ଭୁବନେଶ୍ବର: ୨୦୨୫ ଡିସେମ୍ବର ମାସରେ ରାଜ୍ୟରେ ୧,୭୯,୩୫୧ ଜଣ ନୂଆ ମୋବାଇଲ ଫୋନ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏହା ଫଳରେ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୭୨ ଲକ୍ଷ ୬୨ ହଜାର ୨୯୮ରେ ପହଞ୍ଚିଛି। ୨୦୨୫ ନଭେମ୍ବରରେ ଏହି ସଂଖ୍ୟା ୩ କୋଟି ୭୦ ଲକ୍ଷ ୮୨ ହଜାର ୯୪୭ ରହିଥିଲା। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟରୁ ଏହା ଜଣାଯାଇଛି।

Advertisment

ଓଡ଼ିଶାରେ ସଂପ୍ରତି ୪ଟି କମ୍ପାନି ମୋବାଇଲ ଟେଲିଫୋନ ସେବା ପ୍ରଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ୍‌ ନୂଆ ଗ୍ରାହକ ଯୋଡ଼ିବାରେ ସମର୍ଥ ହୋଇଥିବାବେଳେ ଦୁଇଟି କମ୍ପାନି ବିଏସ୍‌ଏନ୍‌ଏଲ୍‌ ଓ ଭୋଡାଫୋନ୍‌ ଆଇଡିଆ ଗ୍ରାହକ ହରାଇଛନ୍ତି। ଡିସେମ୍ବରରେ ଜିଓ ସର୍ବାଧିକ ୧ ଲକ୍ଷ ୬୦ ହଜାର ୭୪୩ ଗ୍ରାହକ ଯୋଡ଼ିଛି। ସେହିପରି ଏୟାରଟେଲ୍‌ ୩୩ ହଜାର ୪୫୬ ଗ୍ରାହକ ଯୋଡ଼ିଛି। କିନ୍ତୁ ବିଏସ୍‌ଏନ୍‌ଏଲ୍‌ ୧୪ ହଜାର ୪୬୭ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୩୮୧ ଜଣ ଗ୍ରାହକ ହରାଇଛି।

ଆହୁରି ପଢ଼ନ୍ତୁ: Trade: କପାଚାଷୀ ଓ ବୟନ ଶିଳ୍ପ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ସମାଲୋଚନା

ଏହି ପରିବର୍ତ୍ତନ ଫଳରେ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟା ସର୍ବାଧିକ ୧ କୋଟି ୭୨ ଲକ୍ଷ ୫୪ ହଜାର ୧୩୮ରେ ପହଞ୍ଚିଥିବାବେଳେ ଏୟାରଟେଲ୍‌ର ଗ୍ରାହକ ସଂଖ୍ୟା ୧ କୋଟି ୨୯ ଲକ୍ଷ ୯୯ ହଜାର ୮୧୯ରେ ପହଞ୍ଚିଛି। ସେହିପରି ବିଏସ୍‌ଏନ୍‌ଏଲ୍‌ର ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୧୮ ହଜାର ୩୫୪ରେ ଏବଂ ଭୋଡାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ୧୪ ଲକ୍ଷ ୮୯ ହଜାର ୯୮୭ରେ ରହିଛି। ଓଡ଼ିଶାରେ ଯୋଡ଼ି ହୋଇଥିବା ନୂଆ ଗ୍ରାହକଙ୍କ ତୁଳନାରେ ଯ‌ଥେଷ୍ଟ ଅଧିକ ଗ୍ରାହକ କମ୍ପାନି ବଦଳାଇଛନ୍ତି। ଡିସେମ୍ବରରେ ପ୍ରାୟ ୨.୫ ଲକ୍ଷ ଗ୍ରାହକ ପୋର୍ଟିଂ କରିଛନ୍ତି। 

ଆହୁରି ପଢ଼ନ୍ତୁ: Assam: ଉତ୍ତର-ପୂର୍ବ ଭାରତକୁ କଂଗ୍ରେସ ଦଳ ସର୍ବଦା ଅଣଦେଖା କରିଆସିଛି: ପ୍ରଧାନମନ୍ତ୍ରୀ ମୋଦୀ

ତଥ୍ୟ ଅନୁଯାୟୀ, ରାଜ୍ୟରେ ଟେଲି ସାନ୍ଦ୍ରତା ୮୧.୫୨ ପ୍ରତିଶତ ରହିଛି। ଅର୍ଥାତ୍‌ ଓଡ଼ିଶାରେ ୧୦୦ ଜଣଙ୍କ ମଧ୍ୟରୁ ୮୧.୫୨ ଜଣ ମୋବାଇଲ ସେବା ବ୍ୟବହାର କରୁଛନ୍ତି। ଦେଶରେ ଟେଲି ସାନ୍ଦ୍ରତା ୯୧.୭୪ ପ୍ରତିଶତ ରହିଛି। ଓଡ଼ିଶାର ଟେଲି ସାନ୍ଦ୍ରତା ଜାତୀୟ ହାର ତୁଳନାରେ ପ୍ରାୟ ୧୦ ପ୍ରତିଶତ କମ ରହିଛି। ଓଡ଼ିଶା ଟେଲି ସାନ୍ଦ୍ରତା କ୍ଷେତ୍ରରେ ନିମ୍ନରୁ ପଞ୍ଚମ ସ୍ଥାନରେ ରହିଛି। ଓଡ଼ିଶା ତଳେ ଯଥାକ୍ରମେ ଆସାମ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ବିହାର ରହିଛନ୍ତି।