ଭାରତ ଫେରିବାକୁ ଡରୁଛନ୍ତି ନିରବ ମୋଦୀ: ପ୍ରତ୍ୟର୍ପଣ ମାମଲାର ପୁନଃଶୁଣାଣି ଆବେଦନ, ନଭେମ୍ବର ୨୩ରେ ଶୁଣାଣି

ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ତାଙ୍କ ପ୍ରତ୍ୟର୍ପଣ ମାମଲାର ପୁନଃଶୁଣାଣି ପାଇଁ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତାମାସ ୨୩ ତାରିଖରେ ହେବ। ଭାରତକୁ ପ୍ରତ୍ୟର୍ପିତ ହେଲେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତାଙ୍କ ଉପରେ ଅତ୍ୟାଚାର କରିବା ଡର ତାଙ୍କୁ ଘାରିଛି।

nirav modi

Photograph: (Dainik Tribune)

ଲଣ୍ଡନ: ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ତାଙ୍କ ପ୍ରତ୍ୟର୍ପଣ ମାମଲାର ପୁନଃଶୁଣାଣି ପାଇଁ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତାମାସ ୨୩ ତାରିଖରେ ହେବ। ଭାରତକୁ ପ୍ରତ୍ୟର୍ପିତ ହେଲେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତାଙ୍କ ଉପରେ ଅତ୍ୟାଚାର କରିବା ଡର ତାଙ୍କୁ ଘାରିଛି। ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହା ଉପରେ ଯୁକ୍ତି ରଖିବେ ବୋଲି ଆଶା କରାଯାଉଛି। ତାଙ୍କୁ ଜେରା କରାଯିବ ନାହିଁ। କେବଳ ବିଚାର ପ୍ରକ୍ରିୟା ଚାଲିବ ବୋଲି ଅଦାଲତଙ୍କୁ ଅବଗତ କରାଯିବ। ୱେଷ୍ଟମିନିଷ୍ଟର କୋର୍ଟରେ ଏହି ମାମଲାର ଶୁଣାଣି ହେବ। ତେବେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଗଲେ କୌଣସି ପ୍ରକାର ଅତ୍ୟାଚାର ତାଙ୍କ ଉପରେ କରାଯିବ ନାହିଁ। ଭାରତର ଆଇନ ଅନୁସାରେ ତାଙ୍କ ବିଚାର ଚାଲିବ। କୌଣସି ଏଜେନ୍ସି ତାଙ୍କୁ ଜେରା କରିବେ ନାହିଁ ବୋଲି ପୁନର୍ବାର ପ୍ରତିଶ୍ରୁତି ଦେବେ। 

ଏ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ନିରବ ମୋଦୀଙ୍କ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇସାରିଛି। ବର୍ତ୍ତମାନ ତାଙ୍କୁ ପଚରାଉଚରା କରିବାର ଆବଶ୍ୟକତା ନାହିଁ। ଆମର ତଦନ୍ତ ମଧ୍ୟ ପ୍ରାୟତଃ ଶେଷ ହୋଇଛି। ଯଦି ବ୍ରିଟେନର ଅଦାଲତ ଆମକୁ ଏ ନେଇ ପ୍ରଶ୍ନ କରନ୍ତି ତା’ହେଲେ ଆମେ ପୂର୍ବ ପ୍ରତିଶ୍ରୁତିକୁ ଦୋହରାଇବୁ ବୋଲି ଉକ୍ତ ମାମଲା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଶତାଧିକ ଜାଲ୍‌ ଲେଟର ଅଫ୍‌ ଅଣ୍ଡ‌ରଟେକିଂ ଜରିଆରେ ୬୪୯୮ କୋଟି ଟଙ୍କା ତୋସରପାତ ମାମଲାର ତଦନ୍ତ କରୁଥିବା ଏକାଧିକ ଏଜେନ୍ସିଙ୍କର ମତ ପ୍ରାୟ ସମାନ ରହିଛି। ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ ସରକାରଙ୍କୁ କୁହାଯାଇ ସାରିଛି ଯେ ନିରବ ମୋଦୀଙ୍କୁ ମୁମ୍ବାଇସ୍ଥିତ ଆର୍ଥର ରୋଡ୍‌ ଜେଲ୍‌ର ବାରାକ୍‌ ନମ୍ବର ୧୨ରେ ରଖାଯିବ। ସେଠାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଚିକିତ୍ସା ସୁବିଧା ମଧ୍ୟ ସେଠାରେ ଉପଲବ୍ଧ ରହିଛି। ଭାରତର ଆଇନ ଅନୁସାରେ ତାଙ୍କର ବିଚାର ଚାଲିବ। ତାଙ୍କ ବିରୋଧରେ ନୂଆ ଅଭିଯୋଗ କିଛି କରାଯିବ ନାହିଁ। ଉଲ୍ଲେଖଯୋଗ୍ୟ, ୫୪ ବର୍ଷୀୟ ନିରବ ମୋଦୀଙ୍କୁ ପ୍ରତ୍ୟର୍ପଣ ୱାରେଣ୍ଟ୍‌ ବଳରେ ୨୦୧୯ ମାର୍ଚ୍ଚ ୧୯ରେ ଲଣ୍ଡନରେ ଗିରଫ କରଯାଇଥିଲା। ଏହାପରେ ୨୦୨୧ ଏପ୍ରିଲରେ ତତ୍କାଳୀନ ଗୃହ ସଚିବ ପ୍ରୀତି ପଟେଲ ତାଙ୍କର ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦେଇଥିଲେ। ଗିରଫ ପରେ ଗତ ପ୍ରାୟ ୬ ବର୍ଷ ହେଲା ସେ ଲଣ୍ଡନ ଜେଲ୍‌ରେ ଅଛନ୍ତି। ପ୍ରତ୍ୟର୍ପଣ ବିରୋଧରେ ‌ନିରବ ମୋଦୀଙ୍କର ପ୍ରାୟତଃ ସମସ୍ତ ଆବେଦନ ଶେଷ ହୋଇସାରିଛି। ଏପରିକି ଫେରାର ହେବା ଭୟ ଥିବାରୁ ତାଙ୍କର ଜାମିନକୁ ମଧ୍ୟ ଏକାଧିକ ଥର ଖାରଜ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe