ୍ଟାର୍ଟଅପ୍ କନେକ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଉଦ୍ୟୋଗୀ ରମଣ ଥାପର, ହେମନ୍ତ ସୁଆର, ପରାମର୍ଶଦାତା ବରୁଣ କାଶ୍ୟପ ଓ ସୁଚିସ୍ମିତା ଏଫ୍ଏମ୍‌ସି ପ୍ରମୁଖ ଯୋଗ ଦେଇ ଉଦ୍ୟୋଗ ପ୍ରତିଷ୍ଠାର ଅଗ୍ରଗତି ବିଷୟରେ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏମ୍ଏସ୍‌ଏମ୍ଇ ଉପକ୍ରମଗୁଡ଼ିକ ଉପରେ ଶିଳ୍ପ ନିର୍ଦେଶକ ପି କେ ଗୁପ୍ତା ଆଲୋଚନା କରିଛନ୍ତି। ଶିଳ୍ପ ନିର୍ଦେଶକ ମହମ୍ମଦ ସିଦ୍ଦିକ ଆଲମ କହିଛନ୍ତି ଯେ ରାଜ୍ୟର ସମସ୍ତ ଜିଲ୍ଲାରେ ୧୦୪୭ଟି ଷ୍ଟାର୍ଟଅପ୍ ଉଦ୍ୟୋଗ ସ୍ଥାପନ କରାଯାଇଛି। ପିଏମ୍‌ଇଜିପିରେ ବିଭିନ୍ନ ଉଦ୍ୟୋଗକୁ ଦିଆଯାଇଥିବା ରିହାତି ବିନିଯୋଗର ପ୍ରମାଣପତ୍ର ନିର୍ଦେଶାଳୟକୁ ପଠାଇବାକୁ ସେ ନିର୍ଦେଶ ଦେଇଥିଲେ। ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍‌ରେ ୧ ଲକ୍ଷ ୭୧ ହଜାର ଉଦ୍ୟୋଗୀଙ୍କୁ ୩୧୨୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ସ୍ଫୁର୍ତ୍ତି ଯୋଜନାରେ ବିଭିନ୍ନ ଜିଲ୍ଲାର ପ୍ରମୁଖ ଉତ୍ପାଦିତ ଦ୍ରବ୍ୟକୁ ନେଇ ଶିଳ୍ପପୁଞ୍ଜ ଗଠନ କରିବା କାର୍ଯ୍ୟ ଚାଲୁ ରହିଛି। ସିଙ୍ଗିଲ୍ ୱି‌ଣ୍ଡୋ ବ୍ୟବସ୍ଥାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୦୭୨ ପ୍ରକଳ୍ପ ମଞ୍ଜୁର କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe