ଭୁବନେଶ୍ୱର: ବେଙ୍ଗାଲୁରଠାରେ ବାର୍ଷିକ ଜାତୀୟ ଆଲୁମିନିୟମ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଲ୍କୋର ଅଧ୍ୟକ୍ଷ ତଥା ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଆଇ)ର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଯୋଗଦେଇ କହିଛନ୍ତି, ୧୦ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ ପାଇଁ ଭାରତୀୟ ଆଲୁମିନିୟମ୍ ଉଦ୍ୟୋଗ ନିମନ୍ତେ ଜାତୀୟ ଆଲୁମିନିୟମ୍ ନୀତି ପ୍ରବର୍ତ୍ତନର ଆବଶ୍ୟକତା ରହିଛି। ଅନ୍ତର୍ଜାତୀୟ ସ୍ତରରେ ଆଲୁମିନିୟମ୍ର ୩୦୦୦ ଉପଯୋଗିତା ଥିବା ବେଳେ ଭାରତରେ ଏହା ମାତ୍ର ୩୦୦ରେ ସୀମିତ ଅଛି। ଭାରତରେ ମୁଣ୍ଡ ପିଛା ଆଲୁମିନିୟମ୍ ବ୍ୟବହାର ଦ୍ୱିଗୁଣ କରିବା ଉଦ୍ଦେଶ୍ୟରେ ଆଲୁମିନିୟମ୍ ଉପଯୋଗିତା ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଆଲୁମିନିୟମ୍ ଶିଳ୍ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ନାଲ୍କୋ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସ୍ଥାପିତ ହେଉଥିବା ଅନୁଗୁଳ ଆଲୁମିନିୟମ୍ ପାର୍କରେ ପୁଞ୍ଜିନିବେଶ ପାଇଁ ଏହି ପରିପ୍ରେକ୍ଷୀରେ ପୁଞ୍ଜିନିବେଶକାରୀ ଏବଂ ଅଂଶୀଦାରମାନଙ୍କୁ ଡ. ଚାନ୍ଦ ଆହ୍ଵାନ କରିଲେ। ଏହି ଅବସରରେ ଟ୍ରେଡ୍ କମିସନର୍ ପ୍ରଫେସର୍ ଆଲ୍ବର୍ଟୋଙ୍କ ନେତୃତ୍ୱରେ ଆସିଥିବା ଇଟାଲୀୟ ପ୍ରତିନିଧିଦଳ ଭାରତ ଏବଂ ଇଟାଲୀ ମଧ୍ୟରେ ଆଲୁମିନିୟମ୍ ଆନୁଷଙ୍ଗିକ ଶିଳ୍ପ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଇଟାଲୀ ସହ ଆନୁଷଙ୍ଗିକ ଶିଳ୍ପ ଏବଂ ବୈଷୟିକ ସହବନ୍ଧନ ଦିଗରେ ନାଲ୍କୋର ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ଆଲୁମିନିୟମ୍ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତିବିଶେଷ, ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଏବଂ ବିଦେଶୀ ପ୍ରତିନିଧିବୃନ୍ଦ ଅଂଶଗ୍ରହଣ କରିଥିଲେ।
‘ଆଲୁମିନିୟମ୍ ପାଇଁ ଜାତୀୟ ନୀତି ଆବଶ୍ୟକ’
Advertisment
Follow Us