ଋଣ ଖିଲାପୀ ପ୍ରସଙ୍ଗ : ରାହୁଲଙ୍କୁ ଜବାବ ଦେଲେ ନିର୍ମଳା, ୧୩ଟି ଟୁଇଟ୍‌ କରି ଦେଲେ ଉତ୍ତର

Advertisment
ଅଦାନୀ ପ୍ରସଙ୍ଗରେ କ’ଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ?

Jagran Josh

ନୂଆଦିଲ୍ଲୀ : ଉଦ୍ଦେଶ୍ୟମୂଳକ ଋଣ ଖିଲାପୀଙ୍କ ଋଣ ଅର୍ଥକୁ ସରକାର ଛାଡ଼ କରିଥିବା ନେଇ ଗତକାଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ କରିଥିଲେ ତାହା ଉପରେ ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମଙ୍ଗଳବାର ରାତିରେ ୧୩ଟି ଟୁଇଟ୍‌ କରି ସେ ଜଣାଇଛନ୍ତି ଯେ, ରୋମାଞ୍ଚଭରା ତଥ୍ୟ ଦେଇ ଲୋକମାନଙ୍କୁ ବିଭ୍ରାନ୍ତି କରିବାକୁ ପ୍ରୟାସ କରାଯାଇଛି। 'ଲୋନ୍ ରାଇଟ୍‌ ଅଫ୍' କ'ଣ ସେ ବିଷୟରେ ମନମୋହନ ସିଂହଙ୍କ ଠାରୁ ରାହୁଲ ଗାନ୍ଧୀ ପରାମର୍ଶ ନେଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି। ରାଇଟ୍‌ ଅଫ୍‌ର ଅର୍ଥ ହେଉଛି ଋଣ ରାଶିକୁ ହିସାବ ଖାତାରୁ ହଟାଇ ଦେବା। ନିର୍ମଳା ଲେଖିଛନ୍ତି ଯେ, ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁର୍ଜେୱାଲା ଲଜ୍ଜାହୀନ ଢଙ୍ଗରେ ଲୋକମାନଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସର ଚିରାଚରିତ ନୀତି ଅନୁସାରେ ପ୍ରାସଙ୍ଗିକ ନଥିବା ରୋମାଂଚଭରା ତଥ୍ୟକୁ ସେମାନେ ବ୍ୟବହାର କରିଛନ୍ତି। ସୀତାରମଣ ଜଣାଇଛନ୍ତି ଯେ, ୨୦୦୯-୧୦ରୁ ୨୦୧୩-୧୪ ଭିତରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ୧,୪୫,୨୨୬ କୋଟି ଟଙ୍କାର ଋଣ ରାଶି ନିଜ ହିସାବ ଖାତାରୁ ହଟାଇ ନେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଏନ୍‌ପିଏ ମୁକାବିଲା ପାଇଁ ଚାରିବର୍ଷର ସମୟ ଚକ୍ରକୁ ବିଚାରକୁ ନେଇ ବ୍ୟାଙ୍କଗୁଡ଼ିକ ଅର୍ଥ ବ୍ୟବସ୍ଥା କରନ୍ତି। ଏନ୍‌ପିଏ ରାଶି ସହ ସମାନ ପରିମାଣର ଅର୍ଥ ଯୋଗାଡ଼ ବା ବ୍ୟବସ୍ଥା ହୋଇଗଲେ ବ୍ୟାଙ୍କଗୁଡ଼ିକ ସେହି ଏନ୍‌ପିଏ ରାଶିକୁ ହିସାବ ଖାତାରୁ ହଟାଇ ଦିଅନ୍ତି। କିନ୍ତୁ ତ‌ାହା ଯେଭଳି ଆଦାୟ ହୋଇପାରିବ ସେଥିପାଇଁ ପ୍ରୟାସ ଜାରି ରଖନ୍ତି। ଋଣ ରାଶି ରାଇଟ୍‌ ଅଫ୍‌ କରିବାର ଅର୍ଥ ଋଣ ଛାଡ଼ କରିବା ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଋଣ ପରିଶୋଧ କରିବାର କ୍ଷମତା ଥିବା ସତ୍ତ୍ବେ ଯେଉଁମାନେ ଋଣ ପରିଶୋଧ କରନ୍ତି ନାହିଁ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଋଣ ଖିଲାପୀ କୁହାଯାଏ। ଉପା ଅମଳର ଫୋନ୍ ବ୍ୟାଙ୍କିଙ୍ଗ ସମୟରେ ଏହା ଦ୍ବାରା ସରକାରଙ୍କ ସହ ସମ୍ପର୍କରେ ଥିବା ଅନେକ ଲୋକ ଉପକୃତ ହୋଇଥିଲେ ବୋଲି ନିର୍ମଳା କହିଛନ୍ତି। ରଘୁରାମ ରାଜନ କହିଥିବା କଥାକୁ ମନେ ପକାଇ ଦେଇ ନିର୍ମଳା କହିଛନ୍ତି ଯେ, ଅସୁଲ ହୋଇପାରୁନଥିବା ଋଣର ବଡ଼ ଭାଗ ୨୦୦୬-୨୦୦୮ ଭିତରେ ସୃଷ୍ଟି ହୋଇଥିଲା। ଋଣ ଖିଲାପ କରିବାର ଅଭ୍ୟାସ ଥିବା କଂପାନିଗୁଡ଼ିକର ପ୍ରତିଷ୍ଠାତାଙ୍କୁ ଋଣ ଦିଆଯାଇଥିଲା। ଘରୋଇ ସଂସ୍ଥା ଅମଙ୍ଗ ହେଉଥିବା ବେଳେ ସରକାରୀ ବ୍ୟାଙ୍କ କିନ୍ତୁ ଋଣ ଦେବା ଜାରି ରଖିଥିଲେ। ଅସୁଲ ହୋଇପାରୁନଥିବା ଋଣ ପାଇଁ ରିଜର୍ଭ ବ୍ୟାଙ୍କ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର ବୋଲି ରାଜନ କହିଥିଲେ। ୨୦୧୫ରେ ସରକାର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରମୁଖ ୫୦ ଋଣ ଖିଲାପୀଙ୍କ ଯାଂଚ କରିବାକୁ କହିଥିଲେ। ନିରବ ମୋଦୀ, ମେହୁଲ ଚୋକ୍‌ସି ଓ ମାଲ୍ୟାଙ୍କ ଉପରେ ତିନିଟି ଟୁଇଟ୍‌ରେ ନିର୍ମଳା ନିର୍ଦିଷ୍ଟ ଭାବେ ତଥ୍ୟ ରଖିଛନ୍ତି। କାହାର କେତେ ସମ୍ପତ୍ତି ଜବତ କରାଯାଇଛି ଏବଂ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ଦେଇଛନ୍ତି। କ୍ଷମତାରେ ଥିବା ବେଳେ କିମ୍ବା ବିରୋଧ ଦଳ ଆସନରେ ବସିଥିବା ବେଳେ ଦୁର୍ନୀତି ଓ ପୁଞ୍ଜିବାଦକୁ ହଟାଇବା ଲାଗି କଂଗ୍ରେସ କେବେ ବି ପ୍ରତିବଦ୍ଧତା ପ୍ରଦର୍ଶନ କରିନାହିଁ ବୋଲି ନିର୍ମଳା କହିଛନ୍ତି। ଉଲ୍ଲେଖଯୋଗ୍ୟ, ସୂଚନା ଅଧିକାର ଆଇନ ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ମିଳିଥିବା ୫୦ ଉଦ୍ଦେଶ୍ୟମୂଳକ ଋଣ ଖିଲାପୀଙ୍କ ତାଲିକା ଏବଂ ସେମାନଙ୍କ ପାଇଁ କରାଯାଇଥିବା ଲୋନ୍ ରାଇଟ୍‌ ଅଫ୍‌କୁ ନେଇ ରାହୁଲ ଓ ସୁର୍ଜେୱାଲା ସରକାରଙ୍କୁ ଘେରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳାଙ୍କୁ ରାହୁଲ ଟାର୍ଗେଟ୍‌ କରି ତାଙ୍କ ଠାରୁ ଜବାବ ମାଗିଥିଲେ।

ଟ୍ୟୁସନ ହୁଅ: ଜାଭଡ଼େକର
ନୂଆଦିଲ୍ଲୀ : ଉଦ୍ଦେଶ୍ୟମୂଳକ ଋଣ ଖିଲାପୀ ତାଲିକାକୁ ନେଇ ସୃଷ୍ଟି ହୋଇଥିବା ବିତର୍କରେ ନିଜକୁ ସାମିଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବା ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ପାଖରେ ଟ୍ୟୁସନ ହେବାକୁ ପରାମର୍ଶ ଦେଇଛନ୍ତି। ଟୁଇଟ୍‌ କରି ଜାଭଡ଼େକର ଲେଖିଛନ୍ତି ଯେ, ରାଇଟ୍‌ ଅଫ୍ (ଖାତାରୁ ହଟାଇବା) ଓ ୱେଭ୍ ଅଫ୍ (ଛାଡ଼ କରିବା) ଭିତରେ ଫରକ ଅଛି। ନରେନ୍ଦ୍ର ମୋଦୀ ସରକାର କୌଣସି ଋଣ ଛାଡ଼ କରିନାହାନ୍ତି। ୱେଭ୍‌ ଅଫ୍ ହେଉଛି ଏକ ସ୍ବାଭାବିକ ହିସାବ ପ୍ରକ୍ରିୟା। ଋଣ ଅର୍ଥ ଅସୁଲ କରିବାରେ ଏହା ବାଧା ସୃଷ୍ଟି କରେ ନାହିଁ ବୋଲି ସେ ଜଣାଇଛନ୍ତି। ନିରବ ମୋଦୀଙ୍କ ସମ୍ପତ୍ତି ଜବତ ହୋଇ ନିଲାମ ହେଉଛି। ବ୍ରିଟେନ ହାଇକୋର୍ଟ ଆବେଦନକୁ ଖାରଜ କରିଥିବାରୁ ଦେଶକୁ ଫେରିବା ବ୍ୟତୀତ ମାଲ୍ୟାଙ୍କ ପାଖରେ ଆଉ ବାଟ ନାହିଁ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe