ଓଡ଼ିଶାରେ ଏନ୍‌ଟିପିସିର ନୂଆ ପାୱାର ପ୍ଲାଣ୍ଟ୍‌: ପ୍ରକଳ୍ପ ପ୍ରତି ଧ୍ୟାନ ଦେଉନଥିଲା କଂପାନି

Advertisment

ଛଅ ବର୍ଷରେ କଂପାନିର ପ୍ରଥମ ନୂଆ ପ୍ରକଳ୍ପ, ନିର୍ମାଣ ପାଇଁ କାର୍ଯ୍ୟବରାଦ ଦେଲା କଂପାନି

ଛଅ ବର୍ଷରେ କଂପାନିର ପ୍ରଥମ ନୂଆ ପ୍ରକଳ୍ପ, ନିର୍ମାଣ ପାଇଁ କାର୍ଯ୍ୟବରାଦ ଦେଲା କଂପାନି

ପୁଣି ବିବାଦରେ ଏନଟିପିସି ଡୁଲିଙ୍ଗା ଏଜିଏମ; ଆଦିବାସୀ ମହିଳା ସରପଞ୍ଚଙ୍କୁ ଅସମ୍ମାନ ଅଭିଯୋଗ

ଭୁବନେଶ୍ବର/ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ବିଦ୍ୟୁତ ସଙ୍କଟର ମୁକାବିଲା ଲାଗି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଟିପିସି ଓଡ଼ିଶାରେ ଏହାର ୧,୩୨୦ ମେଗାୱାଟ୍‌ର ନୂଆ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବା କର୍ଯ୍ୟ ଆରମ୍ଭ କରିଛି। ଛଅ ବର୍ଷ ମଧ୍ୟରେ ଏହା ହେଉଛି କଂପାନିର ପ୍ରଥମ ନୂଆ ପ୍ରକଳ୍ପ। ଏହି ପ୍ଲାଣ୍ଟ୍ ନିର୍ମ‌ାଣ ଆରମ୍ଭ କରିବା ଲାଗି କଂପାନି ନିକଟରେ କାର୍ଯ୍ୟବରାଦ ଦେଇଥିବା ଜଣାପଡ଼ିଛି। ଏହି ସ୍ଥାନରେ ପାଞ୍ଚ ଦଶନ୍ଧି ଧରି ଏକ ପାୱାର ପ୍ଲାଣ୍ଟ ଚାଲିଥିଲା ଯାହାକୁ ଗତବର୍ଷ ବନ୍ଦ କରିଦିଆଯାଇଥିଲା। ସେହି ସ୍ଥାନରେ ନୂତନ କାରଖାନା ସ୍ଥାପନ କରାଯାଉଛି ବୋଲି ବ୍ଲୁମ୍‌ବର୍ଗରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଦିଆଯାଇଥିବା ସଙ୍କେତରୁ ତାହା ଏନ୍‌ଟିପିସିର ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ (ଟିଟିପିଏସ୍‌) ପ୍ରକଳ୍ପ ସମ୍ପର୍କିତ ଖବର ବୋଲି ବୁଝାପଡ଼ୁଛି। କାରଣ ଏନ୍‌ଟିପିସିର ସେହି କାରଖାନା ହିଁ ୫୦ ବର୍ଷ ଚାଲିବା ପରେ ବନ୍ଦ ହୋଇଥିଲା। ସେଥିରେ ୪୬୦ ମେଗାୱାଟ୍‌ର ୬ଟି ୟୁନିଟ୍‌ ଥିଲା। ପୁରୁଣା କାରଖାନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ନୂଆ କାରଖାନା ସ୍ଥାପନ କରିବାକୁ ଏନଟିପିସି ଯୋଜନା ରଖିଥିଲା। ମାତ୍ର ବିଦ୍ୟୁତ ଚାହିଦା ହ୍ରାସ ପାଇବାରୁ କଂପାନି ଏହି ପ୍ରକଳ୍ପ ପ୍ରତି ଆଉ ଆଗ୍ରହ ଦେଖାଉନଥିଲା। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ବାରମ୍ବାର କଂପାନିକୁ ମନେ ପକାଉଥିଲେ। କଂପାନିର ବରି‌ଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ନିୟମିତ ବ୍ୟବଧାନରେ ସରକାର ଆଲୋଚନା କରୁଥିଲେ। ଲମ୍ବା ସମୟ ଧରି ଆଲୋଚନା ହେବା ପରେ ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ୭,୬୯୮ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଥିଲେ। ପ୍ଲାଣ୍ଟ୍‌ରୁ ଉତ୍ପାଦନ ହେବାକୁ ଥିବା ବିଜୁଳିର କିଣା ଦରକୁ ନେଇ ଏନ୍‌ଟିପିସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମତଭେଦ ରହିଥିଲା।

କେବଳ ଓଡ଼ିଶା ପ୍ରକଳ୍ପ ନୁହେଁ ପୂର୍ବରୁ ଅଟକି ରହିଥିବା ଲାରା ଓ ସିଙ୍ଗ୍ରାଉଲି ପ୍ରକଳ୍ପକୁ ମଧ୍ୟ ଏନ୍‌ଟିପିସି ପୁଣି ଥରେ ଆରମ୍ଭ କରିବାକୁ ଯାଉଛି। ମହାମାରୀ ସମୟରେ ବିଦ୍ୟୁତ ଚାହିଦା ହ୍ରାସ ପାଇବାରୁ ଏନ୍‌ଟିପିସି ଏହି ଦୁଇ ପ୍ରକଳ୍ପକୁ ନେଇ ଆଗକୁ ବଢ଼ିନଥିଲା। ମାତ୍ର ଚଳିତ ବର୍ଷ ପ୍ରବଳ ଗରମ ହେବାରୁ ସାରା ଦେଶରେ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଛି। ଚାହିଦା ଅନୁସାରେ ବିଦ୍ୟୁତ ଯୋଗାଣ ହୋଇପାରୁନଥିବାରୁ କିଛି ରାଜ୍ୟରେ ଆଠ ଘଣ୍ଟା ଭଳି ଲମ୍ବା ସମୟ ଧରି ବିଦ୍ୟୁତ କାଟ ହେଉଛି। ‌‌‌ତେଣୁ, ଅଧିକ ବିଦ୍ୟୁତ ଉତ୍ପାଦନ କରିବା ଉପରେ ଏବେ ଏନ୍‌ଟିପିସି ଜୋର ଦେଉଛି। କେବଳ କୋଇଲା ନୁହେଁ, ଅକ୍ଷୟ ଶକ୍ତି ଉତ୍ସରୁ ଅଧିକ ବିଦ୍ୟୁତ ଉତ୍ପାଦନ କରିବାକୁ ଏନ୍‌ଟିପିସି ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଏନ୍‌ଟିପିସିର ୮୩% ବିଦ୍ୟୁତ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରାଯାଉଥିବା ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ରେ ଉତ୍ପାଦନ ହେଉଛି। ୨୦୩୨ ସୁଦ୍ଧା ସେହି ଭାଗକୁ ୫୦% ପର୍ଯ୍ୟନ୍ତ ହ୍ରାସ କରି ଅକ୍ଷୟ ଶକ୍ତିର ଭାଗ ବଢ଼ାଇବାକୁ କଂପାନି ଲକ୍ଷ୍ୟ ରଖିଛି।

କୋଇଲା ଆବଶ୍ୟକତା ପୂରଣ କରିବାକୁ ମଧ୍ୟ ଏନ୍‌ଟିପିସି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଚଳିତ ଆର୍ଥିକ ବର୍ଷରେ କଂପାନି ଏହାର କୋଇଲା ଆମଦାନିକୁ ୨୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଯୋଜନା ରଖିଛି। ଏହା ସହିତ ନିଜସ୍ବ ଖଣିରୁ ଏହା ଉତ୍ପାଦନ ୮୬% ବଢ଼ାଇ ୨୬ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଚାହୁଛି। ବିଶ୍ବର ବହୁ ଦେଶ ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ ବନ୍ଦ କରି ଅକ୍ଷୟ ଶକ୍ତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭାରତ ଏବେବି କୋଇଲାକୁ ଜାଳେଣି ଭାବେ ବ୍ୟବହାର କରାଯାଉଥିବା ପାୱାର ପ୍ଲାଣ୍ଟ୍‌ ଉପରେ ନିର୍ଭରଶୀଳ ରହିଛି। ଦେଶର ୭୦% ବିଦ୍ୟୁତ ଚାହିଦା ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ ଜରିଆରେ ପୂରଣ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe