ଅସନ୍ତୁଷ୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିର୍ମଳାଙ୍କ ଚିଠି, ପ୍ରଥମ ପ୍ରସ୍ତାବ ଗ୍ରହଣ କରିବାକୁ କହିଲେ

Advertisment
ଅସନ୍ତୁଷ୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିର୍ମଳାଙ୍କ ଚିଠି, ପ୍ରଥମ ପ୍ରସ୍ତାବ ଗ୍ରହଣ କରିବାକୁ କହିଲେ

Postman News

ନୂଆଦିଲ୍ଲୀ : ଜିଏସ୍‌ଟି କ୍ଷତିପୂରଣକୁ ନେଇ ଗତକାଲି କେନ୍ଦ୍ର ସରକାର ହଠାତ୍‌ ନିଜର ମନ ବଦଳାଇଥିଲେ। ନିଜେ ଋଣ କରି ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବେ ବୋଲି କହିଥିଲେ। ଏହାକୁ ବିରୋଧୀଙ୍କ ଦ୍ବାରା ଶାସିତ ରାଜ୍ୟଗୁଡ଼ିକର ବିଜୟ ଭାବେ ବିଚାର କରାଯାଉଛି। କାରଣ ସେମାନେ କେନ୍ଦ୍ରର ଚାପ ଆଗରେ ମୁଣ୍ଡ ନୁଆଁଇ ନଥିଲେ ଏବଂ କେନ୍ଦ୍ର ନିଜେ ଋଣ କରୁ ବୋଲି ଦାବି କରୁଥିଲେ। ଶେଷରେ ସେମାନଙ୍କ କଥା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସନ୍ତୁଷ୍ଟ ଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ପ୍ରଥମ ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ପ୍ରଥମ ପ୍ରସ୍ତାବରେ କେନ୍ଦ୍ର ସରକାର ନିଜ ଆଡ଼ୁ ୧.୧ ଲକ୍ଷ କୋଟି ଟଙ୍କା ଋଣ କରି ରାଜ୍ୟଗୁଡ଼ିକ ମଧ୍ୟରେ ବାଣ୍ଟିବେ। ଏହି ପ୍ରସ୍ତାବକୁ ୨୧ଟି ରାଜ୍ୟ ଗ୍ରହଣ କରିସାରିଛନ୍ତି। ଅନ୍ୟ ୯ଟି ରାଜ୍ୟ ନିଜର ନିଷ୍ପତ୍ତି ବିଷୟରେ ଜଣାଇବା ପରେ ଋଣ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମତୀ ସୀତାରମଣ ଚିଠିରେ ଉଲ୍ଲେଖ କରିଛନ୍ତି।

ନିର୍ମଳା ସ୍ପଷ୍ଟ କରିଛନ୍ତି ଯେ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡ଼ିକୁ ଦେବେ। କ୍ଷତିପୂରଣ ସେସ୍‌ରୁ ଯେତିକି ଟଙ୍କା ଆଦାୟ ହେବ ‌ତାହାକୁ ମୂଳଧନ ଓ ସୁଧ ପରିଶୋଧ କରିବାରେ ବ୍ୟବହାର କରାଯିବ। ଫଳରେ ରାଜ୍ୟଗୁଡ଼ିକ ଉପରେ କୌଣସି ଆର୍ଥିକ ବୋଝ ରହିବ ନାହିଁ। ଅର୍ଥମନ୍ତ୍ରୀ ରାଜ୍ୟଗୁଡ଼ିକୁ ଜଣାଇଛନ୍ତି ଯେ ରାଜ୍ୟଗୁଡ଼ିକ ମୋଟ ଉପରେ ୨.୧୬ ଲକ୍ଷ କୋଟି ଟଙ୍କା ପାଇବେ। ସ୍ପେସିଆଲ୍ ୱିଣ୍ଡୋରୁ ସେମାନେ ୧.୧ ଲକ୍ଷ କୋଟି ଟଙ୍କା ପାଇବେ। ଜିଏସ୍‌ଡିପିର ଅତିରିକ୍ତ ୦.୫ ପ୍ରତିଶତ ଋଣ କରିବା ଲାଗି ଯେଉଁ ଅନୁମତି ଦିଆଯାଇଛି ସେହି କ୍ଷମତାକୁ ବ୍ୟବହାର କରି ରାଜ୍ୟଗୁଡ଼ିକ ବଳକା ୧.୦୬ ଲକ୍ଷ କୋଟି ଟଙ୍କା ହାସଲ କରିପାରିବେ। ପ୍ରଥମ ପ୍ରସ୍ତାବରେ ସରକାର ଏଭଳି ଭାବେ ଋଣ ରାଶି ଯୋଗାଡ଼ କରିବେ ଯଦ୍ବାରା ସୁଧ ହାର ଭାରତ ସରକାର ଆଣୁଥିବା ଋଣର ସୁଧ ପାଖାପାଖି ରହିବ। ଏହା ଦ୍ବାରା ଯେତିକି ଟଙ୍କା ସଂଗ୍ରହ ହେବ ତାହା ଜରିଆରେ ବର୍ଷ ସାରାର କ୍ଷତିପୂରଣ ରାଶି ଦିଆଯାଇପାରିବ ବୋଲି ନିର୍ମଳା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe