୧୧,୩୦୦ କୋଟିର ଦାବିଦାର ନାହାନ୍ତି

୧୧,୩୦୦ କୋଟିର ଦାବିଦାର ନାହାନ୍ତି

ବେଙ୍ଗାଲୁରୁ: ଦେଶରେ ଦାବିଦାର ନଥିବା ବ୍ୟାଙ୍କ ଜମା ସଂପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସଦ୍ୟ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଦେଶର ୬୪ଟି ବ୍ୟାଙ୍କରେ ଜମା ରହିଥିବା ୧୧,୩୦୨ କୋଟି ଟଙ୍କାର କେହି ଦାବିଦାର ନାହାନ୍ତି। ୩ କୋଟିରୁ ଅଧିକ ସଂଖ୍ୟକ ଆକାଉଣ୍ଟରେ ଏହି ଜମାରାଶି ରହିଛି। ଏହି ଅର୍ଥ ମଧ୍ୟରୁ ସବୁଠୁ ଅଧିକ ଜମାରାଶି ଭାରତୀୟ ଷ୍ଟେଟ ବ୍ୟାଙ୍କରେ ରହିଛି। ଷ୍ଟେଟବ୍ୟାଙ୍କରେ ମୋଟ ୧୨୬୨ କୋଟି ଟଙ୍କା ରହିଥିବାବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୨୫୦ କୋଟି ରହିଛି। ଷ୍ଟେଟ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ମିଶାଇ ଅନ୍ୟ ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକରେ ମୋଟ ୭୦୪୦ କୋଟି ଟଙ୍କା ଜମା ରହିଛି ଯାହାର କେହି ଦାବିଦାର ନାହାନ୍ତି। ତେବେ ଭାରତର ବ୍ୟାଙ୍କ ଗୁଡ଼ିକରେ ମୋଟ ୧୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ଜମାଥିବାରୁ ଦାବିଦାର ନଥିବା ଏହି ଜମାରାଶିର ଅଂଶ ଖୁବ୍‌ କମ୍‌ ବୋଲି କୁହାଯାଉଛି। ଆଇଆଇଏମ୍‌ ବେଙ୍ଗାଲୁରୁର ପୂର୍ବତନ ଆର୍‌ବିଆଇ ଚେୟାର ପ୍ରଫେସର ଚରଣ ସିଂହଙ୍କ କହିବାନୁଯାୟୀ, ଏହି ଜମା ମଧ୍ୟରୁ ଅଧିକାଂଶ ଏଭଳି ଆକାଉଣ୍ଟ ଯେଉଁଗୁଡ଼ିକର ତତ୍ୱାବଧାୟକଙ୍କର ମୃତ୍ୟୁ ହୋଇସାରିଛି। ତେଣୁ ଏହି ଜମାରାଶିରେ ଅଧିକ ପରିମାଣର ବେନାମୀ ସଂପତ୍ତି ରହିଥିବ ବୋଲି ଆଶା କରାଯାଇ ନପାରେ। ବ୍ୟାଙ୍କିଂ ନିୟାମକ ଆଇନ ୧୯୪୯ର ଧାରା ୨୬ ଅନୁଯାୟୀ ୧୦ ବର୍ଷରୁ ଊର୍ଧ୍ୱ ସମୟ ଧରି କାରବାର ହୋଇ ନଥିବା ବ୍ୟାଙ୍କ ଆକାଉଣ୍ଟ ସଂପର୍କରେ ପ୍ରତି କ୍ୟାଲେଣ୍ଡର ବର୍ଷ ଶେଷ ହେବାର ୩୦ ଦିନ ମଧ୍ୟରେ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କକୁ ସୂଚନା ଦେବାକୁ ପଡ଼ିଥାଏ।

ଆର୍‌ବିଆଇର ସୂଚନା ଅନୁଯାୟୀ ଘରୋଇ ଆକ୍ସିସ, ଡିସିବି, ଏଚଡିଏଫ୍‌ସି, ଆଇସିଆଇସିଆଇ, ଇଣ୍ଡସଇଣ୍ଡ୍‌, କୋଟାକ୍‌ ମହିନ୍ଦ୍ରା ଏବଂ ୟେସ୍‌ ବ୍ୟାଙ୍କରେ ମୋଟ ୮୨୪ କୋଟି ଟଙ୍କାର ଜମାରାଶି ପଡ଼ି ରହିଛି। ଅନ୍ୟ ୧୨ଟି ଘରୋଇ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ରହିଛି। ଘରୋଇ ବ୍ୟାଙ୍କରେ ମୋଟ ୧୪୧୬ କୋଟି ଟଙ୍କା ଜମାରାଶିର କେହି ଦାବିଦାର ନାହାନ୍ତି। ଘରୋଇ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ସବୁଠୁ ଅଧିକ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ୪୭୬ କୋଟି ଟଙ୍କା ଥିବାବେଳେ କୋଟାକ୍‌ ମହିନ୍ଦ୍ରା ନିକଟରେ ୧୫୧ କୋଟି ଟଙ୍କା ଜମା ରହିଛି ଯାହାର କେହି ଦାବିଦାର ନାହାନ୍ତି। ତେବେ ୨୫ ବିଦେଶୀ ବ୍ୟାଙ୍କ ନିକଟରେ କେବଳ ୩୩୨ କୋଟି ଟଙ୍କା ଜମା ରହିଥିବାବେଳେ ଏଥିରୁ ସୁବୁଠୁ ଅଧିକ ରାଶି ଅର୍ଥାତ ୧୦୫ କୋଟି ଟଙ୍କା ଏଚ୍‌ଏସ୍‌ବିସି ବ୍ୟାଙ୍କ ନିକଟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe