ଓଡ଼ିଶା ବଜେଟ୍ ପ୍ରସ୍ତୁତି: ବ୍ୟୟ ଅଟ୍ଟକଳ ୧୨% ବଢ଼ିବ

Advertisment

ଡିସେମ୍ବର ୧୬ରୁ ପ୍ରାକ୍ ବଜେଟ୍‌ ଆଲୋଚନା

ଡିସେମ୍ବର ୧୬ରୁ ପ୍ରାକ୍ ବଜେଟ୍‌ ଆଲୋଚନା

ଓଡ଼ିଶା ବଜେଟ୍‌ ୨୦୨୩-୨୪: କେଉଁ ବିଭାଗକୁ କେତେ ?

Update Odisha

ଭୁବନେଶ୍ବର: ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଚଳିତ ମାସ ଠାରୁ ଅର୍ଥ ବିଭାଗ ପକ୍ଷରୁ ବିଭାଗଗୁଡ଼ିକ ପାଇଁ ଭର୍ଚୁଆଲ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରାଯିବ ଏବଂ ଫିସ୍‌କାଲ୍ ଷ୍ଟ୍ରାଟେଜି (ଆର୍ଥିକ ରଣନୀତି) ପେପର ପ୍ରସ୍ତୁତ କରାଯିବ। ଚଳିତ ମାସ ୧୧ ତାରିଖ ସୁଦ୍ଧା ପ୍ରଶାସନିକ ବ୍ୟୟ ଏବଂ କାର୍ଯ୍ୟକ୍ରମ ବ୍ୟୟ ବିଷୟରେ ଜଣାଇବା ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ଏହା ଅଧୀନରେ ଥିବା ସମସ୍ତ ଡିଡିଓମାନଙ୍କୁ ନିର୍ଦେଶ ଦିଆଯାଇଛି। ଡିଡିଓମାନେ ଆଇଏମ୍ଏଫ୍ଏସ୍‌ ପ୍ଲାଟଫର୍ମରେ ସେମାନଙ୍କ ପ୍ରସ୍ତାବ ଦାଖଲ କରିବେ। ଏହି କାର୍ଯ୍ୟ ଶୀଘ୍ର ଶେଷ ହେଲେ ପୂର୍ତ୍ତ ବିଭାଗ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତାବ ଅର୍ଥ ବିଭାଗ ପାଖକୁ ପଠାଯିବ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବଜେଟ୍ କ୍ୟାଲେଣ୍ଡର ଅନୁସାରେ ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଅଟ୍ଟକଳ ଦାଖଲ କାର୍ଯ୍ୟ ଶେ‌ଷ କରାଯିବ। ଏହା ପରେ ସେହି ମାସ ୧୬ରୁ ୩୧ ପର୍ଯ୍ୟନ୍ତ ବିଭିନ୍ନ ଅଂଶୀଦାରଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା ଆୟୋଜନ କରାଯିବ। ପ୍ରାକ୍ ବଜେଟ୍‌ ଆଲୋଚନା ଶେଷ ହେବା ପରେ ୨୦୨୧ ଫେବ୍ରୁଆରି ୩ରେ ସଂଶୋଧିତ ଅଟ୍ଟକଳ ଧାର୍ଯ୍ୟ କରାଯିବ। ଫେବ୍ରୁଆରି ୫ରେ ମୁଖ୍ୟ ସଚିବ ବିଭିନ୍ନ ପ୍ରମୁଖ ବିଭାଗର ସଚିବଙ୍କୁ ଭେଟି ବ୍ୟୟ ବିଷୟରେ ଆଲୋଚନା କରିବେ। ଫେବ୍ରୁଆରି ୭-୧୦ ଭିତରେ ମନ୍ତ୍ରୀ ପରିଷଦ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍‌କୁ ଅନୁମୋଦନ ପ୍ରଦାନ କରାଯିବ। ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ବଜେଟ୍ ଦଲିଲ ପ୍ରସ୍ତୁତ କରାଯିବ। ସେହି ମାସ ତୃତୀୟ ସପ୍ତାହରେ ରାଜ୍ୟ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ। ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟୟମଞ୍ଜୁରି ବିଲ୍‌ ଉପସ୍ଥାପନ କରାଯିବ।

ରାଜ୍ୟ ଅର୍ଥ ବିଭାଗ ଆକଳନ ଅନୁସାରେ କରୋନା ମହାମାରୀ ପ୍ରଭାବ ଯୋଗୁଁ ରାଜ୍ୟ ଅର୍ଥନୈତିକ ଅଭିବୃଦ୍ଧି ୨୦୨୦-୨୧ ଆର୍ଥିକ ବର୍ଷରେ ୧-୨% ହ୍ରାସ ପାଇବ। ମାତ୍ର ୨୦୨୧-୨୨ରେ ସେଥିରେ ଦ୍ରୁତ ସୁଧାର ହେବ ଏବଂ ଓଡ଼ିଶା ୭% ଅଭିବୃଦ୍ଧି ହାସଲ କରିବ। ଆସନ୍ତା ପାଞ୍ଚ ବର୍ଷ ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଦୀର୍ଘମିଆଦୀ ଲକ୍ଷ୍ୟ ଭାବେ ଦାରିଦ୍ର୍ୟ ଦୂରୀକରଣ, ଚାଷୀଙ୍କ ଆୟ ବୃଦ୍ଧି, ସମସ୍ତଙ୍କ ପାଇଁ ପାଇପ୍‌ରେ ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟର ସ୍ବାସ୍ଥ୍ୟ ସେବା, ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମି ଏବଂ ମହିଳା, ଏସ୍‌ଟି, ଏସ୍‌ସି ଏବଂ ଅନ୍ୟ ସମ୍ବେଦନଶୀଳ ବର୍ଗର ଲୋକମାନଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ବାରୋପ କରାଯିବ। ସ୍ବଳ୍ପିମଆଦୀ ଭିତ୍ତିରେ କରୋନା ମହାମାରୀ ପରିଚାଳନା ଏବଂ ଜୀବନ ଓ ଜୀବିକା ରକ୍ଷା ଉପରେ ସରକାର ଗୁରୁତ୍ବ ଦେବେ। ଚଳିତ ଆର୍ଥିକ ବର୍ଷରେ ରାଜସ୍ବ ଆୟରେ ୨୦-୨୫% ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି। ନିଅଣ୍ଟ ଭରଣା କରିବା ଲାଗି ସରକାର ଋଣ ଉପରେ ନିର୍ଭର କରିବେ। ସବୁ ପ୍ରକାର ବିଷୟ ବିଚାରକୁ ନେଇ ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟୟ ଅଟ୍ଟକଳ ୧୨ ପ୍ରତିଶତ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe