ଆଉ କଲବଲ କରିବନି ବିଦେଶୀ କଲ୍‌: ଜାଲ୍‌ ଅନ୍ତର୍ଜାତୀୟ ନମ୍ବର ବ୍ଲକ୍ ହେବ

Advertisment
ଆଉ କଲବଲ କରିବନି ବିଦେଶୀ କଲ୍‌: ଜାଲ୍‌ ଅନ୍ତର୍ଜାତୀୟ ନମ୍ବର ବ୍ଲକ୍ ହେବ

ନୂଆଦିଲ୍ଲୀ: ସାଇବର୍ ଠକେଇକୁ ନେଇ ଅତିଷ୍ଠ ହୋଇପଡ଼ିଥବା ଜନସାଧାରଣଙ୍କୁ ଆଶ୍ବସ୍ତି ଦେବା ଲାଗି ଟେଲିକମ୍ ବିଭାଗ ଏକ ସ୍ବତନ୍ତ୍ର ବ୍ୟବସ୍ଥା ବିକାଶ କରିଛି। ଏହା ଜରିଆରେ ଭାରତୀୟ ନମ୍ବର ଦେଖାଇ ଯେଉଁ ଅନ୍ତର୍ଜାତୀୟ କଲ୍‌ଗୁଡ଼ିକ କରାଯାଉଛି ତାହାକୁ ସହଜରେ ବ୍ଲକ୍ କରାଯାଇପାରିବ। ‌ଟେଲିକମ୍ ବିଭାଗ ଓ ଟେଲିକମ୍ କମ୍ପାନିଗୁଡ଼ିକର ମିଳିତ ଉଦ୍ୟମରେ ଏହି ବ୍ୟବସ୍ଥା ବିକାଶ କରାଯାଇଛି। ଏହି ବ୍ୟବସ୍ଥାରେ ଜାଲ୍ ଅନ୍ତର୍ଜାତୀୟ କଲ୍‌ଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ। ସେହି କଲ୍‌ କୌଣସି ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ନମ୍ବରକୁ ବ୍ଲକ୍ କରାଯାଇପାରିବ। ଏବେ ବିଦେଶ ମାଟିରେ ବସି ସାଇବର ଅପରାଧୀମାନେ ଭାରତୀୟମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ସେଭଳି ଅପରାଧକୁ ରୋକିବା ଲାଗି ଏହି ବ୍ୟବସ୍ଥା ବିକାଶ କରାଯାଇଛି। କାମ୍ବୋଡ଼ିଆ ସମେତ ଦକ୍ଷିଣ ପୂର୍ବ ଏସିଆର ବହୁ ସହରରେ ଭାରତୀୟମାନଙ୍କୁ ନିଯୁକ୍ତି ଦେବା ‌ବାହାନାରେ ନେଇ ସେଠାରେ ସାଇବର କ୍ରୀତଦାସ ଭାବେ ବ୍ୟବହାର କରାଯାଉଛି। ସେମାନଙ୍କ ଜରିଆରେ ଭାରତୀୟମାନଙ୍କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ ରହିଛି।

ଟେଲିକମ୍ ବିଭାଗ କହିବାନୁସାରେ ଦେଶର ଲୋକମାନଙ୍କ ପାଖକୁ ଅନ୍ତର୍ଜାତୀୟ ନମ୍ବରରୁ ବହୁ କଲ୍‌ ଆସୁଛି ଯାହାକୁ ସେମାନେ ବିଦେଶ ମାଟିରୁ ଆସିଥିବା କଲ୍ ଭାବେ ଜାଣିପାରୁନାହାନ୍ତି। କାରଣ ଅପରାଧୀମାନେ କଲିଂ ଲାଇନ୍ ପରିଚୟ ବଦଳାଇ ଦେଉଛନ୍ତି। ସେହି ନମ୍ବର ଆଉ ବିଦେଶ ନମ୍ବର ଭାବେ ପ୍ରଦର୍ଶିତ ନହୋଇ, ଭାରତୀୟ ନମ୍ବରରେ ରୂପାନ୍ତରିତ ହୋଇଯାଉଛି। ନିକଟରେ ଯେଉଁ କିଛି ଜାଲ୍ ଡିଜିଟାଲ୍ ଗିରଫଦାରୀ ମାମଲା ସାମ୍ନାକୁ ଆସିଥିଲା ସେଥିରୁ ଏଭଳି କାରସାଦି ଧରାପଡ଼ିଥିଲା। ଅପରାଧୀମାନେ ଫେଡ୍ଏକ୍ସ, ସରକାରୀ, ପୁଲିସ ଅଧିକାରୀ, ଟେଲିକମ୍ ବିଭାଗ କିମ୍ବା ଟ୍ରାଇ ଅଧିକାରୀ ଭାବେ ମିଥ୍ୟା ପରିଚୟ ଦେଇ ଲୋକଙ୍କୁ ଫୋନ୍ କରୁଛନ୍ତି। ଭାରତୀୟ ଲ୍ୟାଣ୍ଡଲାଇନ ପ୍ରଦର୍ଶିତ କରି କରାଯାଉଥିବା ଅନ୍ତର୍ଜାତୀୟ କଲ୍‌ଗୁଡ଼ିକୁ ବ୍ଲକ୍ କରିବାକୁ ପୂର୍ବରୁ ଟେଲିକମ୍ କମ୍ପାନିଗୁଡ଼ିକୁ କୁହାଯାଇଥିଲା। ଏବେ ଏଭଳି ସବୁ ପ୍ରକାର କଲ୍ ବ୍ଲକ୍ କରିବାକୁ ସେମାନଙ୍କୁ କୁହାଯାଇଛି। ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ବେ ଅପରାଧୀମାନେ ନୂଆ ନୂଆ ଉପାୟ ବାହାର କରି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ‌ସେଭଳି ସନ୍ଦେହଜନକ କଲ୍‌ ବିଷୟରେ ଜଣାପଡ଼ିଲେ ସଞ୍ଚାର ସାଥୀ ପୋର୍ଟାଲ୍‌ରେ ଥିବା ‘ଚକ୍ଷୁ’ରେ ସୂଚିତ କରିବାକୁ ‌ଟେଲିକମ୍ ବିଭାଗ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe