ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଦାବି: ପାର୍ବଣରେ ଅନଲାଇନ୍ ରିହାତି ବନ୍ଦ କର

Advertisment
ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଦାବି: ପାର୍ବଣରେ ଅନଲାଇନ୍ ରିହାତି ବନ୍ଦ କର

ନୂଆଦିଲ୍ଲୀ: ଫ୍ଲିପକାର୍ଟ ଓ ଆମାଜନ୍ ଭଳି ଅନ୍‌ଲାଇନ୍ କମ୍ପାନି ପାର୍ବଣ ଋତୁରେ ପ୍ରଦାନ କରୁଥିବା ରିହାତିକୁ ବନ୍ଦ କରିବା ଲାଗି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଦାବି କରିଛି। ଅନ୍‌ଲାଇନ୍ କମ୍ପାନିଙ୍କ ଏହି ରିହାତି ଏଫଡିଆଇ ନିୟମକୁ ଉଲ୍ଲଂଘନ କରୁଛି। ସଂଘ ପକ୍ଷରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଏ ନେଇ ଚିଠି ଲେଖାଯାଇଛି। ଏଥିରେ ଦର୍ଶାଯାଇଛି ପାର୍ବଣ ସମୟରେ ଇ-କମର୍ସ କମ୍ପାନି ଗୁଡ଼ିକ କରୁଥିବା ବିକ୍ରିରେ ବିପୁଳ ପରିମାଣର ରିହାତି ପ୍ରଦାନ କରାଯାଉଛି। ଏହା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିକୁ ଉଲ୍ଲଂଘନ କରୁଛି। ତୁରନ୍ତ ଏହି ବିଷୟର ଅନୁଧ୍ୟାନ କରାଯାଉ। ଏଥିସହିତ ଏସବୁ କମ୍ପାନିଙ୍କୁ ଏ ପ୍ରକାର ବିକ୍ରିରୁ ବିରତ ରଖାଯାଉ। ମନ୍ତ୍ରୀଙ୍କୁ ସଂଘ ଦେଇଥିବା ଚିଠିରେ ନିର୍ଦ୍ଦିଷ୍ଟ ଭାବେ ଫ୍ଲିପକାର୍ଟ ଓ ଆମାଜନର ନାମ ଉଲ୍ଲେଖ କରିଛି। ଇ-କମର୍ସ କମ୍ପାନି ଗୁଡ଼ିକ ବିକ୍ରିରେ ଦେଉଥିବା ବିପୁଳ ରିହାତି ସମ୍ପର୍କିତ ତଥ୍ୟ ଓ ପ୍ରମାଣ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ ଏସବୁ କମ୍ପାନି କିଭଳି ଏଫଡିଆଇ ନୀତିର ଉଲ୍ଲଂଘନ କରୁଛନ୍ତି ତାହାର ତଦନ୍ତ କରାଯାଉ। ପାର୍ବଣ ଋତୁରେ ଏହି କମ୍ପାନି ଗୁଡ଼ିକ କରୁଥିବା ରିହାତି ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି। ବର୍ତ୍ତମାନର ନିୟମ ଅନୁଯାୟୀ ଇ-କମର୍ସ କମ୍ପାନି ଗୁଡ଼ିକ କୌଣସି ସାମଗ୍ରୀ ଓ ସେବାର ବିକ୍ରି ମୂଲ୍ୟକୁ ଇ-କମର୍ସ କମ୍ପାନି ଗୁଡ଼ିକ ପ୍ରଭାବିତ କରିପାରିବେ ନାହିଁ। ପାର୍ବଣ ଋତୁରେ ଲୋକମାନେ ଅଧିକ ମାତ୍ରାରେ ସାମଗ୍ରୀ କିଣାକିଣି କରିଥାନ୍ତି। ତେଣୁ ଇ-କମର୍ସ କମ୍ପାନି ଗୁଡ଼ିକ ବିପୁଳ ପରିମାଣର ରିହାତି ଏହି ସମୟରେ ପ୍ରଦାନ କରୁଛନ୍ତି।

ତେବେ ଆମାଜନ ଇଣ୍ଡିଆର ପ୍ରବକ୍ତା କୁହନ୍ତି, ଭାରତରେ ପାର୍ବଣ ଋତୁ ହେଉଛି ସବୁଠୁ ବଡ଼ ସପିଂ ଋତୁ। ବିକ୍ରେତାମାନେ ଏହି ସମୟରେ ସେମାନଙ୍କ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ଅପେକ୍ଷା କରି ରହିଥାନ୍ତି। ଆ‌ମର ମାର୍କେଟପ୍ଲେସ ପ୍ରାୟତଃ ୫ ଲକ୍ଷରୁ ଅଧିକ କ୍ରେତାଙ୍କୁ ବିକ୍ରି ସୁବିଧା ଯୋଗାଇ ଦେଇଥାଏ। ଏମାନଙ୍କ ମଧ୍ୟରେ ଅନେକ କ୍ଷୁଦ୍ର ବ୍ୟବସାୟୀ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ବୁଣାକାର ଏବଂ କଳାକାରମାନେ ରହିଛନ୍ତି। ଏମାନେ ଆମ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କ ଗ୍ରାହକଙ୍କ ନିକଟରେ ପହଞ୍ଚି ପାରୁଛନ୍ତି ବୋଲି ସେ କହିଛନ୍ତି। ବିକ୍ରେତାମାନେ ହିଁ ସେମାନଙ୍କ ଉତ୍ପାଦର ବିକ୍ରି ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି ଏବଂ ଗ୍ରାହକଙ୍କୁ ସେମାନଙ୍କ ଚୟନ ସୁଯୋଗ ଯୋଗାଇ ଦେଇଥାନ୍ତି ବୋଲି ସେ କହିଛନ୍ତି। ଇ-କମର୍ସ କମ୍ପାନି ଭାବେ ଆମେ ଭାରତର ଅର୍ଥନୈତିକ କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଉଛୁ। ସ୍ଥାନୀୟ ନିର୍ମାତା, ଭାରତୀୟ ହସ୍ତଶିଳ୍ପକୁ ସହାୟତା ଯୋଗାଉଛୁ ଏବଂ ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ନୂଆ ନିଯୁକ୍ତି ସୃଷ୍ଟି କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe