ଓଡ଼ିଶା ୨୮୫୮ କୋଟି ଅତିରିକ୍ତ ଋଣ ଆଣିପାରିବ, କେନ୍ଦ୍ର ସରକାର ଦେଲେ ଅନୁମତି

Advertisment
ଜଳ, ପରିମଳ ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ବାନ

Moneycontrol

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କୁ ୨୮୫୮ କୋଟି ଟଙ୍କାର ଅତିରିକ୍ତ ଋଣ କରିବା ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ଜିଏସ୍‌ଟି କ୍ଷତିପୂରଣ ରାଶି ପାଇବା ଲାଗି କେନ୍ଦ୍ର ସରକାର ଦେଇଥିବା ପ୍ରଥମ ବିକଳ୍ପ ଗ୍ରହଣ କରିଛନ୍ତି ସେହି ରାଜ୍ୟଗୁଡ଼ିକୁ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ଅତିରିକ୍ତ ୦.୫% ଋଣ କରିବାର ଅନୁମତି ଦିଆଯାଇଛି।‌ ସେହି ହିସାବ ଅନୁସାରେ ଓଡ଼ିଶା ସରକାର ୨୮୫୮ କୋଟି ଟଙ୍କା ଅଧିକ ଋଣ କରିବାର ଅନୁମତି ପାଇଛନ୍ତି। ରାଜ୍ୟ ସରକାର ଜିଏସ୍‌ଟି କ୍ଷତିପୂରଣ ରାଶି ପାଇବା ଲାଗି ପ୍ରଥମ ବିକଳ୍ପକୁ ଚୟନ କରି ୧୧୧୨.୪୨ କୋଟି ଟଙ୍କା ପାଇଛନ୍ତି। କେରଳ ଓ ପଶ୍ଚିମବଙ୍ଗ ମଧ୍ୟ ଦୀର୍ଘଦିନ ଅରାଜି ରହିବା ପରେ ଆଜି ପ୍ରଥମ ବିକଳ୍ପ ଚୟନ କରିଛନ୍ତି। ଫଳରେ ପ୍ରଥମ ବିକଳ୍ପକୁ ଗ୍ରହଣ କରିଥିବା ରାଜ୍ୟଗୁଡ଼ିକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ନିଜେ ଋଣ କରି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଚାରିଟି କିସ୍ତିରେ ରାଜ୍ୟଗୁଡ଼ିକୁ ୨୪ ହଜାର କୋଟି ଟଙ୍କା ଦିଆଯାଇସାରିଲାଣି। ଏବେ କେରଳ ଓ ପଶ୍ଚିମବଙ୍ଗ ପ୍ରଥମ ବିକଳ୍ପ ଚୟନ କରିଥିବାରୁ ସେମାନଙ୍କୁ କେନ୍ଦ୍ର ସରକାର ୧୦,୧୯୭ କୋଟି ଟଙ୍କା ଦେବେ। ରାଜ୍ୟଗୁଡ଼ିକୁ ପଞ୍ଚମ କିସ୍ତି ଜାରି କରାଯିବା ବେଳେ ଏହି ଦୁଇ ରାଜ୍ୟ ନିଜ ପ୍ରାପ୍ୟ ପାଇବେ।

କୋଭିଡ୍-୧୯ ମହାମାରୀ ଯୋଗୁଁ ଟିକସ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ୍ ରହିବ କହି ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବାକୁ କେନ୍ଦ୍ର ସରକାର କିଛି ମାସ ତଳେ ଅକ୍ଷମତା ପ୍ରକାଶ କରିଥିଲେ। ଋଣ ଜରିଆରେ ସେହି ଟଙ୍କା ଯୋଗାଡ଼ କରାଇଦେବେ ବୋଲି ରାଜ୍ୟଗୁଡ଼ିକୁ କହିଥିଲା। କେନ୍ଦ୍ର ହିସାବ ଦେଇଥିଲା ଯେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ବାବଦରେ ୩ ଲକ୍ଷ କୋଟି ଟଙ୍କା ଦେବାକୁ ପଡ଼ିବ। ସେଥି ମଧ୍ୟରୁ ଅତିବେଶିରେ ୬୫ ହଜାର ଆଦାୟ ହୋଇପାରିବ। ଅର୍ଥାତ ୨.୩୫ ଲକ୍ଷ କୋଟି ଟଙ୍କାର ଅଭାବ ଦେଖାଦେବ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଥିଲେ ଯେ ଯଦି ସେମାନେ ୯୭ ହଜାର କୋଟି ଟଙ୍କାର ଋଣ ନେବେ ତେବେ ତାହା ଉପରେ ସୁଧ ଗଣିବେ ନାହିଁ। ଯଦି ସମ୍ପୂର୍ଣ୍ଣ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ନେବେ ତେବେ ତାହାର ମୂଳଧନ ଓ ସୁଧ ଉଭୟ ଶୁଝିବେ। ପରର୍ବତୀ ସମୟରେ ପ୍ରଥମ ବିକଳ୍ପର ରାଶିକୁ ୧.୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଦ୍ବିତୀୟ ବିକଳ୍ପକୁ କୌଣସି ରାଜ୍ୟ ଗ୍ରହଣ କରିନଥିଲେ। ବର୍ତ୍ତମାନ ସୁଦ୍ଧା ୨୫ଟି ରାଜ୍ୟ ପ୍ରଥମ ବିକଳ୍ପକୁ ଚୟନ କରିଛନ୍ତି।

ଜିଏସ୍‌ଟି କ୍ଷତିପୂରଣ ରାଶି ସମସ୍ୟାର ସମାଧାନ ଲାଗି ରାଜ୍ୟଗୁଡ଼ିକ ସହ ମୁଲଚାଲ ଚାଲିଥିବା ବେଳେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମନାଇବା ଲାଗି ଜିଏସ୍‌ଡିପିର ଅତିରିକ୍ତ ୦.୫% ପର୍ଯ୍ୟନ୍ତ ଋଣ କରିବାର ଅନୁମତି ଦେଇଥିଲେ। ବୈଧାନିକ ବ୍ୟବସ୍ଥା ଅନୁସାରେ ଜିଏସ୍‌ଡିପିର ୨% ଋଣ କରିବାକୁ ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଇଛି। ଏହା ବାହାରେ ରାଜ୍ୟଗୁଡ଼ିକ ଅତିରିକ୍ତ ଋଣ କରିପାରିବେ। ଏହି ବ୍ୟବସ୍ଥା ଅନୁସାରେ କେରଳ ଓ ପଶ୍ଚିମବଙ୍ଗ ଯଥାକ୍ରମେ ୪୫୨୨ କୋଟି ଟଙ୍କା ଓ ୬୭୮୭ ‌କୋଟି ଟଙ୍କାର ଋଣ ଆଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe