ଭୁବନେଶ୍ବର: କୃଷି କ୍ଷେତ୍ରକୁ ଅଧିକ ଋଣ ଦେଇ କୃଷ ଋଣରେ ନିଜ ଅଂଶ ବଢ଼ାଇବା ଲାଗି ଉଦ୍ୟମ କରିବାକୁ ସମବାୟ ବ୍ୟାଙ୍କଗୁଡ଼ିକୁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଡକ୍ଟର ଜି ଆର୍ ଚିନ୍ତାଲା ଆହ୍ବାନ ଦେଇଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଦର୍ଶନ କରିବା ସହ ଗ୍ରାମୀଣ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ସିଇଓମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଅଧିକ କୃଷି ମିଆଦୀ ଋଣ ଆବଣ୍ଟନ କରିବା, ବ୍ୟାଙ୍କରେ ସୂଚନା ପ୍ରଯୁକ୍ତି ଭିତ୍ତିଭୂମିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ସେ କହିଛନ୍ତି। ଏହି ଅବସରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ‘ବିଜନେସ୍ ଡାଇଭରସିଫିକେସନ ଆଣ୍ଡ୍ ପ୍ରଡକ୍ଟ ଇନୋଭେସନ୍ ସେଲ୍’କୁ ଉଦ୍ଘାଟନ କରିଛନ୍ତି।
ଶ୍ରୀ ଚିନ୍ତାଲା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କୁ ସାକ୍ଷାତ କରି ବିଭିନ୍ନ ଆର୍ଥିକ ଅନୁଷ୍ଠାନର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ରାଜ୍ୟରେ ଏକ ଦୃଢ଼ ଆର୍ଥିକ ବ୍ୟବସ୍ଥା ବିକଶିତ କରିବା ଲାଗି ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ନାବାର୍ଡ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ନାବାର୍ଡର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଲଘୁ ଋଣ ନବସୃଜନ ବିଭାଗର କର୍ମଶାଳା ତଥା ରଣନୀତି ବୈଠକକୁ ସେ ଉଦ୍ଘାଟନ କରିଛନ୍ତି। ଏହି ବୈଠକରେ ୧୫ଟି ରାଜ୍ୟର ନାବାର୍ଡ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳରେ କିଭଳି ଅଧିକ ଉଦ୍ୟୋଗୀ ସୃଷ୍ଟି କରାଯାଇପାରି ସେଥିପ୍ରତି ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। କୃଷି କ୍ଷେତ୍ର ଉପରେ ଆୟୋଜନ କରାଯାଇଥିବା ଅନ୍ୟ ଏକ କନ୍କ୍ଲେଭ୍ରେ ଡକ୍ଟର ଚିନ୍ତାଲା ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ସେ ମୟୂରଭଞ୍ଜ ଓ ଗଜପତି ଜିଲ୍ଲାର ପ୍ରକଳ୍ପ କାର୍ଯ୍ୟକାରୀ ଏଜେନ୍ସିକୁ ମଞ୍ଜୁରି ପତ୍ର ହସ୍ତାନ୍ତର କରିଛନ୍ତି। କୋରାପୁଟର ପଟ୍ଟାଙ୍ଗୀ ପାଇଁ ‘ଖମ୍ବଆଳୁ ଉତ୍ପାଦନ ଓ ବଜାର ଲିଙ୍କେଜ୍’ ପ୍ରକଳ୍ପର ମଧ୍ୟ ସେ ଶୁଭାରମ୍ଭ କରିଛନ୍ତି। କଳା ଜିରା ଚାଉଳ, ଲାଖ କଳା, ମୃତିକା ଟେରାକୋଟା, ରସାବଳି ଓ ତାଳପତ୍ର ହସ୍ତକଳା ପାଇଁ ଭୌଗୋଳିକ ପରିଚୟ (ଜିଆଇ) ପଞ୍ଜୀକରଣ ହାସଲ କରିବା ଲାଗି ବାରାଣାସୀର ହ୍ୟୁମାନ ୱେଲଫେୟାର ଆସୋସିଏସନ୍ର ଡକ୍ଟର ରଜନୀ କାନ୍ତଙ୍କୁ ଏହି ଅବସରରେ ସେ ମଞ୍ଜୁରି ପତ୍ର ପ୍ରଦାନ କରିଛନ୍ତି।
Follow Us