TAX CONCEPT
ନୂଆଦିଲ୍ଲୀ: ଦେଶର ବିଭିନ୍ନ ମୁନ୍ସିପାଲିଟିରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଓ ଠିକା କର୍ମଚାରୀମାନଙ୍କୁ କର୍ମଚାରୀ ରାଜ୍ୟ ବୀମା (ଇଏସ୍ଆଇ)ରେ ସାମିଲ କରାଯିବ। ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ଆଲୋଚନା କରିବା ଲାଗି ଇଏସ୍ଆଇ ନିଗମକୁ ସରକାର ନିର୍ଦେଶ ଦେଇଛନ୍ତି। ମୁନ୍ସିପାଲିଟିରେ କାର୍ଯ୍ୟ କରୁଥିବା ସମସ୍ତ ଠିକା କର୍ମଚାରୀ ଓ ବିଭିନ୍ନ ଏଜେନ୍ସି ଓ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ଇଏସ୍ଆଇ ପରିସରଭୁକ୍ତ କରାଯିବ। ଏ ସମ୍ପର୍କରେ ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ଦେଶରେ ଥିବା ବିଭିନ୍ନ ମୁନସିପାଲିଟିଗୁଡ଼ିକରେ ବହୁ ସଂଖ୍ୟକ ଠିକା ଓ କାଜୁଆଲ କର୍ମଚାରୀ କାର୍ଯ୍ୟ କରୁଛନ୍ତି।
ଯେହେତୁ ସେମାନେ ସ୍ଥାୟୀ କର୍ମଚାରୀ ନୁହନ୍ତି ତେଣୁ ସେମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ନାହିଁ। ଏହାକୁ ନଜରରେ ରଖଇ ସେମାନଙ୍କୁ ଇଏସ୍ଆଇ ନିୟମ ୧୯୪୮ରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଇଏସ୍ଆଇ ପରିସରରେ ଏହି ସମ୍ବେଦନଶୀଳ ଶ୍ରମଶକ୍ତି ସାମିଲ ହେଲେ ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ନିଶ୍ଚିତ ହୋଇପାରିବ। ଏହା ଦ୍ବାରା ସେମାନଙ୍କର ବ୍ୟକ୍ତିଗତ ଓ ପରିବାରର ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି। ଇଏସ୍ଆଇରେ ଯୋଡ଼ି ହେବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ବିଜ୍ଞପ୍ତି ଜାରି କରିବା ପରେ ମୁନ୍ସିପାଲିଟିର ଠିକା କର୍ମଚାରୀମାନେ ଇଏସ୍ଆଇ ପ୍ରଦାନ କରୁଥିବା ବିଭିନ୍ନ ସୁବିଧାର ଲାଭ ଉଠାଇପାରିବେ। ସେମାନଙ୍କୁ ଅସୁସ୍ଥତା ସମୟର ସୁବିଧା, ମାତୃତ୍ବ ସୁବିଧା, ଭିନ୍ନକ୍ଷମ ସୁବିଧା, ନିର୍ଭରଶୀଳ ବ୍ୟକ୍ତିମାନଙ୍କୁ ସୁବିଧା ଓ ଅନ୍ତିମ ସଂସ୍କାର ପାଇଁ ସୁବିଧା ମିଳିପାରିବ। ଏହା ବ୍ୟତୀତ କର୍ମଚାରୀମାନେ ଇଏସ୍ଆଇ ହସ୍ପିଟାଲ୍ଗୁଡ଼ିକରେ ଚିକିତ୍ସା ସୁବିଧା ପାଇପାରିବେ। ସାରା ଦେଶରେ ଇଏସ୍ଆଇର ୧୬୦ ହସ୍ପିଟାଲ୍ ଓ ୧୫୦୦ରୁ ଅଧିକ ଡିସ୍ପେନ୍ସେରି ରହିଛି।
Follow Us