ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ୨୫୩ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି। ଭାରତ ଛାଡ଼ି ପଳାୟନ କରିଥିବା ଓ ବ୍ରିଟେନ୍ରେ ବନ୍ଧା ହୋଇ ଜେଲ୍ରେ ଥିବା ନିରବଙ୍କ ହଂକଂ ସଂସ୍ଥାରୁ ଏହି ସମ୍ପତ୍ତି ଜବତ କରାଯାଇଛି। ଏଥିରେ ବହୁ ଗହଣା ଓ ବ୍ୟାଙ୍କ ଜମା ରହିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ନିରବଙ୍କ ୨୬୫୦.୦୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଲାଣି।
ନିରବଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ନିରବ ଏବେ ବ୍ରିଟେନ୍ରେ ଏକ ଜେଲ୍ରେ ଅଛନ୍ତି। ତାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଉଦ୍ୟମ ଜାରି ରହିଛି। କୋର୍ଟରେ ନିରବ ସେହି ମାମଲା ହାରି ଯାଇଛନ୍ତି। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି। ଇଡି ଏହାର ତଦନ୍ତ ବେଳେ ତାଙ୍କ ହଂକଂ ସଂସ୍ଥାର ଗହଣା ଓ ବ୍ୟାଙ୍କ ଜମା ହଂକଂରେ ଥିବା ଜାଣିବାକୁ ପାଇଥିଲା। ମନି ଲଣ୍ଡରିଂ ନିରୋଧ ନିୟମରେ ରହିଥିବା ବ୍ୟବସ୍ଥା ଅନୁସାରେ ସେହି ସମ୍ପତ୍ତିକୁ ଜବତ କରାଯାଇଛି। ପୂର୍ବରୁ ନିରବଙ୍କ ଭାରତ ଓ ବିଦେଶରେ ଥିବା ୨,୩୯୬.୪୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା। ନିରବଙ୍କୁ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଛନ୍ତି। ସେହି ନିୟମ ଅଧୀନରେ ଥିବା ବ୍ୟବସ୍ଥା ଅନୁସାରେ ତାଙ୍କର ୧,୩୮୯ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଜବତ କରାଯାଇଥିବା ସମ୍ପତ୍ତିଗୁଡ଼ିକୁ ବ୍ୟାଙ୍କକୁ ହସ୍ତାନ୍ତର କରାଯାଉଛି। କିଛି ସମ୍ପତ୍ତି ହସ୍ତାନ୍ତର ହୋଇଥିବା ବେଳେ ଅନ୍ୟଗୁଡ଼ିକର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି।
Follow Us