ଓଡ଼ିଶାର ଋଣ କ୍ଷମତା ୧,୩୪,୬୬୫ କୋଟି: ଅଗ୍ରାଧିକାର କ୍ଷେତ୍ର ପାଇଁ ନାବାର୍ଡର ଆକଳନ

Advertisment
ଓଡ଼ିଶାର ଋଣ କ୍ଷମତା ୧,୩୪,୬୬୫ କୋଟି: ଅଗ୍ରାଧିକାର କ୍ଷେତ୍ର ପାଇଁ ନାବାର୍ଡର ଆକଳନ

ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ରର ଋଣ କ୍ଷମତା ଆକଳନ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି କ୍ଷମତା ୧,୩୪,୬୬୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଏହା ୨୧.୬୧% ଅଧିକ। କୃ‌ଷି କ୍ଷେତ୍ରର ଋଣ କ୍ଷମତା ୫୨,୦୫୦.୭୮ କୋଟି ଟଙ୍କା ଆକଳନ କରାଯାଇଛି ଯାହା ରାଜ୍ୟର ମୋଟ ଋଣ କ୍ଷମତାର ପ୍ରାୟ ୩୯% ସହ ସମାନ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର କ୍ଷମତା ୬୦ ହଜାର କୋଟି ଟଙ୍କା ଆକଳନ କରାଯାଇଛି। ଗତବର୍ଷ ତୁଳନାରେ ସେଥିରେ ୪୩% ବୃଦ୍ଧି କରାଯାଇଛି ବୋଲି ନାବାର୍ଡ ପକ୍ଷରୁ ଜାରି କରାଯାଇଥିବା ଷ୍ଟେଟ୍‌ ଫୋକସ୍ ପେପରରୁ ଜଣାପଡ଼ିଛି।

ଆଜି ନାବାର୍ଡ ପକ୍ଷରୁ ଆୟୋଜିତ ରାଜ୍ୟ ଋଣ ସେମିନାର ୨୦୨୨-୨୩କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦ୍‌ଘାଟନ କରି ଷ୍ଟେଟ୍ ଫୋକସ୍ ପେପର୍‌କୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବଳରାମ, କାଳିଆ, ମିଲେଟ୍‌ ମିସନ ଭଳି ବହୁ ପ୍ରକାର ଯୋଜନା କାର୍ଯ୍ୟକାରୀ କରି ସରକାର ରାଜ୍ୟର ବିକାଶ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ଘରୋଇ କ୍ଷେତ୍ରକୁ ବ୍ୟାଙ୍କ ଅଧିକ ପୁଞ୍ଜି ଦେବା ଲାଗି ଏହା ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି। ପଶୁପାଳନ, କୁକୁଡ଼ା ଚାଷ ଓ ମତ୍ସ୍ୟ ଚାଷ ଆଦି କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ଋଣ ଯୋଗାଇ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଏହା ସେମାନଙ୍କ ଆୟରେ ବିବିଧତା ଆଣିପାରିବ ବୋଲି ସେ କହିଛନ୍ତି। ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଅଗ୍ରାଧିକାର କ୍ଷେତ୍ରକୁ ଅଧିକ ଧ୍ୟାନ ଦେବା ଏବଂ ଅଧିକ ଋଣ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଉନ୍ନୟନ କମିସନର ପି କେ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, କୃଷି ଉତ୍ପାଦନ କମିସନର ସଞ୍ଜୀବ ଚୋପ୍ରା ଓ ପଶୁପାଳନ ବିଭାଗର ସଚିବ ଆର୍‌ ରଘୁ ପ୍ରସାଦ ଏକ ସ୍ବରରେ କହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଗ୍ରାଧିକାର କ୍ଷେତ୍ରର ଯେଉଁ ଋଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ହାସଲ କରିବା ଲାଗି ଉଦ୍ୟମ କରିବାକୁ ନାବାର୍ଡର ସିଜିଏମ୍‌ ସି ଉଦୟଭାସ୍କର ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସଂଯୋଜକ ଅରୁପାନନ୍ଦ ଜେନା କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକୁ ମାର୍ଚ୍ଚ ସୁଦ୍ଧା ୨୦୨୧-୨୨ ଲାଗି ଧାର୍ଯ୍ୟ କରାଯାଇଥିବା ୧.୧୦ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ୨୦୨୧ ସେପ୍ଟେମ୍ବର ସୁଦ୍ଧା ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଉତ୍ସାହଜନକ ନଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ଏଚ୍‌ ଏନ୍ ପଣ୍ଡ‌ା କହିଛନ୍ତି ଯେ ରାଜ୍ୟର ଆଇଟି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ପ୍ରଦାନ କରିବାର ଆବଶ୍ୟକତା ରହିଛି। ସବୁ ଜିଲ୍ଲାରେ ଋଣ ଜମା ଅନୁପାତ ୭୫% ହେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe