ନାଲ୍‌କୋର ୬୪୪ କୋଟି ଲାଭାଂଶ ଘୋଷଣା

Advertisment
ନାଲ୍‌କୋର ୬୪୪ କୋଟି ଲାଭାଂଶ ଘୋଷଣା

ଭୁବନେଶ୍ବର : ନ୍ୟାସନାଲ୍ ଆଲୁମିନିୟମ୍ କଂପାନି (ନାଲ୍‌କୋ)ର ୪୦ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କଂପାନି ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୬୪୪.୨୭ କୋଟି ଟଙ୍କାର ମୋଟ୍ ଲାଭାଂଶ ଘୋଷଣା କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନାଲ୍‌କୋ ୨୭୯.୮୪ କୋଟି ଟଙ୍କାର ଲାଭାଂଶ ଘୋଷଣା କରିଥିଲା। ଏହି ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଅଂଶଧନକାରୀମାନଙ୍କୁ ସମ୍ବୋଧିତ କରି ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି ଯେ କଂପାନି ଦୀର୍ଘ ବର୍ଷ ଧରି ଦେଶର ସେବା କରିଆସୁଛି ଓ ଖଣିଜ ନିରାପତ୍ତା କ୍ଷେତ୍ରରେ ଭାରତକୁ ସଶକ୍ତ କରୁଛି। ଆଲୁମିନିୟମ କ୍ଷେତ୍ରରେ ଏହା ଦେଶକୁ ଆତ୍ମନିର୍ଭରଶୀଳ କରିଥିବା ବେଳେ ଏହି ଧାତବ ପଦାର୍ଥ ଉତ୍ପାଦନରେ ଦେଶକୁ ଏହା ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି।

କୋଭିଡ୍ ମହାମାରୀ ଆହ୍ବାନ ସତ୍ତ୍ବେ କଂପାନି ଆଲୋଚ୍ୟ ବର୍ଷରେ ସଫଳତା ହାସଲ କରିଛି। ଆମର ପାଞ୍ଚଟି ମୁଖ୍ୟ ଆଧାର ଯଥା ଉତ୍ପାଦନ, ଉତ୍ପାଦକତା, ମାନବ ସମ୍ବଳ, ପ୍ରକଳ୍ପ ଓ ଲାଭ ଉପରେ ଗୁରୁତ୍ବାରୋପ ଯୋଗୁଁ ପ୍ରଗତି ହାସଲ ହୋଇପାରିଛି ବୋଲି ସେ କହିଛନ୍ତି। ମାନବ ସମ୍ବଳ ମୂତୟନରେ କଟକଣା ଓ ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ସତ୍ତ୍ବେ କଂପାନିର ଶ୍ରମ ଶକ୍ତି ଉଦାହରଣ ସୃଷ୍ଟିକାରୀ ମନୋଭାବ ଓ ପ୍ରତିବଦ୍ଧତା ଭାବ ପ୍ରଦର୍ଶନ କରିଛନ୍ତି ଯାହା କଂପାନିକୁ ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି। କଂପାନିର ଭବିଷ୍ୟତ ଯୋଜନା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବର୍ତ୍ତମାନ ସମ୍ପ୍ରସା‌ରଣ କାର୍ଯ୍ୟକଳାପକୁ ଗୁରୁତ୍ବ ଦିଆଯାଉଛି। ସମ୍ପ୍ରସାରଣ ଠିକ୍ ଭାବେ ଅଗ୍ରଗତି କରୁଛି। ୨୦୨୩-୨୪ ସୁଦ୍ଧା କଂପାନି ୧ ନିୟୁତ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନାରିର ପଞ୍ଚମ ଷ୍ଟ୍ରିମ କାର୍ଯ୍ୟ ଶେଷ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe