ଜଟଣୀ : ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅଷ୍ଟ୍ରେଲିଆର ଉଚ୍ଚାୟୁକ୍ତ ବାରିଓ ଫାରେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ କହିଥିଲେ ଯେ ସଫଳତା କିମ୍ବା ବିଫଳତା ଜୀବନର ଏକ ଅଂଶମାତ୍ର। ସବୁଠୁ ବଡ଼ କଥା ହେଲା ବିବେକାନୁମୋଦିତ କାର୍ଯ୍ୟ କରିବା ଓ ସତ୍ୟନିଷ୍ଠ ରହିବା। ନବୁଝି ନବିଚାରି ଅନ୍ୟକୁ ଅନୁସରଣ ନକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବା ପାଇଁ ପ୍ରୟାସ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଅଷ୍ଟ୍ରେଲିଆର ଉଚ୍ଚାୟୁକ୍ତ ବାରିଓ ଫାରେଲ ନିଜ ବକ୍ତବ୍ୟରେ କହିଥିଲେ ଯେ ସାରା ବିଶ୍ବପାଇଁ ଭାରତ ସର୍ବଦା ଏକ ଜ୍ଞାନର ଉତ୍ସ ଭାବେ ରହିଆସିଛି। ଏହି ଉତ୍ସବରେ ୨୩ ଜଣ ଗବେଷକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିଲା ବେଳେ ୧୫ ଜଣ ଛାତ୍ରଛାତ୍ରୀ ସ୍ବର୍ଣ୍ଣପଦକ ଲାଭ କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଡିନ ପ୍ରଫେସର ପ୍ରଶାନ୍ତ ମହାନ୍ତି, ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର , ଉପସଭାପତି ପ୍ରଫେସର ଡି.ଏନ ରାଓ, ରେଜିଷ୍ଟ୍ରାର ପ୍ରଫେସର ଅନୀତା ପାତ୍ର ଏବଂ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
Follow Us