ଓଡ଼ିଶାରେ ଜଳ ବିଦ୍ୟୁତ୍‌ରେ ସମ୍ଭାବନା ଅଧିକ: ଅକ୍ଷୟ ଶକ୍ତିରେ ୭ ବର୍ଷରେ ୧୫ ଲକ୍ଷ କୋଟି ନିବେଶ ଆବଶ୍ୟକ

ଓଡ଼ିଶାରେ ଜଳ ବିଦ୍ୟୁତ୍‌ରେ ସମ୍ଭାବନା ଅଧିକ: ଅକ୍ଷୟ ଶକ୍ତିରେ ୭ ବର୍ଷରେ ୧୫ ଲକ୍ଷ କୋଟି ନିବେଶ ଆବଶ୍ୟକ

ଭୁବନେଶ୍ବର: ଜୀବାଶ୍ମ ଇନ୍ଧନ ଜନିତ ପ୍ରଦୂଷଣକୁ ୨୦୭୦ ସୁଦ୍ଧା ସମ୍ପୂର୍ଣ୍ଣ ଦୂର କରି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଥିବା ଭାରତକୁ ଅକ୍ଷୟ ଶକ୍ତିରେ ବିପୁଳ ପୁଞ୍ଜିନିବେଶ କରିବାକୁ ପଡ଼ିବ। ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତିର ସ୍ଥାପିତ କ୍ଷମତାକୁ ୮୦୦ ମେଗାୱାଟ୍‌ରେ ପହଞ୍ଚାଇବାକୁ‌ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ହାସଲ କରିବା ଲାଗି ଆସନ୍ତା ୭ ବର୍ଷରେ ୧୨-୧୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଦରକାର। ଏହା ବ୍ୟତୀତ ବିଭିନ୍ନ ଉପକରଣ ନିର୍ମାଣ କରିବା ଲାଗି ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ପଡ଼ିବ। ଆଜି ଇରେଡା ସହଯୋଗରେ ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ୍‌) ପକ୍ଷରୁ ଆୟୋଜନ କରାଯାଇଥିବା କର୍ମଶାଳାରେ ଏହି ସୂଚନା ଦିଆଯାଇଛି।

ଇରେଡା ଅଧିକାରୀଙ୍କ ମତରେ ଓଡ଼ିଶାରେ ଜଳ ବିଦ୍ୟୁତ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବାର ବ୍ୟାପକ ସୁଯୋଗ ରହିଛି। ଏହା ବ୍ୟତୀତ ସୌର ଶକ୍ତି କ୍ଷେତ୍ରରେ ମଧ୍ୟ ଉତ୍ପାଦନ ବଢ଼ାଇବାର ସମ୍ଭାବନା ରହିଛି। ଯେହେତୁ ରାଜ୍ୟରେ ବହୁ ଗ୍ରାମ ଦୁର୍ଗମ ଅଞ୍ଚଳରେ ରହିଛି ଓ ସେଗୁଡ଼ିକୁ ମୁଖ୍ୟ ଗ୍ରିଡ୍ ସହିତ ଯୋଡ଼ିବା କଷ୍ଟକର ତେଣୁ ‌କ୍ଷୁଦ୍ର ସୌର ଗ୍ରିଡ୍ ଜରିଆରେ ସେହି ସବୁ ଗ୍ରାମରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ ବୋଲି କୁହାଯାଇଛି। ଇରେଡା ପକ୍ଷରୁ ସାରା ଦେଶରେ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ଲାଗି ୧.୨ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୮୦ ହଜାର‌ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଓଡ଼ିଶାରେ ଇରେଡା ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ୭୦୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୩୫୦ କୋଟି ଟଙ୍କା ଆବଣ୍ଟନ କରିଛି। ଏବେ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିବା ବିଚାରାଧୀନ ରହିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ କହିଛନ୍ତି ଯେ ଏକ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ଲାଗି ୧ କେଜି କୋଇଲା ଜାଳିବାକୁ ପଡ଼ୁଛି। ପରିବେଶ ଉପରେ ତାହାର ପ୍ରଭାବ ରହୁଛି। ସେହି ପ୍ରଭାବକୁ ଅକ୍ଷୟ ଶକ୍ତି ଜରିଆରେ ଦୂର କରାଯାଇପାରିବ। ଏହି କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ଇରେଡାର ସିଏମ୍‌ଡି ପ୍ରଦୀପ କୁମାର ଦାସ, ନିର୍ଦେଶକ ଚିନ୍ତନ ନବୀନଭାଇ ଶାହ, ଓଇଆର୍‌ସି ଅଧ୍ୟକ୍ଷ ଉପେନ୍ଦ୍ର ବେହେରା, ଆଇଏଏସ୍‌ ଅଧିକାରୀ ଜଗଦ୍ଦିଶ ମହାନ୍ତି, ୟୁସିସିଆଇଏଲ୍‌ର ସଭାପତି ବ୍ରହ୍ମା ମିଶ୍ର ଓ ଉପସଭାପତି (ବାଣିଜ୍ୟ) ଅଶୋକ ଶାରଦା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe