ମୋବାଇଲ୍‌ ଗ୍ରାହକ ଯୋଡ଼ିବାରେ ଓଡ଼ିଶା ପଛୁଆ: ଏପ୍ରିଲ୍‌ରେ ୧୪,୪୪୦ ଗ୍ରାହକ ବଢ଼ିଲେ

Advertisment
ମୋବାଇଲ୍‌ ଗ୍ରାହକ ଯୋଡ଼ିବାରେ ଓଡ଼ିଶା ପଛୁଆ: ଏପ୍ରିଲ୍‌ରେ ୧୪,୪୪୦ ଗ୍ରାହକ ବଢ଼ିଲେ

ଭୁବନେଶ୍ବର: ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଥିବା ବେଳେ ଓଡ଼ିଶାରେ ପ୍ରତି ୧୦୦ ଜଣ ଲୋକ ମଧ୍ୟରୁ ୨୩ ଜଣଙ୍କ ପାଖରେ ଏବେବି ଏହି ସୁବିଧା ପହଞ୍ଚିପାରିନାହିଁ। ସେବାକୁ ବ୍ୟାପକ କରିବା ଲାଗି ସୁଯୋଗ ରହିଥିଲେ ମଧ୍ୟ ନୂଆ ଗ୍ରାହକ ଯୋଡ଼ିବାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ଟ୍ରାଇ)ର ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଏପ୍ରିଲ୍‌ରେ ରାଜ୍ୟରେ ‌ମାତ୍ର ୧୪,୪୪୦ ମୋବାଇଲ୍ ଗ୍ରାହକ ବଢ଼ିଛନ୍ତି।

ଏପ୍ରିଲ୍‌ ମାସରେ ବିହାର ୪ ଲକ୍ଷ ୭୦ ହଜାର ୭୩୧ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ କର୍ଣ୍ଣାଟକ ୩ ଲକ୍ଷ ୧୬ ହଜାର ୪୬୦, ମଧ୍ୟପ୍ରଦେଶ ୩ ଲକ୍ଷ ୫୭,୯୫୫, ରାଜସ୍ଥାନ ୧,୫୫,୩୪୨ ଜଣ, ହରିୟାଣା ୧ ଲକ୍ଷ ୧୭ ହଜାର ୭୫୯ ଜଣ ଏବଂ ପଶ୍ଚିମବଙ୍ଗ ୯୫,୩୭୦ ଜଣ ନୂଆ ଗ୍ରାହକ ଯୋଡ଼ିଛନ୍ତି। ଏହି ମାସରେ ଗୁଜରାଟ ୪ ଲକ୍ଷ ୪୦ ହଜାରରୁ ଅଧିକ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି।

ସାଧାରଣତଃ ଓଡ଼ିଶାରେ ପ୍ରତି ମାସରେ ଏକ ଲକ୍ଷରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ନୂଆ ଗ୍ରାହକ ମୋବାଇଲ୍ ନେଟ୍‌ୱର୍କରେ ଯୋଡ଼ିହୋଇଥାନ୍ତି। ଏପ୍ରିଲ୍‌ରେ ତାହାର ବ୍ୟତିକ୍ରମ ଘଟିଛି। ନୂଆ ଗ୍ରାହକ ଯୋଡ଼ିହେବା ପରିବର୍ତ୍ତେ ବହୁ ପୁରୁଣା ଗ୍ରାହକ ନେଟ୍‌ୱର୍କରୁ ବାହାରିଯାଇଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ୮୯,୪୯୬ ମୋବାଇଲ୍ ଗ୍ରାହକଙ୍କୁ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୧୮,୨୦୪ ଗ୍ରାହକଙ୍କୁ ହରାଇଛି। ରିଲାଏନ୍ସ ଜିଓ ସର୍ବାଧିକ ୧,୧୩,୧୮୬ ନୂଆ ଗ୍ରାହକ ଯୋଡ଼ିପାରିଛି। ଭାରତୀ ଏୟାରଟେଲ୍ ୮୯୫୪ ନୂଆ ଗ୍ରାହକ ପାଇବାରେ ସଫଳ ହୋଇଛି।
ଚଳିତ ବର୍ଷ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫କୁ ବୃଦ୍ଧି ପାଇଛି। ସେଥିରୁ ଏୟାରଟେଲ୍ ପାଖରେ ୧ କୋଟି ୧୬ ଲକ୍ଷ, ୪୩ ହଜାର ୨୩୭ ଜଣ, ଭୋଡା‌ଫୋନ୍ ଆଇଡିଆର ୧୪ ଲକ୍ଷ ୨୯ ହଜାର ୪୫୫ ଜଣ, ରିଲାଏନ୍ସ ଜିଓର ୧ କୋଟି ୫୩ ଲକ୍ଷ ୭ ହଜାର ୬୮୫ ଜଣ ଓ ବିଏସ୍‌ଏନ୍‌ଏଲ୍‌ର ୫୩ ଲକ୍ଷ ୪୦ ହଜାର ୯୮ ଜଣ ଗ୍ରାହକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe