ନିଜ ସେୟାରକୁ ୭୪୯ କୋଟିରେ କିଣିବ ନାଲ୍‌କୋ, ସେୟାର ବାଏବ୍ୟାକ୍ ଯୋଜନାକୁ ବୋର୍ଡର ଅନୁମୋଦନ

Advertisment

କେନ୍ଦ୍ର ସରକାର ଅଂଶଗ୍ରହଣ କରିବେ

କେନ୍ଦ୍ର ସରକାର ଅଂଶଗ୍ରହଣ କରିବେ

ନିଜ ସେୟାରକୁ ୭୪୯ କୋଟିରେ କିଣିବ ନାଲ୍‌କୋ, ସେୟାର ବାଏବ୍ୟାକ୍ ଯୋଜନାକୁ ବୋର୍ଡର ଅନୁମୋଦନ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଆଲୁମିନିୟମ କଂପାନି ନାଲ୍‌କୋ ୭୪୯.୧୦ କୋଟି ଟଙ୍କାର ସେୟାର ବାଏବ୍ୟାକ୍ କରିବ। ଅର୍ଥାତ ନିଜ ସେୟାରକୁ କିଣିବାରେ କଂପାନି ଏହି ଅର୍ଥ ବିନିଯୋଗ କରିବ। ଏହି ଯୋଜନାକୁ କଂପାନି ବୋର୍ଡ ମଞ୍ଜୁରି ପ୍ରଦାନ କରିଛି। ଆଜି କେନ୍ଦ୍ର ଦିପମ୍ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବମ୍ବେ ଷ୍ଟକ ବଜାରକୁ ନାଲ୍‌କୋ ଦେଇଥିବା ତଥ୍ୟ ଅନୁଯାୟୀ କଂପାନି ୧୩.୦୨ କୋଟି ସଂଖ୍ୟକ ସେୟାର ବାଏବ୍ୟାକ୍ କରିବ। ପ୍ରତି ସେୟାରର ମୂଲ୍ୟ ୫୭ ଟଙ୍କା ୫୦ ପଇସା ରହିବ। ନଗଦ ରାଶିରେ ସେୟାର କାରବାର ହେବ। ସେୟାର ବାଏବ୍ୟାକ୍ ପାଇଁ ଯେଉଁ ନିୟମ ରହିଛି ସେହି ଆଧାରରେ ଏହାର ପ୍ରକ୍ରିୟା, ସମୟ ଏବଂ ଅନ୍ୟାନ୍ୟ ବିବରଣୀ ଉପଯୁକ୍ତ ସମୟରେ ଘୋଷଣା କରାଯିବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନ‌ରେ ଥିବା ଦିପମ୍ ବିଭାଗର ସଚିବ ସୂଚନା ଦେଇଛନ୍ତି ଯେ ୭୪୯ କୋଟି ଟଙ୍କା ମୂଲ୍ୟର ଇକ୍ବିଟି ସେୟାର ପୁନର୍ବାର କିଣିବା ଲାଗି ନାଲ୍‌କୋ ଚାହୁଛି। କଂପାନିର ପ୍ରତିଷ୍ଠାତା ଭାବେ ଭାରତ ସରକାର ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ। କଂପାନିରେ ସରକାରଙ୍କ ଇକ୍ବିଟି ଅଂଶଧନ ଯେଭଳି ୫୧% ରହିପାରିବ ତାହାକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ଏହି ସେୟାର ବାଏବ୍ୟାକ୍ ପ୍ରକ୍ରିୟାରେ ଭାଗ ନେବେ। ଷ୍ଟକ ବଜାରରେ ଗତ ସୋମବାର ନାଲ୍‌କୋର ସେୟାର ମୂଲ୍ୟ ୪୬ ଟଙ୍କା ୧୫ ପଇସା ଥିଲା। ସେହି ମୂଲ୍ୟ ଉପରେ ୨୪.୫% ପ୍ରିମିୟମ୍‌ ଦେଇ କଂପାନି ସେୟାର ବାଏବ୍ୟାକ୍ କରିବ। କଂପାନି ୬.୯୮% ଇକ୍ବିଟି ସେୟାରକୁ ପୁନର୍ବାର କିଣିବ। ଇକ୍ବିଟି ଅଂଶଧନ କିଣିବା ଲାଗି ଅଂଶଧନକାରୀମାନଙ୍କ ଯୋଗ୍ୟତାର ମାନଦଣ୍ଡ ବିଷୟରେ କଂପାନି ଫେବ୍ରୁଆରି ୮ ତାରିଖରେ ଅବଗତ କରିବ।

କରୋନା ସଂକ୍ରମଣ ପରବର୍ତୀ ସମୟରେ ରାଜସ୍ବ ଆୟ ସଙ୍କୁଚିତ ହୋଇଥିବାରୁ ପୁଞ୍ଜିପ୍ରତ୍ୟାହାର ଜରିଆରେ ଅଧିକ ପାଣ୍ଠି ଯୋଗାଡ଼ କରିବା ଉପରେ ସରକାର ଅଧିକ ଧ୍ୟାନ ଦେଉଛନ୍ତି। ଏଭଳି ଏକ ସମୟରେ ନାଲ୍‌କୋର ସେୟାର ବାଏବ୍ୟାକ୍‌ ଯୋଜନା ଅନେକ ଗୁରୁତ୍ବ ରଖୁଛି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ୨.୧ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥି ମଧ୍ୟରୁ ସରକାରୀ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରେ ଥିବା ଅଂଶଧନ ବିକ୍ରି କରି ୯୦ ହଜାର କୋଟି ଟଙ୍କା ଓ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗର ଅଂଶଧନ ବିକିି ବଳକା ୧.୨ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ସରକାର ଚାହୁଛନ୍ତି। ପାଣ୍ଠି ଅଭାବ ସମୟରେ କେନ୍ଦ୍ର ସରକାର ଚିହ୍ନଟ କରିଥିବା ପ୍ରମୁଖ ପିଏସ୍‌ୟୁ ସଂସ୍ଥାଗୁଡ଼ିକୁ ଅଧିକ ଲାଭାଂଶ ଦେବା ପାଇଁ କିମ୍ବା ସେୟାର ବାଏବ୍ୟାକ୍ କରିବାକୁ କହିଥାନ୍ତି। ଏହା ଜରିଆରେ ପାଣ୍ଠିର ନିଅଣ୍ଟକୁ ଭରଣା କରିବାକୁ ପ୍ରୟାସ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe