ନିତି ଆୟୋଗ ରିପୋର୍ଟରେ ଓଡ଼ିଶାର ୩ ସଫଳ କାହାଣୀ

Advertisment

ଟିଚ୍‌ ଗଜପତି, ସ୍ବୀକୃତି ଯୋଜନା ଓ ଭୁବନେଶ୍ବର ୱାନ୍‌କୁ ପ୍ରଶଂସା

ଟିଚ୍‌ ଗଜପତି, ସ୍ବୀକୃତି ଯୋଜନା ଓ ଭୁବନେଶ୍ବର ୱାନ୍‌କୁ ପ୍ରଶଂସା

ଆକାଂକ୍ଷା ଜିଲ୍ଲାର ବିକାଶ ପରଖିଲେ ନୀତି ଆୟୋଗ: ଦେଶର ଶ୍ରେଷ୍ଠ ୨୦ ଜିଲ୍ଲାରେ ରାୟଗଡ଼ା

The Indian Express

ନୂଆଦିଲ୍ଲୀ: ଜାତିସଂଘ ଉଚ୍ଚସ୍ତରୀୟ ରାଜନୈତିକ ଫୋରମ୍ (ଏଚ୍‌ଏଲ୍‌ପିଏଫ୍‌)ରେ ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଭାରତର ଦ୍ବିତୀୟ ସ୍ବେଚ୍ଛାକୃତ ଜାତୀୟ ସମୀକ୍ଷା (ଭିଏନ୍‌ଆର୍‌) ରିପୋର୍ଟ ୨୦୨୦କୁ ଉପସ୍ଥାପନ କରାଯାଇଛି। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଲକ୍ଷ୍ୟ ହାସଲ କରିବାକୁ ନେଇ ୧୭ଟି ସୂଚକାଙ୍କ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ‌ସେଥିରେ ଓଡ଼ିଶାର ତିନିଟି ସଫଳ କାହାଣୀକୁ ସ୍ଥାନିତ କରାଯାଇଛି। ଗୁଣବତ୍ତା ଶିକ୍ଷା ପ୍ରସଙ୍ଗରେ ଟିଚ୍‌ ଗଜପତି କାର୍ଯ୍ୟକ୍ରମକୁ ରିପୋର୍ଟରେ ପ୍ରଶଂସା କରାଯାଇଛି। ଆକାଂକ୍ଷୀ ଜିଲ୍ଲା ତାଲିକାରେ ସ୍ଥାନ ପାଇଥିବା ଗଜପତିରେ ଏହି କାର୍ଯ୍ୟକ୍ରମକୁ ୨୦୧୮ ଜୁନ୍ ୨୯ରେ ଆରମ୍ଭ କରାଯାଇଥିଲା। ଏହା ହେଉଛି ଏକ ସ୍ବେଚ୍ଛାକୃତ ଶିକ୍ଷାଦାନ କାର୍ଯ୍ୟକ୍ରମ ଯେଉଁଥିରେ ଅବସରପ୍ରାପ୍ତ ଶିକ୍ଷକ, ସରକାରୀ ଅଧିକାରୀ ଓ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ସ୍କୁଲରେ ପାଠପଢ଼ାଇବାର ସୁଯୋଗ ଦିଆଯାଉଛି। ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶଂସା‌ କରିଥିଲେ। ବୈଷମ୍ୟ ହ୍ରାସ କ୍ଷେତ୍ରରେ କିନ୍ନରଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ‘ସ୍ବୀକୃତି’ ଯୋଜନାକୁ ମଧ୍ୟ ରିପୋର୍ଟରେ ପ୍ରଶଂସା କରାଯାଇଛି। ଏହି ଯୋଜନା ଅଧୀନରେ କିନ୍ନରମାନଙ୍କୁ ଚିହ୍ନଟ କରି ସେମାନଙ୍କ ଅଧିକାରର ସୁରକ୍ଷା କରାଯାଉଥିବା ବେଳେ ସମାନ ଅଧିକାର ମଧ୍ୟ ଦିଆଯାଉଛି। ସେମାନଙ୍କ ମାତାପିତାଙ୍କୁ ସହାୟତା ଦିଆଯାଉଥିବା ବେଳେ କିନ୍ନରମାନଙ୍କୁ ପ୍ରାକ୍ ମେଟ୍ରିକ୍ ଓ ମେଟ୍ରିକ୍ ପରବର୍ତୀ ବୃତ୍ତି ମଧ୍ୟ ପ୍ରଦାନ କରାଯାଉଛି। ସେମାନଙ୍କ ଦକ୍ଷତା ବିକାଶ ସହ ଉଦ୍ୟୋଗୀ ଭାବେ ପରିଣତ କରିବା ଲାଗି ଏହି ଯୋଜନା ସ୍ମାର୍ଟ କାର୍ଡ ଦିଆଯାଉଛି। ‘ସଷ୍ଟେନେବଲ୍ ସିଟିଜ୍ ଆଣ୍ଡ୍‌ କମ୍ୟୁନିଟିଜ୍’ ବର୍ଗରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଭୁବନେଶ୍ବର ୱାନ୍ ପୋର୍ଟାଲ୍‌ଙ୍କୁ ପ୍ରଶଂସା‌ କରାଯାଇଛି। ଏହା ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ଏକକ ସମାଧାନର ବାଟ ବୋଲି ରିପୋର୍ଟରେ କୁହାଯାଇଛି। ଏହି ପୋର୍ଟାଲ୍‌ରେ ଗନ୍ତବ୍ୟ ସ୍ଥଳ, ସାର୍ବଜନୀନ ସେବା, ପର୍ଯ୍ୟଟନ, କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ମିଳୁଛି।

ଏଚ୍‌ଏଲ୍‌ପିଏଫ୍‌ ପ୍ରତିବର୍ଷ ଜୁଲାଇ ମାସରେ ୮ ଦିନ ପାଇଁ ଅନୁଷ୍ଠିତ ହୋଇଥାଏ । ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦ ଇକୋସ୍‌କ୍‌ ଆନୁକୂଲ୍ୟରେ ଏହା ଆୟୋଜିତ ହୁଏ । ୨୦୩୦ ସୁଦ୍ଧା ଯେଉଁ ୧୭ଟି ପ୍ରମୁଖ ବିଷୟରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଜାତିସଂଘ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ତାହାର ଗତିବିଧି, ରୂପାୟନ ଓ ଅଗ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା ହୋଇଥାଏ । ଏଥିପାଇଁ ସଂପୃକ୍ତ ସଭ୍ୟ ରାଷ୍ଟ୍ରମାନେ ନିଜ ନିଜର ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଥାନ୍ତି । ଅବଶ୍ୟ ଏହି ରିପୋର୍ଟ ଉପସ୍ଥାପନ ଇଛାଧୀନ । ତେବେ ସଂପୃକ୍ତ ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ଦେଶର ସଫଳତା ବିଫଳତା, ରଣନୀତି ଏବଂ ଅନ୍ୟାନ୍ୟ ବିଷୟରେ ସଭ୍ୟ ରାଷ୍ଟ୍ରମାନେ ତଥ୍ୟ ଜାଣିବାକୁ ପାଆନ୍ତି ଏବଂ ତଦନୁସାରେ ନିଜର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe