Republic World
ନୂଆଦିଲ୍ଲୀ : ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରିଥିବା ନିବେଶକମାନଙ୍କୁ ନୋମିନିଙ୍କ ନାମ ଚଳିତ ମାସ ୩୧ ସୁଦ୍ଧା ଯୋଡ଼ିବାକୁ ପଡ଼ିବ। ଯେଉଁମାନେ ଏହି କାମ କରିବାରେ ବିଫଳ ହେବେ ସେମାନଙ୍କ ନିବେଶ ପୋର୍ଟଫୋଲିଓ ଅଚଳ ହୋଇଯିବ ଓ ସେ ନିବେଶକୁ ରିଡିମ୍ କରିପାରିବେ ନାହିଁ। ୨୦୨୨ ଜୁନ୍ ୧୫ରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏକ ସର୍କୁଲାର ଜାରି କରି ନୋମିନି ବିବରଣୀ ଦାଖଲ କରିବାକୁ ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶକଙ୍କୁ କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ୨୦୨୨ ଅଗଷ୍ଟ ୧ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ଓ ପରେ ତାହାକୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ସେହିପରି ନ୍ୟାସନାଲ୍ ପେନ୍ସନ୍ ସିଷ୍ଟମ୍ (ଏନ୍ପିଏସ୍)ର ଗ୍ରାହକମାନଙ୍କୁ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କ ପାନ୍ ସହ ଆଧାର ଲିଙ୍କ୍ କରାଇବାକୁ ପଡ଼ିବ। ପେନ୍ସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍ଆର୍ଡିଏ) ଜଣାଇଛନ୍ତି ଯେ ନିର୍ଧାରିତ ସମୟ ଭିତରେ ପାନ୍ ସହ ଆଧାର ଲିଙ୍କ୍ ନକଲେ ଗ୍ରାହକ କେତେକ କାରବାର କରିପାରିବେ ନାହିଁ। ପାନ୍କୁ ଏହା ଗୁରୁତ୍ବପୂର୍ଣ୍ଣ ପରିଚୟ ନମ୍ବର ଭାବେ ଅଭିହିତ କରିବା ସହ କେୱାଇସିର ତାହା ଏକ ଅଂଶ ବୋଲି କହିଥିଲା। ଆୟକର ନିୟମରେ ରହିଥିବା ବ୍ୟବସ୍ଥା ଅନୁସାରେ ଚଳିତ ମାସ ୩୧ ସୁଦ୍ଧା ପାନ୍ ସହ ଆଧାର ଲିଙ୍କ୍ ନକଲେ ପାନ୍ ଅଚଳ ହୋଇଯିବ। ଏହି ସମୟ ସୀମା ଆଉ ବଢ଼ିବ ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିଛି। ଅତୀତରେ ବହୁବାର ଏହି ସମୟ ସୀମା ବଢ଼ିଛି।
Follow Us