ମୁମ୍ବାଇ: ଜେଟ୍ ଏୟାରୱେଜ୍ର ସହ-ପ୍ରତିଷ୍ଠାତା ନରେଶ ଗୋୟଲ ଜାମିନ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀ ଗୋୟଲ ଏବଂ ତାଙ୍କ ପତ୍ନୀଙ୍କର କର୍କଟ ରୋଗ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିରେ ତାଙ୍କୁ ଜାମିନ ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି। ବିଚାରପତି ଏନ୍ଜେ ଜମାଦାରଙ୍କ ଖଣ୍ଡପୀଠରେ ଦାଖଲ ଆବେଦନର ଶୁଣାଣି ଆସନ୍ତା ୩ ତାରିଖରେ ହେବ। ପତିପତ୍ନୀ ଉଭୟ କର୍କଟ ରୋଗରେ ପୀଡ଼ିତ ଥିବାରୁ ଏହା ତାଙ୍କ ମାନସିକ ସ୍ବାସ୍ଥ୍ୟକୁ ଗଭୀର ଭାବେ ପ୍ରଭାବିତ କରିଛି। ସେ ବଡ଼ଧରଣର ଅବସାଦ ଦେଇ ଗତି କରୁଛନ୍ତି । ବର୍ତ୍ତମାନ ସ୍ଥିତିରେ ତାଙ୍କୁ ଜାମିନ ପ୍ରଦାନ କରା ନଯିବା ମାନବ ଅଧିକାରର ଉଲ୍ଲଂଘନ ହେବ ବୋଲି ପିଟିସନରେ ଯୁକ୍ତି ରଖାଯାଇଛି। ଶ୍ରୀ ଗୋୟଲ ଏବେ କେମୋଥେରାପି ନେଉଛନ୍ତି। ତେଣୁ ତାଙ୍କୁ ଜେଲକୁ ପଠାଇବା ଠିକ ହେବନାହିଁ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ, କାନାରା ବ୍ୟାଙ୍କ ପକ୍ଷରୁ ଜେଟ୍ ଏୟାରୱେଜକୁ ଦିଆଯାଇଥିବା ଋଣରୁ ୫୩୮.୬୨ କୋଟି ଟଙ୍କା ସେ ତୋସରପାତ କରିଥିବା ଅଭିଯୋଗରେ ଇଡି ତାଙ୍କୁ ଗତବର୍ଷ ସେପ୍ଟେମ୍ବରରେ ଗିରଫ କରିଥିଲା। ଏହାପରେ ୨୦୨୩ ନଭେମ୍ବରରେ ଚାର୍ଜସିଟ ଦାଖଲ ସମୟରେ ତାଙ୍କ ପତ୍ନୀ ଅନିତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବୟସ ଓ ସ୍ବାସ୍ଥାବସ୍ଥାକୁ ଦେଖି ସ୍ବତନ୍ତ୍ର ଅଦାଲତ ଅନିତାଙ୍କୁ ସେହିଦିନ ଜାମିନ ଦେଇଥିଲେ। ଚଳିତବର୍ଷ ଫେବ୍ରୁଆରିରେ ସ୍ବତନ୍ତ୍ର ଅଦାଲତ ଶ୍ରୀ ଗୋୟଲଙ୍କୁ ପସନ୍ଦର ଘରୋଇ ଡାକ୍ତରଖାନାରେ ୨ ମାସ ପାଇଁ ଚିକିତ୍ସିତ ହେବାକୁ ଅନୁମତି ଦେଇଥିଲେ ବି ଜାମିନ ଦେବାକୁ ମନା କରିଥିଲେ। କିନ୍ତୁ ଶ୍ରୀ ଗୋୟଲ କହିଛନ୍ତି କାନାରା ବ୍ୟାଙ୍କରୁ ଅଣାଯାଇଥିବା ସମସ୍ତ ଋଣ ଜେଟ ଏୟାରୱେଜ ପାଇଁ ଖର୍ଚ୍ଚ କରାଯାଇଛି।
Follow Us