ଭୁବନେଶ୍ୱର: ବ୍ୟବସାୟିକ ଜଗତରେ ଗତ ଦଶକରେ ନାକଟୀୟ ପରିବର୍ତ୍ତନ ଘଟିଛି। ବ୍ୟବସାୟିକ ସଂସ୍ଥାଗୁଡ଼ିକ ପୂର୍ବାପେକ୍ଷା ଆହୁରି ଅନ୍ତର୍ଜାତୀୟ ସ୍ୱରୂପ ଆପଣାଇଛନ୍ତି। କର୍ମଚାରୀମାନଙ୍କ ମଧ୍ୟରେ ବିବିଧତା ପରିଦୃଷ୍ଟ ହୋଇଛି। ଉତ୍ସାହ ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ସହସ୍ରାବ୍ଦୀର ନୂଆ ପିଢ଼ି ପୂର୍ବ ପିଢ଼ି ତୁଳନାରେ ଭିନ୍ନ ହୋଇପାରିଛନ୍ତି। ଡିଜିଟାଲ ଦୁନିଆ ସହ ସକ୍ରିୟ ସଂପୃକ୍ତି ଏହି ପିଢ଼ିର ବିଶେଷତ୍ୱ। ସେମାନେ ବ୍ରଡବ୍ୟାଣ୍ଡ୍, ସ୍ମାର୍ଟଫୋନ୍, ଲାପ୍ଟପ୍, ସୋସିଆଲ ମିଡିଆ ସହିତ ବଢ଼ିଛନ୍ତି। ଫଳରେ ସେମାନେ ହିଁ ଆଗାମୀ ସମୟର କର୍ମକ୍ଷେତ୍ରର ରୂପରେଖ ନିର୍ମାଣ କରିବେ ବୋଲି ରାଜ୍ୟପାଳ ଡ. ଏସ୍. ସି. ଜମିର୍ କହିଛନ୍ତି। ଭାରତୀୟ ପ୍ରବନ୍ଧ ସଂସ୍ଥାନ, ସମ୍ବଲପୁର ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଦ୍ୱିତୀୟ ନ୍ୟାସନାଲ ବିଜ୍ନେସ୍ କନ୍କ୍ଲେଭ୍-ମର୍ମଜ୍ଞ ୨.୦କୁ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି।
ରାଜ୍ୟପାଳ କହିଲେ ଏପରି ସ୍ଥିତିରେ କର୍ମଚାରୀ ଓ ପରିଚାଳକମାନେ ନୂଆ ଦକ୍ଷତା ଆହରଣ ନକଲେ ସଫଳ ହୋଇପାରିବେ ନାହିଁ। ପରିଚାଳନା କରିବା ଏବଂ ନେତୃତ୍ୱ ନେବା ମଧ୍ୟରେ ଥିବା ପାର୍ଥକ୍ୟକୁ ପରିଚାଳକମାନେ ହୃଦୟଙ୍ଗମ କରିବା ଏକାନ୍ତ ଜରୁରୀ। ନିଷ୍ପତ୍ତି ପ୍ରକ୍ରିୟାରେ ନୈତିକତାକୁ ଗୁରୁତ୍ୱ ଦେଇ ଜୀବନ ଓ ଜୀବିକାକୁ ପରିପୁଷ୍ଟ କରିବାକୁ ରାଜ୍ୟପାଳ ଏହି ଅବସରରେ ମତବ୍ୟକ୍ତ କରିଥିଲେ।
ଏହି ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ପ୍ରବନ୍ଧ ସଂସ୍ଥାନ, ସମ୍ବଲପୁରର ନିର୍ଦ୍ଦେଶକ ଏମ୍. ପି. ଜୟସ୍ୱାଲ, ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ଭି. ରାଜକୁମାର, ସମ୍ବାଦ ଗ୍ରୁପ୍ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ମହାନଦୀ କୋଲ୍ଫିଲ୍ଡର ନିର୍ଦ୍ଦେଶକ (କାର୍ମିକ) ଏଲ୍. ଏନ୍. ମିଶ୍ର ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
କର୍ମକ୍ଷେତ୍ରର ରୂପରେଖ ନିର୍ମାଣ କରିବେ ନୂଆପିଢ଼ି: ରାଜ୍ୟପାଳ
Advertisment
Follow Us