The Economic Times
ଚଣ୍ଡିଗଡ଼: ଚଳିତ ମାସ ଶେଷ ପରେ ଜିଏସ୍ଟି କ୍ଷତିପୂରଣ ଜାରି କରିବା ବ୍ୟବସ୍ଥା ବନ୍ଦ ହୋଇଯିବ। ଏହା ହେଲେ ଓଡ଼ିଶା ଭଳି ରାଜ୍ୟକୁ ବଡ଼ ଧରଣର ଆର୍ଥିକ ଧକ୍କା ଲାଗିବ। ଫଳରେ ରାଜସ୍ବ ବ୍ୟୟ ହ୍ରାସ ପାଇବ ଓ ଅର୍ଥନୀତିରେ ଅବନତି ହେବ। ଏହାକୁ ରୋକିବା ଲାଗି ଆଉ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜିଏସ୍ଟି କ୍ଷତିପୂରଣ ଦେବା ଅବଧି ବଢ଼ାଇବାକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଛନ୍ତି। କେବଳ ଓଡ଼ିଶା ନୁହେଁ, ଅନ୍ୟ କେତେକ ରାଜ୍ୟ ମଧ୍ୟ ଜୁନ ପରେ ଜିଏସ୍ଟି କ୍ଷତିପୂରଣ ଦେବା ଜାରି ରଖିବାକୁ ଜିଏସ୍ଟି ପରିଷଦକୁ ନିବେଦନ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇନାହିଁ।
ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିବା ଜିଏସ୍ଟି ପରିଷଦର ୪୭ତମ ବୈଠକରେ ଶ୍ରୀ ପୂଜାରୀ, ବାଣିଜ୍ୟ କର ଓ ଜିଏସ୍ଟି କମିସନର ସୁଶିଲ କୁମାର ଲୋହାନି ଓ ଅତିରିକ୍ତ ବାଣିଜ୍ୟ କର କମିସନର ନିହାର ରଞ୍ଜନ ନାୟକ ଯୋଗ ଦେଇଥିଲେ। ଶ୍ରୀ ପୂଜାରୀ ଜିଏସ୍ଟି ପରିଷଦକୁ ଜଣାଇଛନ୍ତି ଯେ ରାଜ୍ୟରେ ବହୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ରହିଛନ୍ତି ଯେଉଁମାନଙ୍କ କାରବାର ୪୦ ଲକ୍ଷ ଟଙ୍କାରୁ କମ୍। ବାଧ୍ୟତାମୂଳକ ଜିଏସ୍ଟି ପଞ୍ଜୀକରଣ ବିନା ଯଦି ସେମାନଙ୍କୁ ଇ-କମର୍ସ ପୋର୍ଟାଲ୍ରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ଅନୁମତି ଦିଆଯିବ ତେବେ ସେମାନେ ବିଶେଷ ଭାବେ ଉପକୃତ ହେବେ। ଜିଏସ୍ଟି ପରିଷଦ ସେହି ପ୍ରସ୍ତାବକୁ ମଞ୍ଜୁର କରିଛି।
Follow Us