ନାଲ୍‌କୋର ରେକର୍ଡ ୮୩୧ କୋଟି ନିଟ୍ ଲାଭ

Advertisment
ନାଲ୍‌କୋର ରେକର୍ଡ ୮୩୧ କୋଟି ନିଟ୍ ଲାଭ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍‌କୋ) ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ୮୩୧ କୋଟି ଟଙ୍କାର ନିଟ୍‌ ଲାଭ ହାସଲ କରିଛି। କଂପାନିର ନିଟ୍ ଲାଭରେ ୩.୫ ଗୁଣା ବୃଦ୍ଧି ଘଟିଛି। ପୂର୍ବବର୍ଷ ଏହି ସମୟରେ ନାଲ୍‌କୋର ନିଟ୍ ଲାଭ ୨୪୦ କୋଟି ଟଙ୍କା ଥିଲା। ଚଳିତ ବର୍ଷ ସେଥିରେ ୨୪୬% ବୃଦ୍ଧି ହୋଇଛି। ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଏହି ସଫଳତାର ଶ୍ରେୟ କର୍ମଚାରୀମାନଙ୍କର ନିଷ୍ଠାପର ସେବା ଏବଂ ଅକ୍ଳାନ୍ତ ପରିଶ୍ରମକୁ ଦେଇଛନ୍ତି। ଏଥି ସହ ଉତ୍ପାଦନ, ଉତ୍ପାଦକତା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ କମ୍ପାନିର ଉତ୍ପାଦନ, ଜନଶକ୍ତି ଏବଂ ପରିଯୋଜନା ଉପରେ ବିଶେଷ ଧ୍ୟାନ ଦ୍ୱାରା ସମ୍ଭବ ହୋଇ ପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

୨୦୨୧ ଡିସେମ୍ବର ସୁଦ୍ଧା ଶେଷ ୯ ମାସରେ କଂପାନିର ମୋଟ ନିଟ୍ ଲାଭ ୧୯୨୬ କୋଟି ଟଙ୍କା ହୋଇଛି ଯାହା ଏକ ସର୍ବକାଳୀନ ରେକର୍ଡ। ପୂର୍ବବର୍ଷର ଏହି ୯ ମାସରେ କଂପାନିର ନିଟ୍ ଲାଭ ୩୬୪ କୋଟି ଟଙ୍କା ଉପରେ ୪୨୯% ବୃଦ୍ଧି ହୋଇଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ପରିଚାଳନାଗତ ମୋଟ ରାଜସ୍ୱରେ ଅଭିବୃଦ୍ଧି ଘଟି ୩,୭୭୩ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ଏହି ଅବଧିରେ ୨୩୭୯ କୋଟି ଟଙ୍କା ଥିଲା। ନାଲ୍‌କୋ ପ୍ରତି ସେୟାର ଉପରେ ୩ ଟଙ୍କାର ଦ୍ୱିତୀୟ ମଧ୍ୟବର୍ତ୍ତୀ ଲାଭାଂଶ ମଧ୍ୟ ଘୋଷଣା କରିଛି। ଏଥି ପୂର୍ବରୁ ଡିସେମ୍ବର ୨୦୨୧ ରେ ଇକ୍ୱିଟି ସେୟାର ପ୍ରତି ୨ ଟଙ୍କାର ପ୍ରଥମ ମଧ୍ୟବର୍ତ୍ତୀ ଲାଭାଂଶ ମଧ୍ୟ ପ୍ରଦାନ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷର ନଅ ମାସ ମଧ୍ୟରେ କମ୍ପାନି ଗତ ବର୍ଷର ୫୩.୪୮ ଲକ୍ଷ ଟନ୍ ତୁଳନାରେ ୫୫.୦୩ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଛି ଏବଂ ଆଲୁମିନା ହାଇଡ୍ରେଟ୍ ୧୫.୦୭ ଲକ୍ଷ ଟନ୍ ତୁଳନାରେ ୧୫.୪୧ ଲକ୍ଷ ଟନ୍ ଉତ୍ପାଦନ କରିଛି। ଆଲୁମିନିୟମ୍ ଉତ୍ପାଦନ ପ୍ରଥମ ନଅ ମାସରେ ୩.୪୩ ଲକ୍ଷ ଟନ୍ ହୋଇଛି ଯାହା ଗତ ବର୍ଷର ଏହି ଅବଧିରେ ୩.୦୫ ଲକ୍ଷ ଟନ ଥିଲା। ନାଲକୋ ସ୍ମେଲଟର ପ୍ଲାଣ୍ଟ ଏହାର ଇତିହାସରେ ପ୍ରଥମଥର ପାଇଁ ୯୬୦ଟି ପଟ୍ ଏକକାଳୀନ କାର୍ଯ୍ୟ କରାଇବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିପାରିଛି । ନିରବିଛିନ୍ନ କଞ୍ଚାମାଲ ଯୋଗାଣ ତଥା ଉତ୍ପାଦନ ବୃଦ୍ଧି, ଯୋଜନାବଦ୍ଧ ବିଦ୍ୟୁତ ପରିଚାଳନା, ବିଶେଷ କରି କୋଇଲା ସଂକଟ ସମୟରେ ଉତ୍ପାଦନ କ୍ଷମତାର ସୁବିନିଯୋଗ ଏବଂ ୟୁନିଟ୍ ଗୁଡ଼ିକର ସୁପରିଚାଳନା ଦ୍ୱାରା ଏହି ଉତ୍କୃଷ୍ଟ ପ୍ରଦର୍ଶନ ସମ୍ଭବ ହୋଇ ପାରିଛି ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe